ଅଲିମ୍ପିକ୍ସ ୨୦୨୪: ବିଜୟ ଧାରାକୁ ଫେରିଲା ଭାରତ, ହ୍ୟାଟ୍ରିକ୍‌ ପଦକ ଦୌଡ଼ରେ ମନୁ

Advertisment

ଅଲିମ୍ପିକ୍ସରେ ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା

ଅଲିମ୍ପିକ୍ସରେ ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା

ଅଲିମ୍ପିକ୍ସ ୨୦୨୪: ବିଜୟ ଧାରାକୁ ଫେରିଲା ଭାରତ, ହ୍ୟାଟ୍ରିକ୍‌ ପଦକ ଦୌଡ଼ରେ ମନୁ

ପ୍ୟାରିସ୍‌: ଭାରତୀୟ ପୁରୁଷ ହକି ଦଳ ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ବିଜୟ ଧାରାକୁ ଫେରିଛି। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଆର୍ଜେଣ୍ଟିନା ସହ ଅମୀମାଂସିତ ରଖିଥିଲା ଭାରତ। ତୃତୀୟ ମ୍ୟାଚ୍‌ରେ ଏହି ଦଳ ଆୟର୍ଲାଣ୍ଡକୁ ପରାସ୍ତ କରିବା ପରେ ଗୁରୁବାର ବିଜେତା ବେଲ୍‌ଜିୟମଠୁ ୧-୨ରେ ହାରିଯାଇଥିଲା। ଶୁକ୍ରବାର ଭାରତ ନିଜର ଶେଷ ପୁଲ୍‌ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲ୍‌ରେ ମାତ୍‌ ଦେଇଛି। ଏଥିସହ ଭାରତ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇବାର ଗୌରବ ପାଇଛି। ଶେଷ ଥର ଲାଗି ଭାରତ ୧୯୭୨ରେ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏହି ବିଜୟ ସହ ଭାରତ (୧୦ ପଏଣ୍ଟ୍‌) ଟେବୁଲର ଗୋଟିଏ ସ୍ଥାନ ଉଠି ବେଲ୍‌ଜିୟମ ପଛକୁ ଦ୍ବିତୀୟରେ ରହିଛି। ଅଷ୍ଟ୍ରେଲିଆ ତୃତୀୟ ଓ ଆର୍ଜେଣ୍ଟିନା ଚତୁର୍ଥରେ ରହିଛନ୍ତି।

ଏହି ମ୍ୟାଚ୍‌ ଆରମ୍ଭରୁ ଭାରତ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ଚାପରେ ରଖିଥିଲା। ମ୍ୟାଚ୍‌ର ଦ୍ବାଦଶ ମିନିଟ୍‌ରେ ଅଭିଷେକଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାର ଗୋଟିଏ ମିନିଟ୍‌ ପରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହର୍ମନପ୍ରୀତ ସିଂହ (୧୩ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ପ୍ରଥମ କ୍ବାର୍ଟରକୁ ୨-୦ରେ ନିଜ ପକ୍ଷରେ ରଖିଥିଲା। ପ୍ରଥମ କ୍ବାର୍ଟର ପଛରେ ପଡ଼ିଥିବା ଅଷ୍ଟ୍ରେଲିଆ ଦ୍ବିତୀୟ କ୍ବାର୍ଟରରେ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲା। ଏହି ଗୋଲ୍‌ଟି ଥୋମାସ କ୍ରେଗ୍‌ (୨୫ ମିନିଟ୍‌) ଦେଇଥିଲେ। ତୃତୀୟ କ୍ବାର୍ଟର ଆରମ୍ଭରୁ ଭାରତକୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍‌କୁ ହର୍ମନପ୍ରୀତ (୩୨ ମିନିଟ୍‌) ଗୋଲ୍‌ରେ ପରିଣତ କରି ସ୍ଥିତି ୩-୧ କରିଥିଲେ। ଚତୁର୍ଥ କ୍ବାର୍ଟରରେ ବ୍ଲାକ୍‌ ଗୋଭର୍ସ (୫୫ ମିନିଟ୍‌)ଙ୍କ ପେନାଲ୍ଟି ଷ୍ଟ୍ରୋକ୍‌ ଗୋଲ୍‌ ବଳରେ ଅଷ୍ଟ୍ରେଲିଆ ପରାଜୟ ବ୍ୟବଧାନକୁ କମାଇଥିଲା।

ହ୍ୟାଟ୍ରିକ୍‌ ପଦକ ଦୌଡ଼ରେ ମନୁ

publive-image

ଦୁଇଟି ପଦକ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା ସୁଟର୍‌ ମନୁ ଭାକର ‌ହ୍ୟାଟ୍ରିକ୍‌ ପଦକର ନିକଟତର ହୋଇଛନ୍ତି। ଶୁକ୍ରବାର ଏହି ୨୨ ବର୍ଷୀୟା ଯୁବତୀ ୨୫ ମିଟର ସ୍ପୋର୍ଟ୍ସ ପିସ୍ତଲର ଫାଇନାଲ୍‌ରେ ପହଞ୍ଚି ଆଉ ଏକ ପଦକ ଦୌଡ଼ରେ ସାମିଲ ହୋଇଛନ୍ତି। ଏହି ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ସେ ‘ପ୍ରେସିସନ୍‌’ ରାଉଣ୍ଡ‌ରେ ୨୯୪ ସ୍କୋର୍‌ କରିଥିଲା ବେଳେ ରୢାପିଡ୍‌ରେ ୨୯୬ ସ୍କୋର୍‌ କରିଥିଲେ। ମୋଟ ୫୯୦ ‌ସ୍କୋର୍‌ ସହ ‌ମନୁ ଅଲିମ୍ପିକ୍ସ କୀର୍ତ୍ତିମାନର ସମକକ୍ଷ ହୋଇଥିବା ହଙ୍ଗେରିର ଭେରୋନିକା ମେଜର ୫୯୨ (୨୯୪+୨୯୮)ଙ୍କ ପଛକୁ ଦ୍ବିତୀୟରେ ରହିଥିଲେ। ତେବେ ଏହି ଇଭେଣ୍ଟରେ ଭାଗ ନେଇଥିବା ଆଉ ଜଣେ ଭାରତୀୟ ଈଶା ସିଂହ ଫାଇନାଲ୍‌‌‌ରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ସେ ଯୋଗ୍ୟତା ପର୍ଯ୍ୟାୟରେ ୫୮୧ ସ୍କୋର୍‌ ସହ ଅଷ୍ଟାଦଶ ସ୍ଥାନରେ ରହିଥିଲେ। ଶନିବାର ଫାଇନାଲ୍‌ ଅନୁଷ୍ଠିତ ହେବ। ମନୁ ପୂର୍ବରୁ ମହିଳା ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ଜିତିଥିଲା ବେଳେ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍‌ରେ ସରବଜୋତ ସିଂହଙ୍କ ସହ ମିଶି ଆଉ ଏକ କାଂସ୍ୟ କରାୟତ୍ତ କରିଥିଲେ। ଏଥି‌ସହ ସେ ଗୋଟିଏ ଅଲିମ୍ପିକ୍ସ‌ରେ ୨ଟି ପଦକ ଜିତିବାରେ ସ୍ବଧୀନ ଭାରତର ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe