ଆଜିଠୁ ଓଡ଼ିଶା ଏଫ୍‌ସି ଅଭିଯାନ, ହାଇଦ୍ରାବାଦକୁ ଭେଟିବ

Advertisment
ଆଜିଠୁ ଓଡ଼ିଶା ଏଫ୍‌ସି ଅଭିଯାନ, ହାଇଦ୍ରାବାଦକୁ ଭେଟିବ

ଭୁବନେଶ୍ବର: ଜୈବ ବଳୟରେ ଚାଲିଥିବା ଇଣ୍ଡିଆନ୍ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣରେ ଓଡ଼ିଶା ଏଫ୍‌ସି ସୋମବାର ତା’ର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ ଏଫ୍‌ସିକୁ ଭେଟିବ। ଗୋଆର ବାମ୍ଭୋଲିମସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ପୂର୍ବରୁ ଦୁଇ ଥର ମୁହାଁମୁହିଁ ହୋଇଥିଲା ‌ବେଳେ ଓଡ଼ିଶା ଦଳ ସପକ୍ଷରେ ଦୁଇଟି ଯାକ ମ୍ୟାଚ୍‌ ଯାଇଥିଲା। ଫଳରେ ଏଥର ମଧ୍ୟ ଏହି ଦଳର ପଲା ଭାରି ରହିବା ସମ୍ଭବନା ରହିଛି। ଓଡ଼ିଶା ଏଫ୍‌ସି ଅକ୍ଟୋବର ୫ ତାରିଖରେ ଗୋଆରେ ପହଞ୍ଚି ସେଠାକାର ପାଣିପାଗ ଓ ପିଚ୍‌ ସହ ନିଜକୁ ଅଭ୍ୟସ୍ତ କରିନେଇଛି। ଏଠାରେ କରିଥିବା କଠିନ ଅଭ୍ୟାସ ସୋମବାର ପ୍ରଥମ ମ୍ୟାଚ୍‌ରେ ପ୍ରତିଫଳିତ ହେବ ବୋଲି ପ୍ରଶିକ୍ଷକ ଷ୍ଟୁଆର୍ଟ ବାକ୍ସଟର ସୂଚନା ଦେଇଛନ୍ତି।

‌ଓଏଫ୍‌ସି ଚଳିତ ବର୍ଷ ଯୋଶେପ ଗୋମ୍ବାଉଙ୍କ ସ୍ଥାନରେ ନୂଆ ପ୍ରଶିକ୍ଷକ ଇଂଲଣ୍ଡର ବାକ୍ସଟରଙ୍କୁ ନିଯୁକ୍ତ କରିଛି। ଏଥିସହ ନ୍ୟୁକାଷ୍ଟଲ ୟୁନାଇଟେଡ୍‌ ଡିଫେଣ୍ଡର ‌ଷ୍ଟିଭେନ ଟେଲର ଚଳିତ ବର୍ଷ ଓଡ଼ିଶା ଏଫ୍‌ସିର ନେତୃତ୍ବ ଭାର ନେଇଛନ୍ତି। ଆଇଏସ୍‌ଏଲ୍‌ରେ ସର୍ବାଧିକ ଗୋଲ୍‌ ହାସଲକାରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଥିବା ମାର୍ସି‌ଲି‌ନୋ ପେରିଇରା (୩୧ ଗୋଲ୍‌) ଦଳର ମଙ୍ଗ ଧରିବେ। ଗୋଲ୍‌ରକ୍ଷକ ଦାୟିତ୍ବ ଯୁବ ତାରକା ଅର୍ଶଦୀପ ସିଂହଙ୍କ କାନ୍ଧରେ ରହିଛି। ସେଣ୍ଟର ବ୍ୟାକ୍‌ ଓ ରାଇଟ୍‌ ବ୍ୟାକ୍‌ରେ ପ୍ରତିଭାମାନ ଡିଫେଣ୍ଡର ଜାକବ ଟ୍ରାଟ ଦାୟିତ୍ବ ସମ୍ଭାଳିବେ। ଫଳରେ ଏମାନଙ୍କୁ ନେଇ ଦଳ ସଦୃଢ଼ ରହିଛି। ଅନ୍ୟପକ୍ଷରେ ଉଭୟ ଆଇଲିଗ୍‌ ଓ ଆଇଏସ୍‌ଏଲ୍‌ରେ ବହୁ ବର୍ଷ ଖେଳିବାର ଅଭିଜ୍ଞତା ରଖିଥିବା ସୁବ୍ରତ ପାଲ ହାଇଦ୍ରାବାଦ ଏଫ୍‌ସି ଗୋଲ୍‌ରକ୍ଷକ ଦାୟିତ୍ବରେ ରହିଛନ୍ତି। ଆରି‌ଦାନେ ସନ୍ତନା ମାତ୍ର ୧୪ ମ୍ୟାଚ୍‌ରେ ‌୯ ଗୋଲ୍‌ କରି ଦଳ ପାଇଁ ପ୍ରମୁଖ ଅସ୍ତ୍ର ଭାବେ ରହିଛନ୍ତି। ଭାରତର ଉଦୀୟମାନ ତାରକା ହାଲିଚରଣ ନଜାରି ମଧ୍ୟଭାଗ ସମ୍ଭାଳିବେ। ଗତ ବର୍ଷ ସେ କେରଳ ବ୍ଲାଷ୍ଟର୍ସରୁ ପ୍ରତିନିଧିତ୍ବ କରିଥିଲେ। ସେଣ୍ଟର ବ୍ୟାକ୍‌ରେ ରହିବେ ଅଭିଜ୍ଞ ଡିଫେଣ୍ଡର ସ୍ପେନ୍‌ର ଓଡେଇ ଓନାଇଣ୍ଡିଆ। ତାଙ୍କୁ ସହଯୋଗ କରିବେ ଅଦିଲ ଖାନ ଓ ସାହିଲ ପନୱାର। ଫଳରେ ଗତ ଋତୁ ଅପେକ୍ଷା ହାଇଦ୍ରାବାଦ ଚଳିତ ଥର ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରଖିଛି।

ଖେଳାଳିମାନେ ସମସ୍ତ ପ୍ରକାର ଆହ୍ବାନକୁ ଭଲ ଭାବରେ ସମ୍ନା କରିଛନ୍ତି। ସେମାନେ କଠିନ ପରିଶ୍ରମ କରିଛନ୍ତି। ‌ସହଯୋଗୀ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକୁ ଭଲ ଭାବେ ତୁଲାଇଛନ୍ତି। ଏବେ ଆମର ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ। ବିଜୟରୁ ଅଭିଯାନ ଆରମ୍ଭ କରିବା ହେଉଛି ମହତ୍ବପୂର୍ଣ୍ଣ। ଏହା ଆମେମାନେ ଚାହୁଁ। କିନ୍ତୁ ବିଜୟ ପରେ ପରବର୍ତ୍ତୀ ମ୍ୟାଚ୍‌ରେ ପରାଜୟ କିମ୍ବା ଅମୀମାଂସିତ ଆସିଲେ ତାହା ପାଇଁ ନୂଆ ଯୋଜନା କରିବୁ। ତେଣୁ ଆମେ ଆରମ୍ଭରୁ ପଏଣ୍ଟ୍‌ ସହ ‌ଟେବୁଲରେ ରହିବାକୁ ଚାହୁଁ। ଏବେ ପ୍ରଦର୍ଶନ ଉପରେ ହିଁ ନଜର ରଖିବୁ। ଆମେ ଏଭଳି ପ୍ରଦର୍ଶନ କରିବା ଯେପରି ଭଲ ଫଳ ପାଇପାରିବା ବୋଲି ବାକ୍ସଟର ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କିଛି ଖେଳାଳି ସଂଗରୋଧରେ ଥିବାରୁ ପ୍ରଥମ ମ୍ୟାଚ୍‌ରେ ସେମାନେ ଖେଳିପାରିବେନି। ହେଲେ ଆମେ ଏହାର ବିକଳ୍ପ ଯୋଜନା କରିଛୁ। ସେହି ଅନୁଯାୟୀ ପଡ଼ିଆକୁ ଓହ୍ଲାଇବୁ। ପୂର୍ବରୁ ଆମେ ହାଇଦ୍ରାବାଦ ବିପକ୍ଷରେ ଖେଳିଥିବା ଦୁଇଟି ଯାକ ମ୍ୟାଚ୍‌ ଜିତିଛୁ। ହେଲେ ତାହା ଏବେ ଇତିହାସ। ତାହାକୁ ନେଇ ଆଗକୁ ଯାଇହେବନି। ମ୍ୟାଚ୍‌ ଦିନର ପ୍ରଦର୍ଶନ ହିଁ ସଫଳତା ଦେବ ବୋଲି ୬୭ ବର୍ଷୀୟ ବାକ୍ସଟର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶିକ୍ଷକଙ୍କ ସହ ଅଧିନାୟକ ଟେଲର ମଧ୍ୟ ଉପସ୍ଥିତ ଥିଲେ। ସେ କହିଥିଲେ ଯେ ‌ମୋ ଉପରେ ବଡ଼ ଦାୟିତ୍ବ ରହିଛି। ‌ମୁଁ ଭାବିଛି ସ୍ଥିର ପ୍ରଦର୍ଶନ ସାଙ୍ଗକୁ ଭଲ ଫଳାଫଳ ଆଣିବା ପାଇଁ ଚେଷ୍ଟା କରିବି। ଏଥିସହ ସାଥୀ ଖେଳାଳିମାନଙ୍କ ଉପରେ କିଭଳି କମ୍‌ ଚାପ ରହିବ ତାହାକୁ ନଜରରେ ରଖିବି।

ପଏଣ୍ଟ୍‌ ବାଣ୍ଟିଲେ ଗୋଆ-ବେଙ୍ଗାଲୁରୁ
ଫତୋର୍ଡା: ଚଳିତ ଆଇଏସ୍‌ଏଲ୍‌ ପ୍ରତିଯୋଗିତାର ବୁଧବାର ଏଫ୍‌ସି ଗୋଆ ଏବଂ ବେଙ୍ଗା‌ଲୁରୁ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଫଳରେ ଉଭୟ ଦଳ ନିଜ ନିଜ ମଧ୍ୟରେ ବାଣ୍ଟି ନେଇଛନ୍ତି। ଫ‌ତୋର୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ୨୭ତମ ମିନିଟ୍‌ରେ ସେଲିଟନ୍‌ ସିଲ୍‌ଭାଙ୍କ ଗୋଲ୍‌ ବଳରେ ବେଙ୍ଗାଲାରୁ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟାର୍ଧରେ ବେଙ୍ଗାଲୁରୁ ପାଇଁ ଜୁଆନନ୍‌ (୫୭ ମିନିଟ୍‌) ଦ୍ବିତୀୟ ଗୋଲ୍‌ ଦେଇ ଦଳକୁ ବିଜୟ ଦିଗରେ ଅଗ୍ରସର କରାଇଥିଲେ। ହେଲେ ଗୋଆର ଇଗୋର ଆଙ୍ଗୁଲୋ (୬୬, ୬୯ ମିନିଟ୍‌) ୩ ମିନିଟ୍‌ ମଧ୍ୟରେ ଦୁଇଟି ଗୋଲ୍‌ ଶୁଝି ସ୍ଥିତି ବରାବାର କରି ଦେଇଥିଲେ। ଯୁଗଳ ସଫଳତା ଲାଗି ଇଗୋର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe