ଭୁବନେଶ୍ବର: ରାଜ୍ୟର ପ୍ରଥମ ପେସାଦାର ଫୁଟ୍ବଲ୍ କ୍ଲବ୍ ଭାବେ ଜନ୍ମ ନେଇଥିବା ‘ଓଡ଼ିଶା ଏଫ୍ସି’ର ଲୋଗୋ ରବିବାର ଉନ୍ମୋଚିତ ହୋଇଛି। କୌଣସି ଉତ୍ସବ ନୁହେଁ ସାମାଜିକ ଗଣମାଧ୍ୟମ ଫେସବୁକ୍ ଏବଂ ଟ୍ବିଟର୍ ଆକାଉଣ୍ଟ୍ ଜରିଆରେ ଲୋଗୋ ଅପଲୋଡ୍ କରାଯାଇ ଅଭିଯାନ ଆରମ୍ଭ କରାଯାଇଛି। ଗତ ମାସରେ ଦିଲ୍ଲୀ ସକ୍କର ପ୍ରାଇଭେଟ୍ ଲିମିଟେଡ୍ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହେବା ପରେ ଆଇଏସ୍ଏଲ୍ ଦଳ ଦିଲ୍ଲୀ ଡାଇନାମସ୍ର ନାମ ଓଡ଼ିଶା ଏଫସି ହୋଇଥିଲା। ଓଡ଼ିଶା ଫୁଟ୍ବଲ୍ କ୍ଲବ୍ (ଓଡ଼ିଶା ଏଫସି)ର ଏହି ଲୋଗୋରେ ଓଡ଼ିଶାର ଐତିହ୍ୟ ଏବଂ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିଛି। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଥିବା ୨୪ ଚକ ଏଥିରେ ସ୍ଥାନ ପାଇଛି। ସେହିଭଳି ବିଶ୍ବର ଅନ୍ୟତମ ଜାହାଜ କମ୍ପାନି ଜିଏମ୍ଏସ୍ର ପ୍ରତିଫଳନ ମଧ୍ୟ ଏହା ଉପରେ ଜାହାଜ ରୂପରେ ରହିଛି। ଏହି ଅବସରରେ ଓଡ଼ିଶା ଏଫସି ନିର୍ଦେଶକ ରୋହନ ଶର୍ମା କହିଛନ୍ତି, ‘ଓଡ଼ିଶା ଲୋକଙ୍କ ସହ ଯୋଡ଼ି ହେବା ଲାଗି ଲୋଗୋ ହିଁ ପ୍ରଥମ ପଦକ୍ଷେପ। ଏହା ଏକ ଜୀବନ୍ତ ଏବଂ ରଙ୍ଗଭରା ରାଜ୍ୟ, ଲୋଗୋ ଏହାର ପ୍ରତିନିଧିତ୍ବ କରୁଛି। ଓଡ଼ିଶାର ପ୍ରାଚୁର୍ଯ୍ୟଭରା ଐତିହ୍ୟ ଓ ସଂସ୍କୃତିକୁ କୋଣାର୍କ ଚକ ମାଧ୍ୟମରେ ପ୍ରତିଫଳିତ କରାଯାଇଛି’। ଏଥି ସହିତ ଓଡ଼ିଶା ଏଫ୍ସି ପାଇଁ ଓଡ଼ିଆ ଇଂରାଜୀ ମିଶା ସ୍ଲୋଗାନ ‘ଆମଟିମ୍ଆମଗେମ୍’ (ଆମ ଦଳ ଆମ ଖେଳ) ରଖାଯାଇଛି। ସୂଚନାଯୋଗ୍ୟ, ଇଣ୍ଡିଆନ୍ ସୁପର୍ ଲିଗ୍ର ଷଷ୍ଠ ଋତୁ ଅକ୍ଟୋବର ୨୦ରୁ ଆରମ୍ଭ ହେବ। ଓଡ଼ିଶା ଏଫ୍ସି ଏହାର ପ୍ରଥମ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ରେ ନଭେମ୍ବର ୨୪ ତାରିଖରେ ଖେଳିବ।
ଓଡ଼ିଶା ଏଫ୍ସି ଲୋଗୋରେ କୋଣାର୍କ ଚକ, ନଭେମ୍ବର ୨୪ରେ କଳିଙ୍ଗ ଷ୍ଟାଡିୟମ୍ରୁ ଅଭିଯାନ
Advertisment
Follow Us