ପୂର୍ଣ୍ଣିମା ଓ ଦେବେନ୍ଦ୍ର ପାଇବେ ଓସ୍‌ଜା ପୁରସ୍କାର

ପୂର୍ଣ୍ଣିମା ଓ ଦେବେନ୍ଦ୍ର ପାଇବେ ଓସ୍‌ଜା ପୁରସ୍କାର

ଭୁବନେଶ୍ୱର: ହେପ୍ଟାଥଲନ୍‌ କ୍ରୀଡ଼ାବିତ୍‌ ପୂର୍ଣ୍ଣିମା ହେମ୍ବ୍ରମ୍‌ ଏବଂ ଅନ୍ତର୍ଜାତୀୟ ଫୁଟ୍‌ବଲର୍‌ ଦେବେନ୍ଦ୍ର ପ୍ରସାଦ ସିଂହଙ୍କୁ ମିଳିବ ପ୍ରଥମ ସସ୍କରଣ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ବାର୍ଷିକ ପୁରସ୍କାର। ୨୦୧୭-୧୮ ମସିହାର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ଦୁଇ ଥର ଏସୀୟ ଦୌଡ଼କୁଦ ପଦକ ବିଜୟିନୀ ପୂର୍ଣ୍ଣିମା ହେମ୍ବ୍ରମ୍‌ ମନୋନୀତ ହୋଇଥିବାବେଳେ ଦେବେନ୍ଦ୍ର ପ୍ରସାଦ ସିଂହଙ୍କୁ ପ୍ରଦାନ କରାଯିବ ଜୀବନବ୍ୟାପୀ ଅବଦାନ ସମ୍ମାନ। ମାର୍ଚ ମାସ ୨୧ ତାରିଖ ବୁଧବାର ମଧ୍ୟାହ୍ନରେ ଓସ୍‌ଜାର ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହା ପ୍ରଦାନ କରାଯିବ। ଉଭୟଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ସହିତ ମାନପତ୍ର ଏବଂ ଫଳକ ପ୍ରଦାନ କରାଯିବ। ଓସ୍‌ଜାର ଏକ ୫ ଜଣିଆ ବିଚାରକ ମଣ୍ଡଳି ଉଭୟଙ୍କ ଚୟନକୁ ଚୂଡାନ୍ତ କରିଥିଲେ।
ବିଗତ ଆର୍ଥିକ ବର୍ଷ ଭିତରେ ୨୪ ବର୍ଷୀୟା ମୟୂରଭଞ୍ଜ ଝିଅ ପୂର୍ଣ୍ଣିମା ଭୁବନେଶ୍ୱରରେ ଅନୁଷ୍ଠିତ ଏସୀୟ ଦୌଡ଼କୁଦରେ ହେପ୍ଟାଥଲନ୍‌ କାଂସ୍ୟ ପଦକ ଏବଂ ତୁର୍କମେନିସ୍ତାନର ଆଶଗବତରେ ଅନୁଷ୍ଠିତ ଏସୀୟ ଇନ୍‌ଡୋର୍‌ ଆଣ୍ଡ୍‌ ମାର୍ସାଲ୍‌ ଆର୍ଟ ଗେମ୍‌ସରେ ପେଣ୍ଟାଥଲନ୍‌ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚଳିତ ମାସରେ ପାତିଆଲାରେ ୨୨ତମ ଫେଡେରେସନ୍‌ କପ୍‌ରେ ହେପ୍ଟାଥଲନ୍‌ ସ୍ୱର୍ଣ୍ଣ ଜିତିବା ସହିତ ଆସନ୍ତା ମାସର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଜାତୀୟ ସ୍ତରରେ ନିଜ ପ୍ରାଧାନ୍ୟ ଅବ୍ୟାାହତ ରଖି ପୂର୍ଣ୍ଣିମା ବିଗତ ୧୨ ମାସ ମଧ୍ୟରେ ୬ ସ୍ୱର୍ଣ୍ଣ ସହିତ ୧୦ ପଦକ ମଧ୍ୟ ଜିତିଥିଲେ।
ଅନ୍ୟପକ୍ଷରେ ରାଜ୍ୟ ଫୁଟ୍‌ବଲ୍‌କୁ ଢ଼େର ଅବଦାନ ରଖିଥିବା ୭୦ ବର୍ଷୀୟ ଦେବେନ୍ଦ୍ର ପ୍ରସାଦ ସିଂହ ରାଜ୍ୟ ସନ୍ତୋଷ ଟ୍ରଫି ଦଳରୁ ଖେଳିବା ଏବଂ ନେତୃତ୍ୱ ନେବା ସହିତ ବର୍ମା (ବର୍ତମାନ ମ୍ୟାଁମାର) ବିପକ୍ଷରେ ଅନ୍ତର୍ଜାତୀୟ ବଂଧୁତ୍ୱପୂର୍ଣ୍ଣ ଫୁଟ୍‌ବ୍‌ଲ ମ୍ୟାଚ୍‌ ଖେଳିବାର ଗୌରବମୟ ଅଧାୟ ସଂଯୋଗ କରିଥିଲେ। ପୁଲିସ୍‌ରୁ ଅବସରପ୍ରାପ୍ତ ଶ୍ରୀଯୁକ୍ତ ସିଂହ ନିଜ ପୁଅ ରାଜେନ୍ଦ୍ର ପ୍ରସାଦ ସିଂହଙ୍କୁ ମଧ୍ୟ ରାଜ୍ୟର ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଳି ଭାବେ ଗଢ଼ି ତୋଳିବାରେ ସଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe