କଳିଙ୍ଗରେ ଓଡ଼ିଶା ଏଫ୍‌ସିର ଆଧିପତ୍ୟ, ଚେନ୍ନାୟିନ୍‌କୁ ୨-୦ରେ ହରାଇଲା

Advertisment
କଳିଙ୍ଗରେ ଓଡ଼ିଶା ଏଫ୍‌ସିର ଆଧିପତ୍ୟ, ଚେନ୍ନାୟିନ୍‌କୁ ୨-୦ରେ ହରାଇଲା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା‌ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଘରୋଇ ଦଳ ଓଡ଼ିଶା ଏଫ୍‌ସିର ଆଧିପତ୍ୟ ଜାରି ରଖିଛି। ଗତ ୨୭ ତାରିଖରେ ପଡ଼ୋଶୀ ଜାମସେଦପୁରକୁ ହରାଇଥିବା ଏହି ଭୁବନେଶ୍ବର ଭିତ୍ତିକ ଦଳ ସୋମବାର ନିଜ ଦ୍ବିତୀୟ ଘରୋଇ ମ୍ୟାଚ୍‌ରେ ଶକ୍ତିଶାଳୀ ଚେନ୍ନାୟିନ୍‌ ଏଫ୍‌ସିକୁ ୨-୦ ଗୋଲ୍‌ରେ ମାତ୍‌ ଦେଇଛି।

ଆଇଏସ୍‌ଏଲ୍‌ର ଏହି ୫୩ତମ ମ୍ୟାଚ୍‌ରେ ଦୁଇ ଥରର ବିଜେତା ଚେନ୍ନାୟିନ୍‌ ଟସ୍‌ ହାରିବା ପରେ ପ୍ରଥମେ ବଲ୍‌ ଗଡ଼ାଇଥିଲା। ଖରାପ ପଡ଼ିଆ ଯୋଗୁଁ ପ୍ରଥମ କ୍ବାର୍ଟର୍‌ ପୂରା ଧୀମା ଯାଇଥିଲା। ୨୧ତମ ମିନିଟ୍‌ରେ ଓଡ଼ିଶା ଖେଳାଳି ଚେନ୍ନାୟିନ୍‌ର ‌‌େଗାଲ୍‌ ପୋଷ୍ଟ୍‌ ଭିତରକୁ ବଲ୍‌ ପଠାଇ ଦେଇଥିଲେ। ହେଲେ ଫାଉଲ୍‌ ହେବାରୁ ଏହାକୁ ରେଫରି ଆଇନ ସମ୍ମତ ଗୋଲ୍‌ ଭାବେ ଗଣି ନଥିଲେ। ୨୪ତମ ମିନିଟ୍‌ରେ ଚେନ୍ନାୟିନ୍‌କୁ ଏକ ପେନାଲ୍‌ଟି ମିଳିଥିଲା। ଏହି ସୁବର୍ଣ୍ଣ ସୁଯୋଗକୁ ଦଳର ତାରକା ଖେଳାଳି ନେରିଜସ୍‌ ଭାଲସ୍କିସ୍‌ ହାତଛଡ଼ା କରିଥିଲେ। ୨୬ତମ ମିନିଟ୍‌ରେ ଓଡ଼ିଶାର ଆରିଦାନା ସାନ୍ତନା ଏକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲେ। ତେବେ ୩୭ତମ ମିନିଟ୍‌ରେ ନନ୍ଦକୁମାର ଶେଖରଙ୍କ ପାସ୍‌କୁ ଗୋଲ୍‌ରେ ରୂପାନ୍ତର କରି ଜେରି ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। ଏହାର ୪ ମିନିଟ୍‌ ପରେ ଅଧିନାୟକ ମାର୍କସ୍‌ ତିବରଙ୍କ ସହଯୋଗରେ ଭିନିତ ରାୟ (୪୧ ମିନିଟ୍‌) ଓଡ଼ିଶା ପାଇଁ ଦ୍ବିତୀୟ ଗୋଲ୍‌ ସ୍କୋର୍‌ କରିଥିଲେ। ଘରୋଇ ଦଳ ୨-୦ରେ ଆଗୁଆ ରହି ପ୍ରଥମାର୍ଧ ଶେଷ କରିଥିଲା। ଦ୍ବିତୀୟାର୍ଧ‌ରେ ଉଭୟ ଦଳ କଡ଼ା ସଂଘର୍ଷ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲେ। ଶେଷରେ ଓଡ଼ିଶା ୨-୦ରେ ବିଜୟୀ ହେବା ସହ ୩ ମହତ୍ବପୂର୍ଣ୍ଣ ପଏଣ୍ଟ୍‌ ହାତେଇ ଥିଲା। ତା’ ସହ ମୋଟ ୧୫ ପଏଣ୍ଟ୍‌ ପାଇ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉଠିଥିଲା। ସଂପ୍ରତି ଦଳ ଚତୁର୍ଥ ସ୍ଥାନରେ ଥିବା ମୁମ୍ବାଇ ସିଟି ଏଫ୍‌ସିଠୁ ମାତ୍ର ଗୋଟିଏ ପଏଣ୍ଟ୍‌ ପଛରେ ରହିଛି। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମାର୍କସ ତେବରଙ୍କୁ ମିଳିଥିଲା ବେଳେ ଆରିଦେନେ ସାନ୍ତନାଙ୍କୁ ବିଜୟୀ ପାସ୍‌, ଜେରିଙ୍କୁ ଉଦୀୟମାନ ଖେଳାଳି ଏବଂ ବିନିତ କୁମାରଙ୍କୁ ହିରୋ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଥିଲା। ମ୍ୟାଚ୍‌ ଆରମ୍ଭରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କ ସହ କରମର୍ଧନ କରିଥିଲେ। ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ ପାଇଁ ସଂପ୍ରତି ଭୁବନେଶ୍ବରରେ ଥିବା ଭାରତୀୟ ହକି ଦଳ ଏହି ମ୍ୟାଚ୍‌ର ମଜା ନେଇଥିଲା। ଖେଳାଳିମାନେ ଗ୍ୟାଲେରିରେ ବସି ଉଭୟ ଦଳକୁ ସମର୍ଥନ କରିଥିଲେ।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe