ଓଡ଼ିଶା ଏଫ୍‌ସିର ‘ଖାଣ୍ଟି ଓଡ଼ିଆ‌’ ଜର୍ସି

Advertisment
ଓଡ଼ିଶା ଏଫ୍‌ସିର ‘ଖାଣ୍ଟି ଓଡ଼ିଆ‌’ ଜର୍ସି

ଭୁବନେଶ୍ବର: ଚଳିତ ମାସ ୨୦ ତାରିଖରୁ ଗୋଆରେ ଆରମ୍ଭ ହେବାକୁ ଥିବା ଆଇଏସ୍‌ଏଲ୍‌ (ଇଣ୍ଡିଆନ୍ ସୁପରଲିଗ୍) ଫୁଟ୍‌ବଲ୍ ପ୍ରତିଯୋଗିତାର ଠିକ୍ ପୂର୍ବରୁ ଭୁବନେଶ୍ବର ଭିତ୍ତିକ ଏବଂ ରାଜ୍ୟର ପ୍ରଥମ ଓ ଏକମାତ୍ର ପେସାଦାର ଫୁଟ୍‌ବଲ୍ ଦଳ ‘ଓଡ଼ିଶା ଏଫ୍‌ସି’ ତା’ର ନୂଆ ପୋଷାକ ଉନ୍ମୋଚନ କରିଛି। ଦଳର ନୂଆ ଜର୍ସି ଡିଜାଇନରେ ଓଡ଼ିଶାର ସମୃଦ୍ଧ ତଥା ମହନୀୟ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଏଥିରେ ‘ଖାଣ୍ଟି ଓଡ଼ିଆ’ ତତ୍ତ୍ବକୁ ଗୁରୁତ୍ବ ଦିଆଯାଇଛି। ‘‘ଓଡ଼ିଶା ଏମିତି ଏକ ରାଜ୍ୟ ଯାହା ବହୁ ବିଧ୍ବଂସୀ ଓ ପ୍ରଳୟଙ୍କାରୀ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ହେଲେ ସବୁବେଳେ ପାଉଁଶ ଗଦାରୁ ସାହସର ସହ ଉଠି ପୁଣି ଥରେ ବିକାଶ ଓ ସଫଳତାର ପଥରେ ଅଗ୍ରସର ହୋଇଛି। ସଂପ୍ରତି ଏହା ଦେଶର କ୍ରୀଡ଼ା କ୍ୟାପିଟାଲ ପାଲଟିଛି। ଏହି ପ୍ରେରଣାଦାୟୀ ଭାବନାକୁ ନୂଆ ଜର୍ସିର ରଙ୍ଗ ଓ ଡିଜାଇନ୍‌ରେ ଗୁରୁତ୍ବ ଦିଆଯାଇଛି।

ରାତି ଦିନ ପରିଶ୍ରମ କରି ଖେଳାଳିମାନଙ୍କୁ ଫିଟ୍ ଓ ସତେଜ ରଖିବାରେ ଲଗିଥିବା ସପୋର୍ଟ ଷ୍ଟାଫ୍‌ ପ୍ରଥମେ ଏହି ଜର୍ସି ପରିଧାନ କରିବାର ସୁଯୋଗ ପାଇଛନ୍ତି। ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଆତ୍ମାକୁ କ୍ଲବ୍ ନୂଆ ଜର୍ସି ମାଧ୍ୟମରେ ସମ୍ମାନ ଜଣାଇଛି। ଜର୍ସି ଉନ୍ମୋଚନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କ୍ଲବ୍‌ର ସଭାପତି ରୋହନ ଶର୍ମା କହିଛନ୍ତି ଯେ ଚଳିତ ବର୍ଷର ଜର୍ସି ଆମ ପାଇଁ ସ୍ବତନ୍ତ୍ର। ଏଥିରେ ଓଡ଼ିଶାର କଳା ସଂସ୍କୃତିକୁ ଗୁରୁତ୍ବ ଦେବାକୁ ଆମେ ଚିନ୍ତା କରିଥିଲୁ। ପ୍ରଶଂସକମାନେ ଯେତେବେଳେ ଏହି ଜର୍ସି ପିନ୍ଧିବେ, ସେମାନେ ଓଡ଼ିଶା ସହ ଏକ ଆବେଗପୂର୍ଣ୍ଣ ସଂପର୍କ ସ୍ଥାପନ କରିପାରିବେ। ପ୍ରଶଂସକଙ୍କ ଆଗ୍ରହ ମୁତାବକ ଆମେ ଏଥରର ଜର୍ସି ରଙ୍ଗକୁ ବାଇଗଣୀ ରଖିଛି। ଆଗକୁ ମଧ୍ୟ କଳା ଏବଂ ବାଉଗଣୀ ରଙ୍ଗ ଆମ ଘରୋଇ ଜର୍ସିର ରଙ୍ଗ ହେବ। ଏହା ଡିଜାଇନ୍‌କୁ ନେଇ ମୁଁ ଅତ୍ୟନ୍ତ ଗର୍ବିତ’’। କ୍ଲବ୍‌ର ଫୁଟବଲ୍ ପରିଚାଳନା ମୁଖ୍ୟ ଅଭିକ ଚାଟାର୍ଜୀ ଓଡ଼ିଶା ଓ ଓଡ଼ିଆଙ୍କ ଲଢ଼ୁ୍ଆ ମନୋଭାବକୁ ପ୍ରଶଂସା କରିବା ସହ ପ୍ରତିବର୍ଷ ପ୍ରଳୟଙ୍କାରୀ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶାର ସାହସ ଓ ସଫଳତାର ସହ ମୁକାବିଲା କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଆମ ନୂଆ ପୋଷାକ ମଧ୍ୟ ଏହି ଭାବନାକୁ ଦର୍ଶାଉଛି ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ଓଡ଼ିଶା ଏଫ୍‌ସି ଚଳିତବର୍ଷ ହାଇଦ୍ରାବାଦ ଏଫ୍‌ସି ବିପକ୍ଷରୁ ତା’ର ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe