ଭୁବନେଶ୍ବର: ସମ୍ମାନଜନକ ନଗେଶ ଟ୍ରଫି ଦୃଷ୍ଟିହୀନ ସର୍ବଭାରତୀୟ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ମୁକୁଟ ହାସଲ କରିଛି। କୋଲକାତାର ଇଡେନ୍ ଗାର୍ଡେନ୍ସରେ ରବିବାର ଖେଳାଯାଇଥିବା ଫାଇନାଲ୍ରେ ଓଡ଼ିଶା ୧୪ ରନ୍ରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଥିଲା। ଓଡ଼ିଶା ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ଜବାବରେ ଆନ୍ଧ୍ରପ୍ରଦେଶ ୧୯୧/୫ରେ ସୀମିତ ରହିଥିଲା। ବି-୩ରେ ପଙ୍କଜ ଭୁଇ ଏବଂ ବି-୧ରେ ମହମ୍ମଦ ଜାଫର ଇକବାଲ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଜାତୀୟ ଦଳର ଅଧିନାୟକ ଆନ୍ଧ୍ରପ୍ରଦେଶର ଅଜୟ ରେଡ୍ଡୀ ବି-୨ରେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ପଙ୍କଜ ଭୁଇ ସେମିଫାଇନାଲ୍ ଓ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଜିତିଥିଲେ। ବିଜେତା ଓଡ଼ିଶା ଦଳକୁ କ୍ୟାବି (କ୍ରିକେଟ୍ ଆସୋସିଏସନ୍ ଫର ବ୍ଲାଇଣ୍ଡ୍ ଇନ୍ ଇଣ୍ଡିଆ) ପକ୍ଷରୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଓଡ଼ିଶା ଦଳକୁ ମୁଖ୍ୟ ଉପଦେଷ୍ଠା ପ୍ରକାଶ ରଥ, ଓଡ଼ିଶା ସମ୍ପାଦକ ସନ୍ୟାସ କୁମାର ବେହେରା, ମହିଳା ଦଳ ମୁଖ୍ୟ ପରାମର୍ଶଦାତା ଅର୍ପିତା ମହାପାତ୍ର, ଉପ ସଭାପତି ଅଶୋକ କୁମାର ସାହୁ ଏବଂ ବିଆରଏମ୍ ଆଶା ଉପ ସଭାପତି ପ୍ରଦୀପ୍ତ ରଥ ଅଭିନନ୍ଦନ ଜଣାଇଛନ୍ତି।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ୨୦ ଓଭରରେ ୨୦୫/୮ (ପଙ୍କଜ ଭୁଇ-୯୪, ଲାଲ ପ୍ରସାଦ ସୋରେନ୍-୪୫, ଅତିରିକ୍ତ-୩୮, ଅଜୟ କୁମାର-୩/୨୪, ଦୁର୍ଗାରାଓ-୨/୩୦)। ଆନ୍ଧ୍ରପ୍ରଦେଶ ୨୦ ଓଭରରେ ୧୯୧/୫ (ଭେଙ୍କଟେଶ୍ବର ରାଓ-୬୫, ଥଣ୍ଡାଭା କୃଷ୍ଣା-୫୩, ତପନ ଗୌଡ଼-୧/୨୯)।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us