ରାଇଫଲ୍‌ ଓ ରଗ୍‌ବି ସହ ହକି ଆସୋସିଏସନ୍ ଅଫ୍‌ ଓଡ଼ିଶାକୁ ଅଲିମ୍ପିକ୍‌ ସଂଘର ଅନୁବନ୍ଧନ

Advertisment

ନଭେମ୍ବର ଶେଷ ସୁଦ୍ଧା ଅଲିମ୍ପିକ୍‌ ସଂଘକୁ ମିଳିବ ବାରବାଟୀ ଜମିର ସତ୍ତ୍ବ

ନଭେମ୍ବର ଶେଷ ସୁଦ୍ଧା ଅଲିମ୍ପିକ୍‌ ସଂଘକୁ ମିଳିବ ବାରବାଟୀ ଜମିର ସତ୍ତ୍ବ

ରାଇଫଲ୍‌ ଓ ରଗ୍‌ବି ସହ ହକି ଆସୋସିଏସନ୍ ଅଫ୍‌ ଓଡ଼ିଶାକୁ ଅଲିମ୍ପିକ୍‌ ସଂଘର ଅନୁବନ୍ଧନ

କଟକ: ଓଡ଼ିଶା ଅଲିମ୍ପିକ ସଂଘର ସାଧାରଣ ପରିଷଦ ବୈଠକ ରବିବାର ନିଜସ୍ବ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଜଗମୋହନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଗତ ବର୍ଷର ଆୟବ୍ୟୟ ଓ ଆସନ୍ତା ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯାଇଥିଲା। ବୈଠକରେ ୨୦୨୧-୨୨ ବର୍ଷର ସମୁଦାୟ ଆୟ ୨ କୋଟି ୨୬ ଲକ୍ଷ ୪୫ ହଜାର ୩୬୨ ଟଙ୍କା ରହିଥିଲା ବେଳେ ଓ ବ୍ୟୟ ୨ କୋଟି ୧୩ ଲକ୍ଷ ୯୩ ହଜାର ୨୭୪ ଟଙ୍କା ହୋଇଥିବା ଦର୍ଶାଯାଇଥିଲା। ସେହିଭଳି ୨୦୨୨-୨୩ ବର୍ଷ ପାଇଁ ୩ କୋଟି ୫୬ ଲକ୍ଷ ୬୧ ହଜାର ୧୫୦ ଟଙ୍କାର ବଜେଟ୍‌ ଉପସ୍ଥାପନ କରାଯାଇଛି।

ଏଥି ସହିତ ହକି ଆସୋସିଏସନ୍ ଅଫ୍ ଓଡ଼ିଶା, ଓଡ଼ିଶା ରାଇଫଲ୍‌ ଆସୋସିଏସନ ଏବଂ ଓଡ଼ିଶା ରଗ୍‌ବି ଫୁଟ୍‌ବଲ ଆସୋସିଏସନକୁ ଅନୁବନ୍ଧନ ମିଳିଛି। ତେବେ ବୈଠକରେ ଓଡ଼ିଶା ଅଲିମ୍ପିକ ସଂଘର ଏକଚାଟିଆ ନୀତିକୁ ପ୍ରବଳ ବିରୋଧ କରାଯାଇଥିଲା। ହକି ଓଡ଼ିଶାକୁ ବାଦ୍‌ ଦେଇ ହକି ଆସୋସିଏସନ୍ ଅଫ୍ ଓଡ଼ିଶାକୁ ଅନୁବନ୍ଧନ ଦେଇଥିବାରୁ ବରି‌ଷ୍ଠ ଆଇନଜୀବୀ ତଥା ଓଡ଼ିଶା ଅଲିମ୍ପିକ ସଂଘର ଉପସଭାପତି ପ୍ରତାପ ଶତପଥୀ ବିରୋଧ କରିଥିଲେ। ଗତକାଲି ତରିବରିଆ ଭାବେ କାହିଁକି ଆଫିଲେସନ୍ କମିଟିର ବୈଠକ ଡକାଗଲା, ଏ ନେଇ କ‌ାହିଁକି କର୍ମକର୍ତ୍ତାଙ୍କୁ ଚିଠି କରାଗଲା ନାହିଁ ବୋଲି ଶ୍ରୀ ଶତପଥୀ ପ୍ରଶ୍ନ କରିବା ସହିତ ବୈଠକରେ କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ଦେଖାଇଥିଲେ। ଜଣକୁ ବାଦ୍‌ନଦେଇ ଅନ୍ୟ ଏକ ସଂଘକୁ ଅନୁବନ୍ଧନ ଦେବା ବେଆଇନ ବୋଲି ଶ୍ରୀ ଶତପଥୀ ଆପତ୍ତି ଉଠାଇଥିଲେ। ଏନେଇ ମାମଲା ବିଚାରଧୀନ ଥିବା ବେଳେ କେଉଁ ପରିସ୍ଥିତିରେ ହକି ଓଡ଼ିଶାକୁ ବାଦ୍‌ନଦେଇ ହକି ଆସୋସିଏନ ଅଫ୍ ଓଡ଼ିଶାକୁ ଅନୁବନ୍ଧନ ମିଳିଲା ବୋଲି ପ୍ରଶ୍ନ କରିଥିଲେ। ହକି ଓଡ଼ିଶାକୁ ଇଣ୍ଡିଆନ୍ ଅଲିମ୍ପିକ ଆସୋସିଏସନ୍ ସ୍ବୀକୃତି ଦେଇଥିବା ବେଳେ ଓଡ଼ିଶା ଅଲିମ୍ପିକ ସଂଘ କିଭଳି ବାଦ୍‌ ଦେଲା ବୋଲି ଶ୍ରୀ ଶତପଥୀ ଅଭିଯୋଗ କରିଛନ୍ତି। ଏହାର ଜବାବରେ ଓଡ଼ିଶା ଅଲିମ୍ପିକ ସଂଘର ସଂପାଦକ ଅଭିଜିତ ପାଲ କହିଛନ୍ତି, ହକି ଇଣ୍ଡିଆ ଯେଉଁ ସଂଘକୁ ଅନୁମୋଦନ ଦେଇଛି ଆମେ ନିୟମ ଅନୁସା‌ରେ ତାକୁ ହିଁ ଅନୁବନ୍ଧନ ଦେବୁ, ଏଥିରେ କିଛି ବିବାଦ ନାହିଁ।

ବୈଠକରେ ବାରବାଟୀ ଷ୍ଟାଡିୟମର ଜମି ସତ୍ତ୍ବକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବାରବାଟୀ ଷ୍ଟାଡିୟମ ଜମି ଓଡ଼ିଶା ଅଲିମ୍ପିକ ସଂଘକୁ ସ୍ଥାୟୀ ଭାବେ ଲିଜ୍ ହସ୍ତାନ୍ତର କରାଯିବ। ଏହି ଜମିର ସ୍ଥାୟୀ ସତ୍ତ୍ବ ଅଲିମ୍ପିକ ସଂଘକୁ ମିଳିବ। ଏ ନେଇ ତହସିଲଦାର ଜମିର ମାପଚୁପ କରିସାରିଛନ୍ତି। ଆସନ୍ତା ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ହାଇକୋର୍ଟଙ୍କୁ ଏନେଇ ରିପୋର୍ଟ ଦିଆଯିବ ବୋଲି ସଂପାଦକ ଶ୍ରୀ ପାଲ କହିଛନ୍ତି। ବୈଠକ‌ରେ ଉପସଭାପତି କମଳାକାନ୍ତ ପାଣ୍ଡେ, ପ୍ରତାପ ଶତପଥୀ, ନଳିନି କୁମାର ଦାସ, ଦୁଲାଲ ଚନ୍ଦ୍ର ପ୍ରଧାନ, ସାଧାରଣ ସଂପାଦକ ଅଭିଜିତ୍ ପାଲ, ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ, ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ଅଧିପ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସଂଘର କର୍ମକର୍ତ୍ତା ବୈଠକରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe