ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ଓ ଓଡ଼ିଶା ହକି କିଂବଦନ୍ତି ପିଟର ତିର୍କୀ ପାଇବେ ଓସ୍‍ଜା ବାର୍ଷିକ କ୍ରୀଡ଼ା ପୁରସ୍କାର

Advertisment

କଟକ ବାରବାଟୀ ଷ୍ଟାଡିୟମ୍‌ସ୍ଥିତ ଓସିଏ ସମ୍ମିଳନୀରେ ହେବ ସମାରୋହର ଆୟୋଜନ

କଟକ ବାରବାଟୀ ଷ୍ଟାଡିୟମ୍‌ସ୍ଥିତ ଓସିଏ ସମ୍ମିଳନୀରେ ହେବ ସମାରୋହର ଆୟୋଜନ

ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ଓ ଓଡ଼ିଶା ହକି କିଂବଦନ୍ତି ପିଟର ତିର୍କୀ ପାଇବେ ଓସ୍‍ଜା ବାର୍ଷିକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ହକି କିଂବଦନ୍ତି ପିଟର ତିର୍କୀ  ସଫଳ ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ୨୦୨୩ ବର୍ଷର ଓସ୍‍ଜା (ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ) ବାର୍ଷିକ କ୍ରୀଡା ପୁରସ୍କାର ହାସଲ କରିବେ। ଏକଲବ୍ୟ ପୁରସ୍କାର ବିଜୟିନୀ ସ୍ୱସ୍ତିଙ୍କୁ ୨୦୨୨ ମସିହାର ସଫଳତା ପାଇଁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ଏବଂ ପିଟର ତିର୍କୀଙ୍କୁ ଜୀବନବ୍ୟାପୀ ସେବା ପାଇଁ ପୁରସ୍କାର ପ୍ରଦାନ କରାଯିବ। ଚଳିତ ମାସ ୨୧ ତାରିଖରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମ୍‌ସ୍ଥିତ ଓସିଏ ସମ୍ମିଳନୀ ଗୃହରେ ଓସ୍‌ଜାର ଅଷ୍ଟମ ପ୍ରତିଷ୍ଠା ଦିବସରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ‘ଓସ୍‍ଜା’ ସଭାପତି ସନ୍ଦୀପ ମିଶ୍ର ଓ ସମ୍ପାଦକ ‌ଦେବୀ ପ୍ରସନ୍ନ ମହାନ୍ତି ପ୍ରକାଶ କରିଛନ୍ତି। ଦୁଇ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ପ୍ରଶସ୍ତି ପତ୍ର, ଉତ୍ତରୀୟ ଏବଂ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ମାନୀତ କରାଯିବ।

ଖେଳାଳିରୁ ପ୍ରଶିକ୍ଷକ ପାଲଟିଥିବା ପିଟର ତିର୍କୀ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ହକି ଖେଳାଳି। ୧୯୮୨ ମସିହାରେ କୁଆଲାଲମ୍ପୁରଠାରେ ଅନୁଷ୍ଠିତ ଜୁନିୟର ହକି ବିଶ୍ୱକପ୍‌ରେ ସେ ଭାରତୀୟ ଦଳରୁ ଖେଳିଥିଲେ। ଜଣେ ଭଲ ଡିଫେଣ୍ଡର ଭାବରେ ଖ୍ୟାତ ଥିବା ପିଟର ବହୁ ବର୍ଷ ଓଡ଼ିଶା ପକ୍ଷରୁ ସିନିୟର ନ୍ୟାସନାଲରେ ଖେଳିଛନ୍ତି। ରାଉରକେଲା ସେଲ୍‌ ଏକାଡେମୀର ପ୍ରଶିକ୍ଷକ ଭାବରେ ବୀରେନ୍ଦ୍ର ଲାକ୍ରା ଏବଂ ଶିଳାନନ୍ଦ ଲାକ୍ରାଙ୍କ ଭଳି ଖେଳାଳି ସୃଷ୍ଟି ସେ କରିଛନ୍ତି।

ସର୍ବଭାରତୀୟ କ୍ରୀଡା ସାମ୍ବାଦିକ ସଂଘ (ଏସଜେଏଫଆଇ)ର ଅନୁବନ୍ଧିତ ସଂସ୍ଥା ଓସ୍‍ଜା ୨୦୧୮ରୁ ବାର୍ଷିକ ପୁରସ୍କାର ପ୍ରଦାନ କରୁଛି। ପ୍ରଥମ ବର୍ଷ ଆଥ୍‌ଲେଟ୍‌ ପୂର୍ଣ୍ଣିମା ହେମ୍ବ୍ରମ ଓ ବିଶିଷ୍ଟ ଫୁଟ୍‌ବଲର୍‌ ଦେବ ସିଂହ, ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ପ୍ରଶିକ୍ଷକ ବ୍ରଜଭୂଷଣ ମହାନ୍ତି, ୨୦୨୦ରେ ପାରା ବ୍ୟାଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ଓ ଦୌଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ୍‌ ଗ୍ରାଣ୍ଡ ମାଷ୍ଟର ସ୍ୱୟମ୍ସ ମିଶ୍ର ଓ ଦୌଡ଼କୁଦ ପ୍ରଶିକ୍ଷକ ଅରୁଣ ଦାସ ଏବଂ ୨୦୨୨ରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା ଓ କିଂବଦନ୍ତି ବାସ୍କେଟ୍‌ବଲ୍‌ ଖେଳାଳି ତଥା ପ୍ରଶିକ୍ଷକ ଅରୂପାନନ୍ଦ ରାଉତରାୟଙ୍କୁ ଓସ୍‌ଜା ସମ୍ମାନ ପ୍ରଦାନ କରାଯାଇଥିଲା।

ଅନ୍ୟତମ ରାଉରକେଲା ନିବାସୀ ସ୍ୱସ୍ତି ସିଂହ ବର୍ତ୍ତମାନ ଦିଲ୍ଲୀସ୍ଥିତ ଜାତୀୟ ସାଇକେଲ ଏକାଡେମୀରେ ମୁଖ୍ୟ ଜାତୀୟ ପ୍ରଶିକ୍ଷକ ଭିଏନ୍‌ ସିଂହଙ୍କ ଅଧିନରେ ତାଲିମ ନେଉଛନ୍ତି। ଭାରତ ପକ୍ଷରୁ ଏକାଧିକ ଆନ୍ତାର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିଥିବା ସ୍ୱସ୍ତି ୨୦୨୨ରେ ଏସୀୟ ପଦକ ସହିତ ଜାତୀୟ ପ୍ରତିଯୋଗିତାରେ ରୋଡ୍‌ ରେସ, ଓମନିୟମ ଏବଂ ଟ୍ରାକ୍‌ ଇଭେଣ୍ଟରେ ସଂଖ୍ୟାଧିକ ପଦକ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe