ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ ହକି ଗ୍ରାଉଣ୍ଡରେ ଗୁରୁବାର ୨ଟି ମ୍ୟାଚରେ ଦର୍ଶକମାନେ ୬ଟି ଗୋଲ ଦେଖିଛନ୍ତି। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର କ୍ୱାର୍ଟରଫାଇନାଲ ମ୍ୟାଚରେ ନେଦରଲାଣ୍ଡସ୍ ଗୁରୁବାର ଭାରତକୁ ୨-୧ ଗୋଲରେ ପରାସ୍ତ କରି ଥିବା ବେଳେ ବେଲଜିୟମ୍ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି।
ଉଭୟ ନେଦରଲାଣ୍ଡସ୍ ଏବଂ ବେଲଜିୟମ୍ ଟିମ୍ ସେମିଫାଇନାଲରେ ପ୍ରବେଶ କରିଛି। ନେଦରଲାଣ୍ଡସ୍ ଆଗାମୀ ଡିସେମ୍ବର ୧୫ରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଥିବା ବେଳେ ବେଲଜିୟମ ସହିତ ଇଂଲଣ୍ଡର ମୁକାବିଲା ହେବ।
ବିଶ୍ୱକପ୍ର ୧୪ତମ ସଂସ୍କରଣ ଆଉ ୨ ଦିନ ପରେ ଶେଷ ହେବ। ଓଡ଼ିଶାରେ ଅଥବା କଳିଙ୍ଗ ହକି ଗ୍ରାଉଣ୍ଡରେ ପୁଣି ଥରେ କେବେ ବିଶ୍ୱକପ୍ର ଆୟୋଜନ ହେବ ତାହା ଏବେ ଠାରୁ କେହି କହି ହେବ ନାହିଁ। ଯେହେତୁ ଏବେ ହକି ବିଶ୍ୱକପ୍ ଚାଲିଛି, ଏହାକୁ ଦେଖିବାର ସୁଯୋଗ ହାତ ଛଡ଼ା କରି ନାହାନ୍ତି ଭୁବନେଶ୍ୱର ତଥା ଓଡ଼ିଶାର ହକିପ୍ରେମୀ। ଆସନ୍ତା ରବିବାର ଫାଇନାଲ ମ୍ୟାଚ ପାଇଁ ଟିକେଟ ମିଳିବା କଷ୍ଟ ହୋଇଯାଇଛି। କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।
Follow Us