ଭୁବନେଶ୍ବର: ଚଳିତମାସ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମଥୁରାଠାରେ ଆୟୋଜିତ ହେବାକୁ ଥିବା ନବମ ଜାତୀୟ ଲେଗ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ଚନ୍ଦନ ରାୟଙ୍କ ନେତୃତ୍ବରେ ୧୫ ଜଣିଆ ଓଡ଼ିଶା ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି। ଗତଥର ଭଳି ଏଥର ମଧ୍ୟ ରାଜ୍ୟ ଦଳ ବିଜେତା ହେବ ବୋଲି ଦଳର ଅଧିନାୟକ ଚନ୍ଦନ ଦୃଢ଼ ଆଶା ପୋଷଣ କରିଛନ୍ତି। ଓଡ଼ିଶା ଦଳ ଶୁକ୍ରବାର ମଥୁରା ଅଭିମୁଖେ ଯାତ୍ରା କରିବାର ଅଛି। ଲେଗ୍ କ୍ରିକେଟ୍ ଏକ ଅଣପାରମ୍ପରିକ ଖେଳ ହୋଇଥିଲା ବେଳେ ଚନ୍ଦନଙ୍କ ପ୍ରୟାସରେ ଓଡ଼ିଶାରେ ଏହା ଧୀରେଧୀରେ ଲୋକପ୍ରିୟ ହେବାରେ ଲାଗିଛି। ତାଙ୍କ ନେତୃତ୍ବରେ ହିଁ ଗତବର୍ଷ ଓଡ଼ିଶା ଜାତୀୟ ବିଜେତା ହେବା ପରେ ରାଜ୍ୟର ଯୁବ ଏବଂ ଉଦୀୟମାନ ଖେଳାଳିମାନେ ଏହି ଖେଳ ପ୍ରତି ଅଧିକ ଆକର୍ଷିତ ହେଉଥିବା ସେ ପ୍ରକାଶ କରିଛନ୍ତି।
ଚନ୍ଦନ ମଧ୍ୟ ସଂପ୍ରତି ଜାତୀୟ ଦଳର ଅଧିନାୟକ ଅଛନ୍ତି। ୨୦୧୩ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଚନ୍ଦନଙ୍କ ନେତୃତ୍ବରେ ଭାରତ ସେହିବର୍ଷ ପ୍ରଥମ ଇଣ୍ଡୋ-ନେପାଳ ଟି-୧୦ ଲେଗ୍ କ୍ରିକେଟ୍ ପ୍ରତିଯୋଗିତା ଜିତିଥିଲା। ୨୦୧୬ରେ ସେ ଭାରତୀୟ ଦଳକୁ ସାଫ୍ ବିଜେତା କରାଇଥିଲେ। ୨୦୧୬ ମସିହାରେ ତାଙ୍କୁ ଖେଳ ଗୌରବ ପୁରସ୍କାର ମିଳିଥିଲା। ୧୯୯୮ ମସିହା ଅଗଷ୍ଟ ୨୯ ତାରିଖରେ ବରଗଡ଼ର ଅତାବୀରାରେ ଜନ୍ମଗ୍ରହଣ କରିଥିବା ଚନ୍ଦନ ଲେଗ୍ କ୍ରିକେଟ୍ର ପ୍ରଚାର ପ୍ରସାର ଲାଗି ଆମାଗୀ ସମୟରେ ବ୍ୟାପକ ପଦକ୍ଷେପ ନେବାକୁ ଲକ୍ଷ୍ୟ ଓ ଆଶା ରଖିଛନ୍ତି।
ଓଡ଼ିଶା ଦଳ: ଚନ୍ଦନ ରାୟ (ଅଧିନାୟକ), ତୁଷାର ମେହେର (ଉପଅଧିନାୟକ), ସୌମ୍ୟରଞ୍ଜନ ସାହୁ, ତୁଷାର ସିଂହଦେଓ, କମଲଜୀତ ସିଂହ, ସୁରଜ ମିଞ୍ଜ, ଅଂଶୁମାନ ବେହେରା, ସୁନିଲ ମୁଣ୍ଡା, ବିନୋଦ ଓରାମ, ସୌମ୍ୟରଞ୍ଜନ ବେହେରା, ଆଶିଷ ଲାକ୍ରା, ସୌରଭ କୁମାର ଦେଓ, ସିଦ୍ଧାନ୍ତ ସିଂହ, ରୋହିତ ଉପାଧ୍ୟାୟ, ନିଖିଲ ମୁଣ୍ଡା।
Follow Us