ଆଉ ୨୨ ଦିନ:ସଂସ୍କାରରୁ ଶୁଭାରମ୍ଭ

Advertisment
ଆଉ ୨୨ ଦିନ:ସଂସ୍କାରରୁ ଶୁଭାରମ୍ଭ

ଭୁବନେଶ୍ୱର: ଡିସେମ୍ବରରେ ଓଡ଼ିଶାବାସୀଙ୍କୁ ପୁଣି ଥରେ ଗ୍ରାସିବ ହକି ଜ୍ୱର । ହକି ଇଣ୍ଡିଆ ଲିଗ୍‌ ଓ ଚାମ୍ପିଅନ୍ସ ଟ୍ରଫି ପରେ ଆଉ ଏକ ବଡ଼ ହକି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ହକିପ୍ରେମୀ ଏଠାରେ ବିଶ୍ୱ ହକି ଲିଗ୍‌ର ଫାଇନାଲ୍‌ ଲଢ଼େଇ ଦେଖିବାର ସୁଯୋଗ ପାଇବେ। ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୮ ରାଷ୍ଟ୍ରୀୟ ପ୍ରତିଯୋଗିତାକୁ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ସେପଟେ ନୂଆଦିଲ୍ଲୀ ଏବଂ ରାଏପୁର ପରେ ଏହି ସମ୍ମାନଜନକ ପ୍ରତିଯୋଗିତାକୁ ଆୟୋଜନ କରିବାରେ ଭୁବନେଶ୍ୱର ତୃତୀୟ ଭାରତୀୟ ସହର ହୋଇଛି। ହକି ବିଶ୍ୱ ଲିଗ୍‌ ଫାଇନାଲକୁ ଆଉ ୨୨ ଦିନ ବାକି ଥିଲା ବେଳେ ଏହି ପ୍ରତିଯୋଗିତାର ଅତୀତ, ଭବିଷ୍ୟତ ଏବଂ ଆୟୋଜନ ପ୍ରଣାଳୀକୁ ନେଇ ମଙ୍ଗଳବାରଠାରୁ ‘ସମ୍ବାଦ’ ଆରମ୍ଭ କରିଛି ସ୍ୱତନ୍ତ୍ର ଅବଗଣନା।
ଅନ୍ତର୍ଜାତୀୟ ହକିରେ ସଂସ୍କାର ଆଣିବାର ଲକ୍ଷ୍ୟ ନେଇ ୨୦୧୨ରେ ଆରମ୍ଭ ହୋଇଥିଲା ‘ବିଶ୍ୱ ହକି ଲିଗ୍‌’। ସେବେଠାରୁ ଏହି ପ୍ରତିଯୋଗିତା ହକିକୁ ଅଜଣା ସ୍ଥାନରେ ପହଞ୍ଚାଇବା ସହ ଅଲିମ୍ପିକ୍ସ ଏବଂ ହକି ବିଶ୍ୱକପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟର ଯୁଗଳ କାମ କରି ଆସୁଛି। ବିଶ୍ୱ ହକି ଲିଗ୍‌ ଦୁଇ ବର୍ଷ ଏବଂ ଚାରିଟି ପର୍ଯ୍ୟାୟରେ ଖେଳା ଯାଇଥାଏ। ପ୍ରତି ସଂସ୍କରଣର ଇଭେଣ୍ଟ ଏବଂ ଦଳ ସଂଖ୍ୟା ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ନିର୍ଧାରଣ କରିଥାଏ। ପ୍ରଥମ ପର୍ଯ୍ୟାୟ ଲାଗି ଦଳଗୁଡ଼ିକୁ ସେମାନଙ୍କ ଭୌଗୋଳିକ ସ୍ଥିତିକୁ ନେଇ ବିଭିନ୍ନ ଗ୍ରୁପ୍‌ରେ ବିଭକ୍ତ କରାଯାଇଥାଏ। ଅନ୍ୟ ସମସ୍ତ ପର୍ଯ୍ୟାୟ ଲାଗି ଦଳ ବାଛିବା ବେଳେ ଏଭଳି କୌଣସି ଅଙ୍କୁଶ ନଥାଏ। ଏଫଆଇଏଚ୍‌ ବିଶ୍ୱ ମାନ୍ୟତା ଅନୁସାରେ ଶୀର୍ଷ ସ୍ତରୀୟ ଦଳଗୁଡ଼ିକ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନଖେଳି ସିଧାସଳଖ ସେମିଫାଇନାଲ୍‌ ଖେଳନ୍ତି। ସେମିଫାଇନାଲର ଶ୍ରେଷ୍ଠ ୮ ଦଳକୁ ନେଇ ଫାଇନାଲ୍‌ ଅନୁଷ୍ଠିତ ହୋଇଥାଏ। ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ପ୍ରତିଯୋଗିତାର ତିନିଟି ସଂସ୍କରଣ ଖେଳା ଯାଇଛି। ସଂଯୋଗ ବଶତଃ ତିନିଟି ଯାକ ସଂସ୍କରଣର ଫାଇନାଲ୍‌ ଭାରତରେ ଆୟୋଜିତ ହୋଇଛି। ପ୍ରଥମ ସଂସ୍କରଣର ଫାଇନାଲ୍‌ ନୂଆଦିଲ୍ଲୀରେ ଖେଳା ଯାଇଥିଲା। ସେହିଭଳି ଦ୍ୱିତୀୟ ସଂସ୍କରଣ ଛତିଶଗଡ଼ର ରାଏପୁରରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ଫାଇନାଲ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସଠାରେ ଅନୁଷ୍ଠିତ ହେବ। ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଖେଳା ଯାଉଥିବା ଏହି ପ୍ରତିଯୋଗିତାର ମହିଳା ଫାଇନାଲ୍‌ ନ୍ୟୁଜିଲାଣ୍ଡର ଅକଲାଣ୍ଡଠାରେ ଆୟୋଜିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe