ଭାରତୀୟ ଡିଫେଣ୍ଡର ଲାଲରୁଥାରାଙ୍କ ସହ ଚୁକ୍ତି କଲା ଓଡ଼ିଶା ଏଫ୍‌ସି

ଅଭିମନ୍ୟୁଙ୍କ ଅଭିନବ ପ୍ରୟାସ

ଭାରତୀୟ ଡିଫେଣ୍ଡର ଲାଲରୁଥାରାଙ୍କ ସହ ଚୁକ୍ତି କଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର: ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ୍‌ (ଓଏଫ୍‌ସି) ଆଇଏସ୍ଏଲ୍‌ର ଅଷ୍ଟମ ସଂସ୍କରଣ ପୂର୍ବରୁ ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଥାରାଙ୍କ ସହ ଚୁକ୍ତି କରିଛି। ଏହି ଚୁକ୍ତି ୨ ବର୍ଷ ପାଇଁ ହୋଇଥିଲା ବେଳେ ୩ ବର୍ଷକୁ ବଢ଼ାଇବାର ବିକଳ୍ପ ରଖାଯାଇଛି। ଲାଲରୁଥାରା ୨୦୧୫ରେ ଆଇଜଲ ଏଫ୍‌ସି ସହିତ ତାଙ୍କର ପେସାଦାର ଖେଳ ଜୀବନ ଆରମ୍ଭ କରିଥିଲେ। ଏଥିସହ ଆଇ-ଲିଗ୍ ବିଜେତା ଆଇଜଲର ସଦସ୍ୟ ଥିଲେ। ଏହା ପରେ ସେ ୨୦୧୭ରେ କେରଳ ବ୍ଲାଷ୍ଟର୍ସ ସହ ଚୁକ୍ତି କରିଥିଲେ। ପ୍ରଥମ ବର୍ଷରେ ‌ସେ ଆଇଏସ୍‌ଏଲ୍‌ ସଂସ୍କରଣ‌ର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ। ସେ ବରିଷ୍ଠ ଏବଂ ୨୩ ବର୍ଷରୁ କମ୍‌ ଭାରତୀୟ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି।

‘‘କେରଳ ବ୍ଲାଷ୍ଟର୍ସରେ ଖେଳିଳା ବେଳଠୁ ମୁଁ ଲାଲରୁଥାରାଙ୍କ ଉପରେ ନଜର ରଖିଥିଲି। ତାଙ୍କର ପ୍ରତିରକ୍ଷା ଶୈଳୀ ଉଚ୍ଚକୋଟୀର। ଭାବୁଛି ସେ ଆମର ପ୍ରତିରକ୍ଷା ବିଭାଗକୁ ଦୃଢ଼ କରିବେ। ସେ ଜାତୀୟ ଦଳର ଗୁଣାତ୍ମକ ଡିଫେଣ୍ଡର ବୋଲି ପ୍ରମାଣ କରିବାକୁ ଆଗ୍ରହୀ ଅଛନ୍ତି। ନିଜକୁ ପ୍ରମାଣ କରିବା ଲାଗି ଆମେ ତାଙ୍କୁ ଦଳରେ ପର୍ଯ୍ୟାପ୍ତ ସୁଯୋଗ ଦେବୁ।’’ ବୋଲି ଚୁକ୍ତି ପରେ ଓଏଫ୍‌ସି ସିଇଓ ‌ରୋହନ ଶର୍ମା କହିଛନ୍ତି। ‘‘ମୁଁ ଅତ୍ୟନ୍ତ ଖୁସି ଯେ ଲାଲରୁଥରା ଓଏଫ୍‌ସିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଭାରତର ଅନ୍ୟତମ ପ୍ରତିଭାବାନ ଡିଫେଣ୍ଡର। ନିଶ୍ଚିତ ଯେ ସେ ଆମ ପାଇଁ ମହତ୍ ଯୋଗଦାନ ରଖିବେ।’’ ବୋଲି କ୍ଲବ ସଭାପତି ରାଜ ଅଠୱାଲ କହିଛନ୍ତି।

‘‘ଆସନ୍ତା ଋତୁରେ ଓଏଫ୍‌ସି ଜର୍ସି ପିନ୍ଧିବାକୁ ଯାଉଥିବାରୁ ବହୁତ ଖୁସି ଏବଂ କୃତଜ୍ଞ। ଶ୍ରେଷ୍ଠ ପ୍ରଦର୍ଶନ ଦେବା ଏବଂ କ୍ଲବ୍‌ରୁ ପ୍ରତିନିଧିତ୍ୱ କରିବାକୁ ଅପେକ୍ଷା କରିଛି। ଏବେ ନୂଆ ସାଥୀ, ପ୍ରଶିକ୍ଷକ ଓ ଅଧିକାରୀଙ୍କ ଅଧୀନରେ ଖେଳିବା ଏବଂ ସେମାନଙ୍କଠୁ ଶିଖିବାକୁ ଉତ୍ସାହିତ ଅଛି। ମୋ ଉପରେ ଭରସା ରଖି ଦଳ ସୁଯୋଗ ଦେଇଥିବାରୁ କ୍ଲବ୍‌ର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଉଛି।’’ ବୋଲି ଦଳ ସହ ଚୁକ୍ତି କରିବା ପରେ ଲାଲରୁଥାରା କହିଛନ୍ତି।

ଅଭିମନ୍ୟୁଙ୍କ ଅଭିନବ ପ୍ରୟାସ
ସାମ୍ପ୍ରତିକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଜଣାଇ ଓଡ଼ିଶା ଏଫ୍‌ସି ନୂଆ ଯୋଜନା ଆରମ୍ଭ କରିଛି। ଦଳର ଯେ କୌଣସି ନୂଆ ଚୁକ୍ତି ବେଳେ ଜଣେ ଆଗଧାଡ଼ିର ଯୋଦ୍ଧା ଏହା ଘୋଷଣା କରିବେ। ଘୋଷଣାକୁ ଓଏଫ୍‌ସିର ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯିବ। ଏହି କ୍ରମରେ ମଙ୍ଗଳବାର ଲାଲରୁଥାରାଙ୍କ ସହ ‌ହୋଇଥିବା ଚୁକ୍ତିକୁ ସମାଜସେବୀ ଅଭିମନ୍ୟୁ ଦାସ ଘୋଷଣା କରିଥିଲେ। ଓଏଫ୍‌ସି ଅଭିମନ୍ୟୁ ଘୋଷଣା ବେଳର ଭିଡିଓକୁ ନିଜ ସାମାଜିକ ଗଣମାଧ୍ୟରେ ‌ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe