ମାତ୍ର ୪ ଟେଷ୍ଟ୍ ଖେଳି କିଂବଦନ୍ତି, ବାରି ରିଚାର୍ଡସଙ୍କୁ ୭୫

ମାତ୍ର ୪ ଟେଷ୍ଟ୍ ଖେଳି କିଂବଦନ୍ତି, ବାରି ରିଚାର୍ଡସଙ୍କୁ ୭୫

ଜୋହାନେସବର୍ଗ: ବାରି ରିଚାର୍ଡସଙ୍କୁ ଦକ୍ଷିଣ ଆଫ୍ରିକାର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ର ମାନ୍ୟତା ମିଳେ। ତେବେ ଆଶ୍ଚର୍ଯ୍ୟର କଥା ହେଲା ତାଙ୍କ ଭଳି ଜଣେ ମହାନ ଖେଳାଳି ଦକ୍ଷିଣ ଆଫ୍ରିକା ପକ୍ଷରୁ ମାତ୍ର ଚାରିଟି ଟେଷ୍ଟ୍ ଖେଳି ପାରିଥିଲେ। ବାରି ନିଜର ଚାରିଟି ଯାକ ଟେଷ୍ଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ହିଁ ଖେଳିଥିଲେ। ତେବେ ଦକ୍ଷତାର ଅଭାବ ପାଇଁ କିମ୍ବା ଖରାପ ଫର୍ମ ପାଇଁ ସେ ଏତେ କମ୍ ସଂଖ୍ୟକ ଟେଷ୍ଟ୍ ଖେଳିନଥିଲେ। ବରଂ ବର୍ଣ୍ଣବୈଷମ୍ୟ ଓ ଭେଦଭାବକୁ ସମର୍ଥନ କରୁଥିବା ଅଭିଯୋଗରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ସତୁରି ଦଶକରେ ଆଇସିସି ଦ୍ବାରା ବାସନ୍ଦ ହେବା ପରେ ବାରିଙ୍କ ଟେଷ୍ଟ୍ ଜୀବନ ଏକ ଅଙ୍କରେ ସୀମିତ ହୋଇଯାଇଥିଲା। ନିଜ ଏକମାତ୍ର ଟେଷ୍ଟ୍ ଶୃଙ୍ଖଳାରେ ବାରି ୭୨.୫୭ ହାରରେ ରନ୍ କରିବା ସହ ୫୦୮ ରନ୍ କରିଥିଲେ। ତାଙ୍କ ପାଇଁ ଦକ୍ଷିଣ ଆଫ୍ରିକା ସେହି ଶୃଙ୍ଖଳାରେ ଅଷ୍ଟ୍ରେଲିଆକୁ ୪-୦ରେ ମୂଳପୋଛ କରିଥିଲା।

ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୁଯୋଗ ନପାଇବା ପରେ ବାରି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ମନୋନିବେଶ କରିଥିଲେ। କ୍ରିକେଟର ଏହି ଫର୍ମାଟ୍‌ରେ ରନ୍‌ର ପାହାଡ଼ ମଧ୍ୟ ସୃଷ୍ଟି କରିଥିଲେ। ଅନେକ ମହାନ୍‌ ଖେଳାଳିଙ୍କ ସହ ସେ କରିଥିବା ଭାଗୀଦାରି ଆଜି ବି କ୍ରିକେଟ୍ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି। ୧୯୬୪ରୁ ୧୯୮୩ ମସିହା ମଧ୍ୟରେ ବାରି ୩୩୯ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୫୪.୭୪ ହାରରେ ୨୮,୩୫୮ ରନ୍ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୩୩୯ ରନ୍। ଗୋଟିଏ ଦିନରେ ହିଁ ସେ ୩୨୫ ରନ୍ ସଂଗ୍ରହ କରିଥିଲେ। ଆଇସିସି ମଙ୍ଗଳବାର ଏହି ମହାନ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କ ୭୫ତମ ଜନ୍ମଦିବସରେ ହାର୍ଦିକ ଅଭିନନ୍ଦନ ଜଣାଇଛି। ଫେସବୁକ୍ ଓ ଟ୍ବିଟର୍‌ରେ ତାଙ୍କୁ ଅଜସ୍ର ଅଭିନନ୍ଦନ ଅଜାଡ଼ି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe