ଆଇଏସ୍‌ଏଲ୍‌ରେ ଆଜି ଓଡ଼ିଶା-ହାଇଦ୍ରାବାଦ ଭେଟ

ଆଇଏସ୍‌ଏଲ୍‌ରେ ଆଜି ଓଡ଼ିଶା-ହାଇଦ୍ରାବାଦ ଭେଟ

ଭୁବନେଶ୍ବର: ଆଇଏସ୍‌ଏଲ୍‌ରେ ସଂଘର୍ଷରତ ଓଡ଼ିଶା ଏଫ୍‌ସି‌ ଚଳିତ ଋତୁରେ ଦ୍ବିତୀୟ ଥର ପାଇଁ ମଙ୍ଗଳବାର ଭେଟିବ ହାଇଦ୍ରାବାଦ ଏଫସିକୁ। ଭଲ ଖେଳୁଥିଲେ ମଧ୍ୟ ଓଡ଼ିଶା ଏଫ୍‌ସି ଏହ‌ାକୁ ବିଜୟରେ ରୂପାନ୍ତର କାରିପାରୁନଥିବାରୁ ଚାପରେ ରହିଛି। ହାଇଦ୍ରାବାଦ ବିପକ୍ଷରେ ଦଳ ଉନ୍ନତ ପ୍ରଦର୍ଶନ କରିବ ବୋଲି ଏହି ଭୁବନେଶ୍ବର ଦଳର ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର୍ ପ୍ରକାଶ କରିଛନ୍ତି। ନଭେମ୍ବର ମାସ ମୁକାବିଲାରେ ହାଇଦ୍ରାବାଦଠାରୁ ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୦-୧ରେ ହାରିଥିବାରୁ ଷ୍ଟିଭେନ୍ ଟେଲରଙ୍କ ଦଳ ପ୍ରତିଶୋଧ ନେବା ଆଶାରେ ରହିବ। ହାଇଦ୍ରାବାଦ କିନ୍ତୁ ଓଡ଼ିଶା ବିପକ୍ଷରେ ଯୁଗଳ ବିଜୟ ସହ ଶୀର୍ଷ ୪ ଭିତରେ ନିଜ ସ୍ଥାନକୁ କ୍ରମେ ଦୃଢ଼ କରିବା ଲକ୍ଷ୍ୟରେ ରହିବ। ଏମିତି ବି ହାଇଦ୍ରାବାଦ ନିଜ ବିଗତ ୩ ମ୍ୟାଚ୍‌ରୁ ୨ ଜିତି ଅପରାଜିତ ରହିଛି। ପଏଣ୍ଟ୍‌ ଟେବୁଲରେ ବି ଦୁଇ ଦଳର ଫରକ ପ୍ରତିଫଳିତ ହୋଇଛି। ଉଭୟ ୧୧ ଲେଖାଏଁ ମ୍ୟାଚ୍‌ ଖେଳିଥିବାବେଳେ ହାଇଦ୍ରାବାଦ ୧୬ ପଏଣ୍ଟ ସହ ଚତୁର୍ଥରେ ଏବଂ ଓଡ଼ିଶା ମାତ୍ର ୬ ପଏଣ୍ଟ୍ ସହ ୧୧ ଦଳୀୟ ଲିଗ୍‌ରେ ଶେଷ ସ୍ଥାନରେ ରହିଛି।

ଲୋନ୍‌ରେ ଆସିଲେ ରାକେଶ ହାଇଦ୍ରାବାଦ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମୁକାବିଲା ପୂର୍ବରୁ ଓଡ଼ିଶା ଏଫ୍‌ସି ଯୁବ ଡିଫେଣ୍ଡର୍‌ ରାକେଶ ପ୍ରଧାନଙ୍କୁ ନର୍ଥଇଷ୍ଟ୍ ୟୁନାଇଟେଡ୍‌ ନିକଟରୁ ଲୋନ୍‌ରେ ଆଣିଛି। ଶିଲଂ ଲାଜଙ୍ଗର ଏହି ପୂର୍ବତନ ଫୁଲ୍‌ବ୍ୟାକ୍‌ ଓଡ଼ିଶା ଏଫସି ସହିତ ଚଳିତ ଋତୁ ଶେଷ ଯାଏଁ ଚୁକ୍ତିବଦ୍ଧ ହୋଇଛନ୍ତି। ୨୦୧୭-୧୮ ଋତୁରେ ଶିଲଂ ଲାଜଙ୍ଗ ପାଇଁ ଆଇ ଲିଗ୍‌ ଖେଳିଥିବା ରାକେଶ ଗତବର୍ଷ ନର୍ଥଇଷ୍ଟ ୟୁନାଇଟେଡ୍‌ ପାଇଁ ଚୁକ୍ତିବଦ୍ଧ ହୋଇ ୧୫ ମ୍ୟାଚ୍‌ ଖେଳିଥିଲେ। ଏହି ବାମପାଦୀଙ୍କ ଉପସ୍ଥିତି ଦଳରେ ସନ୍ତୁଳନ ଭରି ଦେବ ବୋଲି ଆଶା ପ୍ରକାଶ କରିଛନ୍ତି ଓଡ଼ିଶା ଏଫ୍‌ସି ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର୍‌। ଚଳିତ ଋତୁର ଅବଶିଷ୍ଟ ମ୍ୟାଚ୍‌ ପାଇଁ ଓଡ଼ିଶା ସହ ଯୁକ୍ତିବଦ୍ଧ ହୋଇଥିବାରୁ ଖୁସି ହୋଇଛନ୍ତି ରାକେଶ। ଦଳ ପାଇଁ ନିଜ ଶ୍ରେ‌ଷ୍ଠ ପ୍ରଦର୍ଶନ ଦେବାକୁ ସେ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।

ଚେନ୍ନାୟିନ୍‌-ଇଷ୍ଟବେଙ୍ଗଲ୍ ‌ଗୋଲଶୂନ୍ୟ
ସୋମବାର ମ୍ୟାଚ୍‌ ଚେନ୍ନାୟିନ୍ ଏଫସି ଏବଂ ଏସ୍‌ସି ଇଷ୍ଟବେଙ୍ଗଲ୍ ମଧ୍ୟରେ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ମ୍ୟାଚ୍‌ର ଦୁଇ ତୃତୀୟାଂଶ ଭାଗ ଏସ୍‌ସି ଇଷ୍ଟବେଙ୍ଗଲ୍‌ ୧୦ ଜଣରେ ଖେଳିଥିଲେ ମଧ୍ୟ ଚେନ୍ନାୟିନ୍ ଏହାର ଫାଇଦା ଉଠାଇ ପାରିନଥିଲା। ଉଭୟ ଦଳ ନିଜ ନିଜ ୧୨ତମ ମ୍ୟାଚ୍‌ ଖେଳିଥିବାବେଳେ ଚେନ୍ନାଇ ୧୫ ପଏଣ୍ଟ ସହ ଷଷ୍ଠରେ ଏବଂ ଇଷ୍ଟବେଙ୍ଗଲ୍‌ ୧୨ ପଏଣ୍ଟ ସହ ନବମରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe