ଆଇଏସ୍‌ଏଲ୍‌ରେ ଓଏଫ୍‌ସିର କଳିଙ୍ଗ ବିଜୟ ଧାରା ଜାରି, ନର୍ଥଇଷ୍ଟକୁ ୨-୧ରେ ହରାଇଲା

ଆଇଏସ୍‌ଏଲ୍‌ରେ ଓଏଫ୍‌ସିର କଳିଙ୍ଗ ବିଜୟ ଧାରା ଜାରି, ନର୍ଥଇଷ୍ଟକୁ ୨-୧ରେ ହରାଇଲା

ଭୁବନେଶ୍ବର : ଚଳିତ ଆଇଏସ୍‌ଏଲ୍‌ରେ ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍‌ ଦଳ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ଘରୋଇ ବିଜୟ ଧାରା ଜାରି ରହିଛି। ନିଜ ଘରୋଇ ଷ୍ଟାଡିୟମ କଳିଙ୍ଗରେ ପୂର୍ବରୁ କେରଳ ବ୍ଲାଷ୍ଟର୍ସ (୨-୧), ବେଙ୍ଗାଲୁରୁ ଏଫ୍‌ସି (୧-୦) ଏବଂ ଚେନ୍ନାୟିନ୍‌ ଏଫ୍‌ସି (୩-୨)କୁ ମାତ୍‌ ଦେଇଥିବା ଜଗରନଟ୍ସ ଭାବେ ପରିଚିତ ଓଏଫ୍‌ସି ଶୁକ୍ରବାର ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ୨-୧ ଗୋଲ୍‌ରେ ପରାସ୍ତ କରିଦେଇଛି। ଫଳରେ ଚଳିତ ସଂସ୍କରଣରେ ଓଡ଼ିଶା ଏଫ୍‌ସି ୮ ମ୍ୟାଚ୍‌ ଖେଳି ୬ ବିଜୟ ଓ ୨ ପରାଜୟ ସହ ୧୮ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି। ମୁମ୍ବାଇ ସିଟି ଏଫ୍‌ସି (୨୧) ଶୀର୍ଷରେ ରହିଥିଲା ବେଳେ ହାଇଦ୍ରାବାଦ ଏଫ୍‌ସି (୧୬) ତୃତୀୟରେ ରହିଛି।

ଶୁକ୍ରବାର ମ୍ୟାଚ୍‌ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିବା ଜଗରନଟ୍ସ ୨୪ତମ ମିନିଟ୍‌ରେ ନନ୍ଦକୁମାର ଶେକରଙ୍କ ଗୋଲ୍‌ରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଡିଓଗୋ ମୌରିସିଓଙ୍କ ପାସ୍‌ରେ ସେ ଏହି ଗୋଲ୍‌ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧକୁ ଏହି ୧-୦ରେ ଶେଷ କରିଥିଲା ‌ଘରୋଇ ଦଳ। ଦ୍ବିତୀୟାର୍ଦ୍ଧରେ ମଧ୍ୟ ଓଏଫ୍‌ସି ଆରମ୍ଭ ଭଲ ରହିଥିଲା। ହେଲେ ୬୦ତମ ମିନିଟ୍‌ରେ ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ର ଜୋଏ ଜୋହରଲିଆନାଙ୍କ ପାସ୍‌କୁ ଗୋଲ୍‌ରେ ପରିଣତ କରି ରୋଚାରଜେଲା ସ୍ଥିତି ବରାବର କରିଦେଇଥିଲେ। ପ୍ରତ୍ୟାବର୍ତ୍ତନ ମାଷ୍ଟର ଭାବେ ପରିଚିତ ଓଏଫ୍‌ସି ଜେରି ମାୱିମିଙ୍ଗଥାଙ୍ଗା (୭୭ ମିନିଟ୍‌)ଙ୍କ ଗୋଲ୍‌ ବଳରେ ପୁଣି ଥରେ ଆଗୁଆ ହୋଇଯାଇଥିଲା। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‌ ନହେବାରୁ ଓଏଫ୍‌ସି ପୂରା ୩ ପଏଣ୍ଟ କରାୟତ୍ତ କରିନେଇଥିଲା। ଅନ୍ୟପକ୍ଷରେ ବିଜୟ ଶୂନ୍ୟ ଥିବା ନର୍ଥଇଷ୍ଟ ୟୁନାଇଟେଡ୍‌ ପଏଣ୍ଟ ଖାତା ଖୋଲିବାରେ ବିଫଳ ହୋଇଥିଲା। ବିଜୟୀ ଦଳର ସଉଲ କ୍ରେସ୍ପୋ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe