ଓଲି ବୁଲିବ ସ୍କୁଲ୍‌, କଲେଜ୍‌:ଓଲି ପଛରେ ନୂଆ ମଣିଷ

Advertisment

ପର୍ଯ୍ୟଟକଙ୍କ ପାଇଁ ଜଳକ୍ରୀଡ଼ା ବ୍ୟବସ୍ଥା ସପକ୍ଷରେ ସବୀର

ପର୍ଯ୍ୟଟକଙ୍କ ପାଇଁ ଜଳକ୍ରୀଡ଼ା ବ୍ୟବସ୍ଥା ସପକ୍ଷରେ ସବୀର

ଓଲି ବୁଲିବ ସ୍କୁଲ୍‌, କଲେଜ୍‌:ଓଲି ପଛରେ ନୂଆ ମଣିଷ

ଭୁବନେଶ୍ବର: ନଭେମ୍ବର ୨୮ରୁ ଡି‌େସମ୍ବର ୧୬ ତାରିଖ୍ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଚତୁର୍ଦଶ ହକି ବିଶ୍ବକପ୍‌ ଲାଗି କୌତୁକିଆ, ଆତ୍ମବିଶ୍ବାସଭରା ଏବଂ ବିରଳ କଇଁଚ ‘ଓଲି’ ମାସ୍କଟ ନିଯୁକ୍ତ ହୋଇଛି। ଭୁବନେଶ୍ବରରେ ଗତବର୍ଷ ଆୟୋଜିତ ଏସୀୟ ଦୌଡ଼କୁଦର ମାସ୍କଟ ଭାବେ ଅପାର ଲୋକ୍ରପିୟତା ଲାଭ କରିଥିବା ‘ଓଲି’ ନୀଳ କନ୍ଦର ପୁରୀରୁ ହିଁ ତା’ର ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ବିଶ୍ବକପ ଅାଉ ମାତ୍ର ୫୦ ଦିନରୁ କମ୍ ସମୟ ଥିଲା ବେଳେ ‘ଓଲି’ ଦୌଡ଼କୁଦ ପ୍ରଶଂସକଙ୍କ ଭଳି ହକି ପ୍ରେମୀଙ୍କ ମନ ମଧ୍ୟ କିଣିବ ବୋଲି ଆଶା କରାଯାଉଛି। ମଙ୍ଗଳବାର ପୁରୀ ବେଳାଭୂମିରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଓଲି ହକି ବିଶ୍ବକପ୍ ଭଳି ବୃହତ୍ ପ୍ରତିଯୋଗତା ସହ ଯୋଡ଼ି ହୋଇଛି। ସାରା ବିଶ୍ବରୁ ଆସିବାକୁ ଥିବା‌ ହକି ପ୍ରେମୀ ଏବଂ ଦର୍ଶକଙ୍କୁ ସ୍ବାଗତ କରିବା ଲାଗି ସେ ପୂରା ପ୍ରସ୍ତୁତ ରହିଛି। ଆଗକୁ ଓଲି ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ବୁଲି ବିଶ୍ବକପ୍ ଲାଗି ସମର୍ଥନ ଯୋଗାଡ଼ କରିବ। ବିଶ୍ବକପ୍ ଯେମିତି ସାରା ବିଶ୍ବରେ ଅଧିକ ଲୋକପ୍ରିୟ ହୋଇ ପାରିବ ସେ ପାଇଁ କାର୍ଯ୍ୟ କରିବ। ତା’ ସହ ରାଜ୍ୟ ଏବଂ ରାଜ୍ୟ ବାହାରେ ଆୟୋଜିତ ହେବାକୁ ଥିବା କେତେକ ପ୍ରକାର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବ। ବିଦେଶରେ ମଧ୍ୟ ଏଭଳି କିଛି କାର୍ଯ୍ୟକ୍ରମ ଆୟୋଜିତ ହେବ। ଓଲି ଏହା ପୂର୍ବରୁ ଏସୀୟ ଦୌଡ଼କୁଦ ବେଳେ ମଧ୍ୟ ଏହି କାମକୁ ସୂଚାରୁ ରୂପରେ ତୁଲାଇଥିଲା। ଏଣୁ ବିଶ୍ବକପ୍ ବେଳେ ତାକୁ ହକି ପ୍ରେମୀ ସେହି ଭଲ ପାଇବା ଏବଂ ସମର୍ଥନ ଦେବେ ବୋଲି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଆଶା ପ୍ରକାଶ କରିଛନ୍ତି।

ଏସୀୟ ଦୌଡ଼କୁଦ ବେଳେ ଓଲି କ୍ରୀଡ଼ାପ୍ରେମୀଙ୍କ ମନ ଜିଣି ଥିଲା। ଓଲି ପଛରେ ଥିବା ଦୁଇ ମଣିଷ ଭଞ୍ଜନଗରର ଅମର ବେହେରା ଏବଂ ଭୁବ‌େନଶ୍ବର ଉପକଣ୍ଠ ପାଣିକାଟ ଗାଁର ଉପେନ୍ଦ୍ର ଜେନା ବେଶ୍ ଲୋକପ୍ରିୟ ହୋଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆର୍ଥିକ ପୁରସ୍କାର ଦେବା ସହ ସ୍ବତନ୍ତ୍ର ଭାବେ ସମ୍ବର୍ଧିତ କରିଥିଲେ। ଏବେ ବିଶ୍ବକପ୍ ପାଇଁ ଓଲିକୁ ଜୀବନ୍ତ କରିଛନ୍ତି ପୁରୀ ଯୁବକ ହରି ରାଓ। ଓଲି ପଛରେ ମଣିଷ ଭାବେ ସେ ଆରମ୍ଭ କରିଛନ୍ତି ନୂଆ ଜୀବନ। ହରି ନିଜେ ଜଣେ ସର୍ଫର ଭାବେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସାରିଛନ୍ତି। ସେ ମଧ୍ୟ କଳିଙ୍ଗ ସର୍ଫିଂ ଏବଂ ଲାଇଫ୍‌ଗାର୍ଡ ସଂଘର ସଂପାଦକ ଅଛନ୍ତି। ନିଜ ନୂଆ କାର୍ଯ୍ୟକୁ ନେଇ ହରି ବେଶ୍ ଉତ୍ସାହିତ ଅଛନ୍ତି। ଓଲି ରୂପରେ ମିଳୁଥିବା ଭଲ ପାଇବା ମୋତେ ଆଶ୍ଚର୍ଯ୍ୟ କରିଛି। ମୁଁ ଏହାକୁ ମନଭରି ଉପ‌ଭୋଗ କରୁଛି। ବିଶ୍ବକପ୍ ବେଳେ ଯଦି ମୋତେ କଳିଙ୍ଗ ଷ୍ଟାଡିୟମ ଯିବାର ସୁଯୋଗ ମିଳେ, ତାହାଲେ ସାଦରରେ ଗ୍ରହଣ କରିବି। ଦର୍ଶକଙ୍କ ପୂରା ମନୋରଞ୍ଜନ କରିବାକୁ ଚେଷ୍ଟା କରିବି ବୋଲି ହରି ‘ସମ୍ବାଦ’କୁ କହିଛନ୍ତି। ବେଳାଭୂମି ଉତ୍ସବକୁ ସଫଳ କରାଇବାରେ କ୍ରୀଡ଼ା ସଂଗଠକ ସବ୍ୟସାଚୀ ରଥ ବି ଅଗ୍ରଣୀ ଭୂମିକା ତୁଲାଇଥିଲେ।

ହକି ବିଶ୍ବକପ୍ ବେଳେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସୂଅ ଛୁଟିବ। ସେମାନେ ଦିନରେ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବା ସହ ସଂଧ୍ୟାରେ ହକିର ମଜ୍ଜା ନେବେ। ଏହି ଅବସରରେ ପୁରୀ ସମୁଦ୍ରରେ ବିଭିନ୍ନ ଜଳକ୍ରୀଡ଼ାର ବ୍ୟବସ୍ଥା ହେଲେ ବହୁତ ଭଲ ହୁଅନ୍ତା। ବିଶେଷ କରି ପୁରୀ ଏବଂ କୋଣାର୍କ ବୁଲିବାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହା ଅନ୍ୟତମ ଆକର୍ଷଣ ହୋଇପାରନ୍ତା। ଏଭଳି ମତବ୍ୟକ୍ତ କରିଛନ୍ତି ରାଜ୍ୟର ପ୍ରତିଷ୍ଠିତ ସ୍କୁବା ଡାଇଭର ସବୀର ବକ୍ସ। ଓଲିକୁ ମହୋଦଧିରୁ ବାହାର କରିବା ଯୋଜନାରେ ପ୍ରତ୍ୟେକ୍ଷ ଭାବେ ସଂଶ୍ଳିଷ୍ଟ ସବୀର କହିଛନ୍ତି, ଆମେ ରାଜ୍ୟ ସରକାରଙ୍କୁ ୬ ମାସ ତଳୁ ପ୍ରସ୍ତାବ ଦେଇଛୁ। ଆମ ପାଖରେ ଭିତ୍ତିଭୂମି ଓ ଆବଶ୍ୟକ ସାଜ ସରଂଜାମ ମଧ୍ୟ ଅଛି। ୨୪ ଘଣ୍ଟା ଭିତରେ ମଧ୍ୟ ଆମେ ଏହାକୁ କାର୍ଯ୍ୟକ୍ଷମ କରି ପାରିବୁ। ଏହା ହେଲେ ବିଶ୍ବକପ୍‌ ସହ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ହୋଇ ପାରନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe