ଆଇନଜୀବୀରୁ ଅଲିମ୍ପିଆନ୍, ଅଭିଷେକ ଟୋକିଓ ଅଲିମ୍ପିକ୍ସର ଅନ୍ୟତମ ପଦକ ଦାବିଦାର

Advertisment
ଆଇନଜୀବୀରୁ ଅଲିମ୍ପିଆନ୍, ଅଭିଷେକ ଟୋକିଓ ଅଲିମ୍ପିକ୍ସର ଅନ୍ୟତମ ପଦକ ଦାବିଦାର

ନୂଆଦିଲ୍ଲୀ: ଆଇନ ଓ ଇଞ୍ଜିନିୟରିଂର ମୋଟା ମୋଟା ବହି ପଢ଼ୁଥିଲା ବେଳେ ସୌଖିନ ଭାବେ ବନ୍ଧୁକ ଚଳାଇବା ଆରମ୍ଭ କରିଥିଲେ ସେ। ଏହି ଅଭ୍ୟାସ ଏବେ ତାଙ୍କ ଜୀବନର ଲକ୍ଷ୍ୟ ପାଲଟିଯାଇଛି। ଜଟିଳ ମାମଲା ପାରିଚାଳନା କରିବା ପରିବର୍ତ୍ତେ ଅଧିକାଂଶ ସମୟ ଏବେ ସେ ସୁଟିଂ ରେଞ୍ଜ୍‌ରେ କଟାଉଛନ୍ତି। ବିଶ୍ବର ଏକ ନମ୍ବର ବନ୍ଧୁକଚାଳକ ପାଲଟିବା ସହ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଦାବିଦାରଙ୍କ ମଧ୍ୟରୁ ସେ ହେଉଛନ୍ତି ପ୍ରମୁଖ। ଆମେ କହୁଛୁ ୧୦ ମିଟର ଏୟାର ରାଇଫଲରେ ବିଶ୍ବର ଶୀର୍ଷ ମାନ୍ୟତାପ୍ରାପ୍ତ ସୁଟର ଅଭିଷେକ ବର୍ମାଙ୍କ କଥା। ଅଭିଷେକ ପୂର୍ବରୁ ଏସୀୟ କ୍ରୀଡ଼ା ଓ ଆଇଏସ୍‌ଏସ୍ଏଫ୍ ବିଶ୍ବକପ୍‌ରେ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣି ସାରିଛନ୍ତି। ଏସବୁ ସଫଳତା ଧାରାରେ ଅଲିମ୍ପିକ୍ସ ପଦକକୁ ସାମିଲ କରିବାକୁ ସେ ଅର୍ଜୁନଙ୍କ ଭଳି ରାତି ଦିନ ଅଭ୍ୟାସ କରିବାରେ ଲାଗି ପଡ଼ିଛନ୍ତି।

ମଜାଦାର କଥା ହେଲା ତାଙ୍କ ଭିତରେ ଜଣେ ସଫଳ କ୍ରୀଡ଼ାବିତ୍ ଲୁଚି ରହିଥିବା କଥା ନିଜେ ଅଭିଷେକ ୨୫ ବର୍ଷ ପର୍ଯ୍ୟନ୍ତ ଜାଣି ପାରି ନଥିଲେ। କେବେ କେବେ ସୁଟିଂ ରେଞ୍ଜ୍‌କୁ ଯାଉଥିବା ଏହି ପ୍ରତିଭାବାନ ବନ୍ଧୁକଚାଳକ ହଠାତ୍ ପାଠ ପଢ଼ାକୁ ଗୁରୁତ୍ବ ନ ଦେଇ ପେସାଦାର ବନ୍ଧୁକଚାଳକ ହେବାର ଆହ୍ବାନପୂର୍ଣ୍ଣ ନିଷ୍ପତ୍ତି ନେଇଯାଇଥିଲେ। ପଞ୍ଜାବ ଓ ହରିଆଣା ଉଚ୍ଚନ୍ୟାୟାଳୟରେ ବିଚାରପତି ଥିବା ପିତା ତାଙ୍କର ଏହି ନିଷ୍ପତ୍ତିରେ ଆଦୌ ଖୁସି ହୋଇ ନଥିଲେ। ଅଭିମାନ ଭରା କଣ୍ଠରେ ସବୁବେଳେ କହୁଥିଲେ ତୁମେ ୪ ବର୍ଷ ଇଞ୍ଜିନିୟରିଂ ଏବଂ ୩ ବର୍ଷ ଆଇନ ପଢ଼ାରେ କଟାଇଛ। ଏସବୁକୁ ତୁମେ କେମିତି ଓ କାହିଁକି ପଛରେ ପକାଇ ଏକ ବ୍ୟୟ ବହୁଳ କ୍ରୀଡ଼ାରେ ପାଦ ଥାପିବ, ମୁଁ ବୁଝି ପାରୁନି। ଏକଥାକୁ ବର୍ଣ୍ଣନା କରି ଅଭିଷେକ କହିଛନ୍ତି ଯେ ସେମାନେ ଭାବୁଥିଲେ ମୁଁ କ୍ୟାରିୟରକୁ ନେଇ ଅତ୍ୟନ୍ତ ଦ୍ବନ୍ଦ୍ବ ଓ ସଂଶୟରେ ଅଛି। ହେଲେ ବନ୍ଧୁକଚାଳନାରେ ଦେଶକୁ ନିଶ୍ଚିତ ଗର୍ବିତ କରିବି ବୋଲି ମୋର ଆତ୍ମବିଶ୍ବାସ ଥିଲା।

ଶେଷରେ ଏହି କଥାକୁ ନେଇ ପିତା-ପୁତ୍ରଙ୍କ ମଧ୍ୟରେ ଏକ ସନ୍ଧି ହୋଇଥିଲା। ପିତା କହିଥିଲେ ଯଦି ବର୍ଷକ ଭିତରେ ତୁମେ ଭାରତୀୟ ଦଳରେ ସ୍ଥାନ ନପାଇବ, ତାହାଲେ ବନ୍ଧୁକଚାଳନାକୁ ଭୁଲିଯିବ। ବରଂ ଅଦାଲତରେ ଆଇନ ପ୍ରାକ୍ଟିସ୍ କରିବା ଆରମ୍ଭ କରିବ। ପିତାଙ୍କ ସର୍ତ୍ତକୁ ଗ୍ରହଣ କରିନେଇଥିଲେ ଅଭିଷେକ। ଏହାକୁ ଏକ ସୁଯୋଗ ଓ ବଡ଼ ଆହ୍ବାନ ଭାବେ ନେଇ ଗୁରୁଗ୍ରାମର ଭୋନ୍ଦସି ସୁଟିଂ ଏକାଡେମିରେ ଆନୁଷ୍ଠାନିକ ଭାବେ ଶିକ୍ଷା ନେବା ଆରମ୍ଭ କରିଥିଲେ। ପ୍ରଶିକ୍ଷକ ଓମେନ୍ଦ୍ର ସିଂହ ଏଥିରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଏପରିକି ନିଜ ଏକାଗ୍ରତାକୁ ଆହୁରି ବଢ଼ାଇବା ଲାଗି ସୁଟିଂ ରେଞ୍ଜ୍‌ ପାଖରେ ଥିବା ଏକ କ୍ରୀଡ଼ା ଛାତ୍ରାବାସରେ ରହିବା ଆରମ୍ଭ କରି ଦେଇଥିଲେ। ବର୍ଷକର କଣ୍ଟ ସରିବା ପୂର୍ବରୁ ୩୧ ବର୍ଷୀୟ ଅଭିଷେକ ଉତ୍ତରାଞ୍ଚଳ ସୁଟିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଜାତୀୟ ଦଳରେ ସ୍ଥାନ ହାସଲ କରି ନେଇଥିଲେ। ଏହାର ୬ ମାସ ପରେ ଜାକର୍ତା ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସେହିଭଳି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ମଧ୍ୟ ତାଙ୍କୁ ବେଶି ସମୟ ଲାଗି ନଥିଲା। ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରେ ଦ୍ବିତୀୟ ଥର ଅଂଶଗ୍ରହଣ କରି ଆଇନଜ୍ଞରୁ ସୁଟର ପାଲଟିଥିବା ହରିଆଣା ହିସାରର ଏହି ଯୁବକ ୧୦ ମିଟର ଏୟାର ପିସ୍ତଲରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା କରି ଟୋକିଓ ଅଲିମ୍ପିକ୍ସ ଟିକେଟ ହାସଲ କରି ନେଇଥିଲେ। ଆଇଏସ୍‌ଏସ୍ଏଫ୍ ବିଶ୍ବକପ୍‌ରେ ସେ ଏପର୍ଯ୍ୟନ୍ତ ୩ଟି ସ୍ବର୍ଣ୍ଣ, ୧ ‌‌ରୌପ୍ୟ ଓ ୨ କାଂସ୍ୟ ପଦକ ଜିତି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe