ଓଡ଼ିଶା ସଫଳତା ସଂଯୋଗର ଦଶମ ବାର୍ଷିକୀ: ମହିଳା ଫୁଟ୍‌ବଲ୍‌ ଜାତୀୟ ବିଜେତା, ଗଣେଶ ଜେନା ଏଭେରେଷ୍ଟ୍‌ର

Advertisment

ବହୁ ସଂଘର୍ଷର ଫଳ ପାଇଥିଲୁ: ଶ୍ରଦ୍ଧାଞ୍ଜଳି

ବହୁ ସଂଘର୍ଷର ଫଳ ପାଇଥିଲୁ: ଶ୍ରଦ୍ଧାଞ୍ଜଳି

ଓଡ଼ିଶା ସଫଳତା ସଂଯୋଗର ଦଶମ ବାର୍ଷିକୀ: ମହିଳା ଫୁଟ୍‌ବଲ୍‌ ଜାତୀୟ ବିଜେତା, ଗଣେଶ ଜେନା ଏଭେରେଷ୍ଟ୍‌ର

ଭୁବନେଶ୍ବର(ସୁରେଶ ସ୍ବାଇଁ): ଆଜକୁ ଠିକ୍ ୧୦ ବର୍ଷ ତଳେ ଓଡ଼ିଶା କ୍ରୀଡ଼ା ଦୁନିଆରେ ଏକ ଅପୂର୍ବ ସଂଯୋଗ ଘଟିଥିଲା। ୨୦୧୧ ମସିହା ମେ’ ୧୮ ତାରିଖ ଦିନ ଗୋଟିଏ ଦିବସରେ ଦୁଇ ଦୁଇଟି ବଡ଼ ଉପଲବ୍‌ଧି ଅର୍ଜନ କରିଥିଲା ଓଡ଼ିଶା। ଛତିଶଗଡ଼ର ଭିଲାଇରେ ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଦଳ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତାରେ ବିଜୟ ମୁକୁଟ ପରିଧାନ କରିଥିଲା। ଠିକ୍ ସେହି ଦିନ ଓଡ଼ିଶାର ଦୁଃସାହସୀ କ୍ରୀଡ଼ାବିତ୍‌ ଗଣେଶ ଚନ୍ଦ୍ର ଜେନା ପ୍ରଥମ ଓଡ଼ିଆ ପୁରୁଷ ଭାବେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଶିଖର ପହଞ୍ଚି ଓଡ଼ିଶା କ୍ରୀଡ଼ାରେ ଆଉ ଏକ ନୂଆ ଫର୍ଦ ଯୋଡ଼ି ଦେଇଥିଲେ। ଭିଲାଇରେ ଓଡ଼ିଶା ମହିଳା ଫୁଟ୍‌ବଲ୍ ଦଳ ଆଲୋଚନା ସେନାପତିଙ୍କ ନେତୃତ୍ବରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବେଙ୍ଗଲକୁ ୫-୦ରେ ହରାଇ ପ୍ରତିଶୋଧ ନେବା ସହ ବିଜେତା ହୋଇଥିଲା।

ଯେଉଁ ସଫଳତାକୁ ଓଡ଼ିଶା ଏ ପର୍ଯ୍ୟନ୍ତ ବି ଥରୁଟିଏ ଦୋହରାଇ ପାରିନାହିଁ। ତେବେ ଗଣେଶଙ୍କ ପଦାଙ୍କ ଅନୁସରଣ କରି ଅନେକ ଓଡ଼ିଆ ଏଭେରେଷ୍ଟ୍‌ ଆରୋହଣର ସଫଳତା ଅର୍ଜନ କରିପାରିଛନ୍ତି। ଗଣେଶଙ୍କ ପରେ ଦେବୀଦତ୍ତ ପଣ୍ଡା, ‌ଯୋଗବ୍ୟାସ ଭୋଇ, ସ୍ବର୍ଣ୍ଣଲତା ଦଳାଇ, ଏଭେରେଷ୍ଟ୍ ଦମ୍ପତି ଚେତନା ସାହୁ-ପ୍ରଦୀପ ସାହୁ ଏହି ତାଲିକାରେ ଯୋଡ଼ି ହୋଇପାରିଥିଲେ। ତେବେ ଗଣେଶଙ୍କ ବହୁ ପୂର୍ବରୁ ୨୦୦୬ରେ କଳ୍ପନା ଦାଶ ପ୍ରଥମ ଓଡ଼ିଆ ଭାବେ ଏଭ‌େରେଷ୍ଟ୍ ଆରୋହଣ କରିଥିବା ବେଳେ ୨୦୧୯ରେ ଦ୍ବିତୀୟ ପ୍ରୟାସ ବେଳେ ଏଭେରେଷ୍ଟ୍ ଶିଖରରେ ହିଁ ତାଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା।

ଜାତୀୟ ପ୍ରତିଯୋଗିତାରେ ଯଦି କୌଣସି ଓଡ଼ିଶା ଦଳ ସବୁଠୁ ସଫଳତମ ବୋଲି କୁହାଯିବ ତେବେ ମହିଳା ଫୁଟ୍‌ବଲ୍ ଦଳ ନିଶ୍ଚିତ ଆଗରେ ରହିବ। ଦୁଇ ଦଶନ୍ଧି ଧରି ସଂଘର୍ଷ କରିବା ପରେ ଓଡ଼ିଶା ଦଳ କେତେବେଳେ ମଣିପୁରଠାରୁ ତ କେତେବେ‌ଳେ ବେଙ୍ଗଲ ନିକଟରୁ ହାରି ଜାତୀୟ ମୁକୁଟରୁ ବଞ୍ଚିତ ରହୁଥିଲା। ୨୦୧୧ ମସିହା ମେ ୧୮ ତାରିଖରେ କିନ୍ତୁ ଭିଲାଇଠାରେ ଖେଳାଯାଇଥିବା ଫାଇନାଲରେ ଓଡ଼ିଶା ୫-୦ରେ ବେଙ୍ଗଲକୁ ପରାସ୍ତ କରି ପ୍ରଥମ ଥର ଜାତୀୟ ଟ୍ରଫି ଜିତି ବହୁ ପ୍ରତୀକ୍ଷାର ଅନ୍ତ ଘଟାଇଥିଲା। ‘ବହୁତ ଦିନ ଧରି ପରିଶ୍ରମ କରିବାର ଫଳ ଆମକୁ ଶେଷରେ ମିଳିଥିଲା। ଖୁସିରେ ଆମେ ସବୁ ବିଭୋର ହୋଇଯାଇଥିଲୁ। ଦଳର ସବୁ ଖେଳାଳି ପୂର୍ବରୁ ସଙ୍କଳ୍ପ କରି ଯାଇଥିଲେ। ଏଥର ନିଶ୍ଚିତ ଟ୍ରଫି ଜିତି ଆସିବା। ସବୁ ଖେଳାଳି ମଧ୍ୟ ନିଜ ନିଜ ୧୦୦ ପ୍ରତିଶତ ଦମ୍‌ ଲଗାଇ ଦେଇଥିଲେ।’ ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ବିଜୟର କର୍ଣ୍ଣଧାର ସାଜିଥିବା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ। ଏହି ସଫଳତା ଆଉ ଦୋହରିପାରିନଥିବାରୁ ଶ୍ରଦ୍ଧାଞ୍ଜଳି ଦୁଃଖ ପ୍ରକାଶ କରିଥିଲେ।

ଜଗନ୍ନାଥଙ୍କୁ ଡାକି ଶିଖର ଛୁଇଁଥିଲି: ଗଣେଶ
ପ୍ରଥମ ପ୍ରୟାସରେ ଏଭେରେଷ୍ଟ ଶିଖର ଛୁଇଁଥିଲି, କିନ୍ତୁ ୩୯ ଦିନର ଏହି ଯାତ୍ରାର ସ୍ବପ୍ନ ସାକାର ହେବାକୁ ମାତ୍ର ୨୦୦ ମିଟର୍ ପୂର୍ବରୁ ଆଉ ଆଗକୁ ଯିବାକୁ ମୋ ଶରୀର ସାଥ ଦେଇନଥିଲା। ହିଲାରି ଷ୍ଟେପ୍‌ରେ ପହଞ୍ଚିବା ପରେ ଆଉ ବଳ ପାଉନଥିଲା। ଅମ୍ଳଜାନ ପାଇବା ବି କଷ୍ଟକର ହୋଇଥିଲା। ଗୋଟିଏ ରାତି ଓ ଦିନ ଚାଲି ଚାଲି ସେଠାରେ ପହଞ୍ଚିଥିବାରୁ କ୍ଲାନ୍ତ ହୋଇପଡ଼ିଥିଲି। ସେହିଠାରେ ଅଭିଯାନ ଶେଷ କରିଦେବି ବୋଲି ଭାବିଥିଲି। କିନ୍ତୁ ସେର୍ପା ମୋତେ ଚକଲେଟ୍ ଓ ପାଣି ଦେଇ ଉତ୍ସାହିତ କରିଥିଲେ। ଏହା ପରେ ମୁଁ କେବଳ ଜଗନ୍ନାଥଙ୍କୁ ଡାକି ଅବଶିଷ୍ଟ ୨୦୦ ମିଟର୍‌ ପଥ ଅତିକ୍ରମ କରିଯାଇଥିଲି। ୨୦୧୧ ମେ’ ୧୮ ତାରିଖ ସକାଳ ୯.୧୫ରେ ଶିଖର ଛୁଇଁବା ପରେ ମନରେ ଖୁସି ଥିଲା, କିନ୍ତୁ ଶରୀରର କ୍ଲାନ୍ତି କାରଣରୁ ଅଧିକ ଆନନ୍ଦିତ ହୋଇପାରିନଥିଲି। ନେପାଳ ପଟୁ ଏଭେରେଷ୍ଟ୍ ଚଢ଼ିବା ସବୁଠାରୁ ଆହ୍ବାନଭରା ଥିଲେ ମଧ୍ୟ ଏଥିରେ ସଫଳ ହୋଇଥିବାରୁ ଏହାକୁ ମୁଁ ଗର୍ବିତ ଓ ଗୌରବାନ୍ବିତ। ଭବିଷ୍ୟତରେ ଚାଇନା ପଟୁ ଚଢ଼ିବାର ଅଭିଳାଷକୁ ପୂର୍ଣ୍ଣ କରିପାରିବି କି ନା ସନ୍ଦୀହାନ ରହିଛି ବୋଲି ଗଣେଶ ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ।

ବାର୍ଷିକୀରେ ବାର୍ତ୍ତା ଦେଲେ
ଏଭ‌େରେଷ୍ଟ୍ ବିଜୟର ଦଶମ ବାର୍ଷିକୀ ଅବସରରେ ଗଣେଶ ଚନ୍ଦ୍ର ଜେନା ଏହି ସ୍ମରଣୀୟ ଦିବସକୁ ମନେ ପକାଇଛନ୍ତି। ଦୀର୍ଘଦିନର ପ୍ରସ୍ତୁତି ଓ ସ୍ବପ୍ନକୁ ସାକାର କରି‌ବାର ସୁଫଳ ସାରା ଜୀବନ ସାଥୀରେ ରହିବ ବୋଲି କହିଛନ୍ତି। ଚଳିତ କୋଭିଡ୍‌ ମହାମାରୀ କାରଣରୁ ଏଥି ଲାଗି କୌଣସି ଉତ୍ସବ ସମ୍ଭବ ହୋଇନଥିଲେ ମଧ୍ୟ ଗଣେଶ ସାମାଜିକ ଦାୟିତ୍ବଠାରୁ ଦୂରେଇ ନାହାନ୍ତି। ଗତବର୍ଷ କୋଭିଡ୍‌ ସମୟରେ ଖାଦ୍ୟ ବଣ୍ଟନ କରି ନଜରକୁ ଆସିଥିଲେ। ଏଥର ସଚେତନତା ବାର୍ତ୍ତା ଜରିଆରେ ଜୀବନ ରକ୍ଷା ଲାଗି ଚେଷ୍ଟା କରିଛନ୍ତି। କୋଭିଡରୁ ମୁକ୍ତି ପାଇବା ଲାଗି କେବଳ ଟିକା ପଛରେ ନ ପଡ଼ି ଲୋକମାନେ ଅନ୍ୟ ସଚେତନତାର ସୂତ୍ର ସବୁ ମାନିବାକୁ ଆହ୍ବାନ ଦେଇଛନ୍ତି। ‘ସାମାଜିକ ଦୂରତା ଟିକାଠାରୁ ବି ବଡ଼ ପ୍ରଭାବୀ, ମୁଖା ପରିଧାନ କରନ୍ତୁ, ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ, ସରକାରଙ୍କ ସମସ୍ତ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ’ ବୋଲି ଗଣେଶ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଆମେ ନିଶ୍ଚିତ ଏହି ଅଦୃଶ୍ୟ ଯୁଦ୍ଧରେ ବିଜୟୀ ହେବା ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe