ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୩୩ ଦିନ, ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମ ଖୋଲିଲା

Advertisment
ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୩୩ ଦିନ, ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମ ଖୋଲିଲା

ଟୋକିଓ: ‌ଟୋକିଓ ଅଲିମ୍ପିକ୍ସର କ୍ରୀଡ଼ା ଗ୍ରାମକୁ ରବିବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଲାଇ ଦେଖାଇଛନ୍ତି ଆୟୋଜକ। କ୍ରୀଡ଼ାଗ୍ରାମରେ ନିର୍ମିତ ଆପାର୍ଟମେଣ୍ଟ୍‌ସ ଏବଂ କାଠରେ ପ୍ରସ୍ତୁତ ପ୍ଲାଜା ସବୁ ବୁଲି ଦେଖିଛନ୍ତି ଗଣମାଧ୍ୟମ ପ୍ରତିନିଧି। ୧୧,୦୦୦ କ୍ରୀଡ଼ାବିତ୍‌ଙ୍କ ରହଣି ପାଇଁ ଏହା ପ୍ରସ୍ତୁତ ହୋଇରହିଛି। ଗତବର୍ଷଠାରୁ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅନ୍ୟ ଦେଶ ଭଳି ଜାପାନରେ କୋଭିଡ୍‌ ମହାମାରୀର ପ୍ରକୋପ ନ ଥିଲେ ମଧ୍ୟ ଏଠାରେ ମାତ୍ର ୬ ପ୍ରତିଶତ ଟିକାକରଣ କରାଯାଇଥିବାରୁ ସରକାରଙ୍କ ଆୟୋଜନ ନିଷ୍ପତ୍ତିକୁ ଜାପାନର ଜନସାଧାରଣ, ହସ୍ପିଟାଲ୍‌ସ୍, ଡାକ୍ତର, ବ୍ୟାବସାୟୀ ଗୋଷ୍ଠୀ ବିରୋଧ କରି ଆସୁଛନ୍ତି। ଜାପାନ ସରକାରଙ୍କ ସମର୍ଥନରେ କିନ୍ତୁ ଆୟୋଜନ ସିମିତି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଂଘ ପ୍ରସ୍ତୁତିକୁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇ ଦେଇଛନ୍ତି।

କ୍ରୀଡ଼ା ଗ୍ରାମରେ ଖେଳାଳିଙ୍କ ଯିବା ଆସିବା ଉପରେ କଟକଣା ରହିବ। ପ୍ରତ୍ୟେକ ଦିନ କରୋନା ଭାଇରସ୍‌ ପରୀକ୍ଷା କରାଯିବ। ପ୍ରତିଯୋଗିତା ବେଳେ ଗାଇବା ଓ ସ୍ଲୋଗାନ ଆଦି ଉପରେ ବାସନ୍ଦାଦେଶ ଲାଗୁ କରାଯାଇଛି। କେବଳ ‌ଶୋଇବା ଏବଂ ଖାଇବାକୁ ଛାଡ଼ି ଅନ୍ୟ ସବୁସମୟରେ ମାକ୍ସ ପରିଧାନ କରିବାର ବିଧି ରଖାଯାଇଛି। କ୍ରୀଡ଼ାଗ୍ରାମ ପରିସର ଭିତରେ ଏଟିଏମ୍‌, ଡ୍ରାଏ କ୍ଲିନର୍‌, ଡାକ ଘର, ବ୍ୟାଙ୍କ୍‌ ଏବଂ କୋରିୟର୍ ସେବା ଆଦି ରଖାଯାଇଛି। ଜାପାନର ପାରମ୍ପରିକ ଖୋଲା ଲାଇଟ୍‌ ବଲ୍‌ବ ବଦଳରେ ଲଣ୍ଠନ ଲଗାଯିବ। ଟୋକିଓ ୨୦୨୦ ଥିମ୍‌ ଉପରେ ମଧ୍ୟ ନ୍ୟାସନାଲ୍ ଷ୍ଟାଡିୟମ୍‌ ସହିତ ଅନ୍ୟ ଅଲମ୍ପିକ୍ ଭେନ୍ୟୁରେ କାଠରେ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ କରାଯାଇଛି। ମୋଟ ୬୩ଟି ଜାପାନ ମ୍ୟୁନିସିପାଲ୍ ସରକାରଙ୍କ ଦ୍ବାରା ପ୍ରଦତ୍ତ ୪୦,୦୦୦ ଖଣ୍ଡ କାଠରେ ଶପିଂ ଅଞ୍ଚଳ ପ୍ରସ୍ତୁତ କରାଯାଇଛି।

ପ୍ରତିଟି କାଠ ଖଣ୍ଡରେ ସମ୍ପୃକ୍ତ ଅଞ୍ଚଳର ନାମ ରହିଛି। ଅଲିମ୍ପିକ୍ସ ଶେଷ ହେବା ପରେ ଏହି କାଠଗୁଡିକୁ ନିଜ ନିଜ ଅଞ୍ଚଳରେ ପୁନଃବ୍ୟବହାର ଲାଗି ଫେରାଇ ନିଆଯିବ। ଆପାର୍ଟମେଣ୍ଟ୍‌ ଅଞ୍ଚଳରେ ମୋଟ ୨୩ଟି ବିଲ୍ଡିଂ ନିର୍ମାଣ କରାଯାଇଛି ଏବଂ ପ୍ରାୟ ୧୨,୦୦୦ ଲୋକଙ୍କ ପାଇଁ ବ୍ୟବସ୍ଥା ରହିଛି। ଅଲିମ୍ପିକ୍ସ ପରେ ବିଲ୍‌ଡିଂଗୁଡିକ ଫ୍ଲାଟ୍‌ରେ ରୂପାନ୍ତର କରିଦିଆଯିବ। ସରକାର କାଠ କାର୍ଯ୍ୟରେ ୨.୪ ବିଲିଅନ୍‌ ୟେନ୍ ଏବଂ ବିଲ୍‌ଡିଂ କାର୍ଯ୍ୟରେ ୫୪ ବିଲିୟନ୍‌ ୟେନ୍‌ ଖର୍ଚ୍ଚ କରିଛନ୍ତି। ଏହା ମଧ୍ୟରେ ରାସ୍ତା ଓ ଭିତ୍ତିଭୂମି ରହିଛି। ପୂର୍ବରୁ ଆୟୋଜକମାନେ ବଡ଼ ଡାଇନିଂ ହଲ୍‌ ନିର୍ମାଣ ଯୋଜନାରେ ରହିଥିଲେ ମଧ୍ୟ କୋଭିଡ୍‌ ପରିସ୍ଥିତି କାରଣରୁ ଏହାକୁ ସୀମିତ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe