ଆଇପିଏଲ୍‌ ନିଲାମରେ ପୋଦ୍ଦାର

Advertisment
ଆଇପିଏଲ୍‌ ନିଲାମରେ ପୋଦ୍ଦାର

କଟକ: ଭାରତୀୟ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକାଦଶ ସଂସ୍କରଣ ଖେଳାଳି ନିଲାମରେ ଓଡ଼ିଶାରୁ ଗୋବିନ୍ଦ ପୋଦ୍ଦାର ସ୍ଥାନ ପାଇଛନ୍ତି। ଗତ ୨୦ ତାରିଖରେ ପ୍ରକାଶିତ ୫୭୮ ଜଣିଆ ତାଲିକାରେ ଓଡ଼ିଶାରୁ ଏକମାତ୍ର ଖେଳାଳିଭାବେ ଗୋବିନ୍ଦ ସ୍ଥାନ ପାଇଛନ୍ତି। ତାଙ୍କର ମୂଳ ଦର ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଫଳରେ ପୂର୍ବରୁ ଆଇପିଏଲ୍‌ ଖେଳିସାରିଥିବା ବିପ୍ଳବ ସାମନ୍ତରାୟ ଓ ଅଭିଷେକ ରାଉତଙ୍କ ନାମକୁ ମଧ୍ୟ ବାଦ୍‌ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଓଡ଼ିଶାରୁ ୭ଜଣ ଖେଳାଳି ଆବେଦନ କରିଥିଲେ। ରଣଜୀ ଅଧିନାୟକ ଗୋବିନ୍ଦଙ୍କ ସହ ବିପ୍ଳବ ସାମନ୍ତରାୟ, ରାଜେଶ ଧୂପର, ଶୁଭ୍ରାଂଶୁ ସେନାପତି, ସୂର୍ଯ୍ୟକାନ୍ତ ପ୍ରଧାନ, ଶୁଭମ୍‌ ନାୟକ ଓ ଅଭିଷେକ ରାଉତ ଏଥି ପାଇଁ ଅବେଦନ କରିଥିଲେ। ଗୋବିନ୍ଦଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନରେ ପ୍ରଭାବିତ ହୋଇ ତାଙ୍କୁ ଏହି ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଥିବା ବିଶ୍ୱାସ କରାଯାଉଛି। ବିପ୍ଳବ ଓ ଅଭିଷେକଙ୍କ ନିକଟରେ ଆଇପିଏଲ୍‌ ଅଭିଜ୍ଞତା ଥିଲେ ବି ସେମାନେ ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ସଦ୍ୟ ସମାପ୍ତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଗୋବିନ୍ଦ ମାତ୍ର ଦୁଇଟି ମ୍ୟାଚ ଖେଳିଥିଲେ ବି ଦୁଇଟି ଅର୍ଧଶତକ (୬୪, ୫୫) ଅର୍ଜନ କରିବା ସହିତ ଦୁଇଟି ଓ୍ଵିକେଟ ମଧ୍ୟ ଅକ୍ତିଆର କରିଥିଲେ। ଏହା ବ୍ୟତୀତ ଟେ୍ଵଣ୍ଟି-୨୦ ଜୀବନରେ ସେ ୨୭ ମ୍ୟାଚ ଖେଳିସାରିଛନ୍ତି। ୩୫.୨୬ ହାରରେ ଗୋବିନ୍ଦ ୮୧୧ ରନ୍‌ ସଂଗ୍ରହ କରିଛନ୍ତି। ଚଳିତ ମାସରେ ଝାଡ଼ଖଣ୍ଡ ବିପକ୍ଷରେ ରାଞ୍ଚିରେ ସଂଗ୍ରହ କରିଥିବା ୬୪ ରନ୍‌ ତାଙ୍କର ସର୍ବାଧିକ। ଅନ୍ୟପକ୍ଷରେ ପାର୍ଟ ଟାଇମ୍‌ ବୋଲର ଭାବେ ୪ ଓ୍ଵିକେଟ ମଧ୍ୟ ଅକ୍ତିଆର କରିଛନ୍ତି। ଗତ ରଣଜୀ ଋତୁରେ ଓଡ଼ିଶାର ନେତୃତ୍ୱ ନେଇଥିବା ଗୋବିନ୍ଦ ଗୋଟିଏ ଶତକ ସହିତ ଥରେ ୭ ଓ୍ଵିକେଟ୍‌ ସଫଳତା ପାଇବା ମଧ୍ୟ ଉଲ୍ଲେଖନୀୟ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe