ଅଫ୍‌ ସାଇଡ୍‌: କୋହଲିଙ୍କ ତୁରୀ ବଜାଇବାକୁ ନେଇ ତର୍କ ବିତର୍କ

ଅଫ୍‌ ସାଇଡ୍‌: କୋହଲିଙ୍କ ତୁରୀ ବଜାଇବାକୁ ନେଇ ତର୍କ ବିତର୍କ

ଲଣ୍ଡନ: ଭାରତୀୟ କ୍ରିକେଟ୍ ଦଳର ମନୁଆ ଅଧିନାୟକ ବିରାଟ କୋହଲିଙ୍କ ପଡ଼ିଆ ଭିତରେ ଅଙ୍ଗଭଙ୍ଗୀ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦି ଓଭାଲ’ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍‌‌ର ଶେଷ ଦିନରେ ଘରୋଇ ଦଳର ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ଭାରତ ଯେତିକି ଯେତିକି ଐତିହାସିକ ଓ ଉତ୍କଣ୍ଠାପୂର୍ଣ୍ଣ ବିଜୟର ନିକଟତର ହେଉଥିଲା, କୋହଲିଙ୍କ ଉତ୍ସବ ପାଳନ ସେତିକି ନାଟକୀୟ ହୋଇ ଚାଲିଥିଲା। ପ୍ରଥମ ପାଳିରେ ଲଢ଼ୁଆ ଅର୍ଦ୍ଧଶତକ ଅର୍ଜନ କରି ଇଂଲଣ୍ଡକୁ ଆଗୁଆ କରିଥିବା ଓଲି ପୋପ୍‌ଙ୍କୁ ଯଶପ୍ରୀତ ବୁମ୍‌ରା ଯେତେବେଳେ ଏକ ଶାଣିତ ୟର୍କରରେ କ୍ଲିନ୍ ବୋଲ୍ଡ କଲେ କୋହଲି ବଲିଉଡ୍ ହିରୋଙ୍କ ଭଳି ତୁରୀ ବଜାଇ ଖୁସି ମନାଇଥିଲେ। ଯାହା କ୍ୟାମେରାମ୍ୟାନ୍‌ଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଫଟୋଟି ପଦାକୁ ଆସିବା ପରେ ଇଂଲଣ୍ଡ ପ୍ରଶଂସକ ତାଙ୍କୁ ‌ସାମାଜିକ ଗଣମାଧ୍ୟମରେ ଟ୍ରୋ‌ଲ୍ କରିବା ଆରମ୍ଭ କରି ଦେଇଥିଲେ। ଏପରିକି କିଛି କ୍ରିକେଟ୍ ବିଶେଷଜ୍ଞ ମଧ୍ୟ କୋହଲିଙ୍କର ଏଭଳି ଆଚରଣକୁ ପସନ୍ଦ କରିନଥିଲେ। ତେବେ ଚିରାଚରିତ ଭାବେ କୋହଲିଙ୍କ ସମର୍ଥନରେ ମଧ୍ୟ କିଛି ପୂର୍ବତନ ଅଧିନାୟକ, କ୍ରିକେଟର୍‌ ଏବଂ ବିଶେଷଜ୍ଞ ବାହାରି ପଡ଼ିଥିଲେ। ଖୋଦ୍ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ତାଙ୍କୁ ଦୃଢ଼ ସମର୍ଥନ କରିଥିଲେ। କୋହଲିଙ୍କ ପଡ଼ିଆ ଭିତରର ଏହି ବିତର୍କିତ ବ୍ୟବହାର ନେଇ କିଏ କ’ଣ କହିଥିଲେ, ଆସନ୍ତୁ ତାହା ଜାଣିବା...

 କୋହଲି ଜଣେ ଅତୁଳନୀୟ ଅଧିନାୟକ। ତାଙ୍କ ତୁରୀ ବାଦନ ସଙ୍କେତ ମୋତେ ବହୁତ ଭଲ ଲାଗିଥିଲା। କ୍ରିକେଟ୍‌କୁ ରୋମାଞ୍ଚକର କରିବା ଲାଗି ତାଙ୍କ ଭଳି ସ୍ବଭାବର ଆହୁରି ଅଧିକ କ୍ରିକେଟର୍‌ ଦରକାର। ଏହା ଦ୍ବାରା ପ୍ରଶଂସକଙ୍କ ସହ ଯୋଡ଼ିହେବାର ସମ୍ଭାବନା ବଢ଼ିଥାଏ।
-ମାଇକେଲ୍ ଭନ୍, ଇଂଲଣ୍ଡର ପୂର୍ବତନ ଅଧିନାୟକ
 କୋହଲି ଥିଲା ପର୍ଯ୍ୟନ୍ତ ଟେଷ୍ଟ୍ କ୍ରିକେଟ୍‌ ଦୀର୍ଘାୟୁ ହୋଇଚାଲିଥିବ। ତାଙ୍କ ପାଇଁ ଭାରତୀୟ ଦଳର ଆତ୍ମବିଶ୍ବାସ ଏବେ ଆକାଶଛୁଆଁ। ଧନ୍ୟବାଦ କୋହଲି, ତୁମେ ଏମିତି ଆମକୁ ମନୋରଞ୍ଜନ ଯୋଗାଇ ଚାଲିଥାଅ।
‌-ସେନ୍ ୱର୍ଣ୍ଣ, ଅଷ୍ଟ୍ରେଲୀୟ ସ୍ପିନ୍ କିଂବଦନ୍ତି
 ଅଧିନାୟକଙ୍କ ଶାରୀରିକ ଭାଷା ଦଳ ଉପରେ ପ୍ରତିଫଳିତ ହୋଇଥାଏ। ବିରାଟ ତାଙ୍କ ଦଳକୁ ଚମତ୍କାର ଭାବେ ପରିଚାଳନା କରୁଛନ୍ତି। କୌଣସି ମୁହୂର୍ତ୍ତରେ ହତୋତ୍ସାହିତ ନହେବା ତାଙ୍କ ବ୍ୟକ୍ତିତ୍ବର ସବୁଠାରୁ ବଡ଼ ସକାରାତ୍ମକ ଦିଗ।
-ଇଞ୍ଜମାମ ଉଲ୍ ହକ୍,
ପାକିସ୍ତାନର ପୂର୍ବତନ ଅଧିନାୟକ
 ଇଂଲଣ୍ଡ ଭାରତକୁ ହେୟ ମନେ କରି ହଇରାଣ ହେଲା। ଭାରତ ୫୦ ବର୍ଷ ପରେ ଓଭାଲରେ ଟେଷ୍ଟ୍ ଜିତିବା ମୋତେ ଆନନ୍ଦିତ କରିଛି। କୋହଲି ବି ବଢ଼ିଆ ନେତୃତ୍ବ ନେଲେ।
-ସୁନିଲ ଗାଭାସ୍କର, ପୂର୍ବତନ ଭାରତୀୟ ଅଧିନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe