କରାଚି: ଭାରତଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ କ୍ରିକେଟ୍ରେ ପ୍ରଥମ ମୁଣ୍ଡ ଗଡ଼ିଛି। ପୂର୍ବତନ କ୍ରିକେଟ୍ର ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କ୍ରିକେଟ୍ ସମିତି ମୁଖ୍ୟ ମୋହସିନ ଖାନ୍ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପିସିବି ଅଧ୍ୟକ୍ଷ ଏହସାନ ମଣିଙ୍କୁ ପତ୍ର ଲେଖି କ୍ରିକେଟ୍ ସମିତି ମୁଖ୍ୟ ପଦରୁ ତାଙ୍କୁ ମୁକ୍ତ କରିବାକୁ ମୋହସିନ ଅନୁରୋଧ କରିଛନ୍ତି। ମୋହସିନଙ୍କ ଇସ୍ତଫା ପରେ ପିସିବି ପରିଚାଳନା ନିର୍ଦେଶକ ୱାସିମ ଖାନ୍ ସଂପ୍ରତି ତାଙ୍କ କାମ ଦେଖାଶୁଣା କରିବେ। ୱାସିମଙ୍କ ଅଧ୍ୟକ୍ଷରେ ସମିତି ପାକିସ୍ତାନ କ୍ରିକେଟ୍ ଦଳ ଏବଂ ପ୍ରଶିକ୍ଷକ ମଣ୍ଡଳିର ଗତ ତିନି ବର୍ଷର ପ୍ରଦର୍ଶନକୁ ତର୍ଜମା କରି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ। ଏହା ପୂର୍ବରୁ ଗୁରୁବାର ବସିଥିବା ପିସିବି ପରିଚାଳନା ପରିଷଦ ବୈଠକରେ ସମ୍ବିଧାନ ସଂଶୋଧନ କରି ପରିଚାଳନା ନିର୍ଦେଶକଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି। ମୋହସିନଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିଲେ ମଧ୍ୟ ବିଶ୍ବକପ୍ ପରେ ତାଙ୍କୁ ପାକିସ୍ତାନ କ୍ରିକେଟ୍ରେ ବଡ଼ ଦାୟିତ୍ବ ମିଳିପାରେ ବୋଲି ମଣି ସଙ୍କେତ ଦେଇଛନ୍ତି। ଚଳିତ ବିଶ୍ବକପ୍ରେ ମୋହସିନ, ୱାସିମ ଓ ପୂର୍ବତନ ଅଧିନାୟକ ମିସବା-ଉଲ୍-ହକ୍ ୟୁ-ଟ୍ୟୁବ୍ ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ କ୍ରିକେଟ୍ ବିଶେଷଜ୍ଞଭାବେ ଅଂଶ ଗ୍ରହଣ କରୁଛନ୍ତି। ତିନି ଜଣ ଯାକ ପାକିସ୍ତାନ ଦଳର ବିଶ୍ବକପ୍ ପ୍ରଦର୍ଶନକୁ ସମାଲୋଚନା କରିଛନ୍ତି। କ୍ରିକେଟ୍ ସମିତିର ପୁନର୍ଗଠନ ପାଇଁ ମଧ୍ୟ ୱାସିମ ଟେଲିଭିଜନ୍ ବିତର୍କ ବେଳେ ଆହ୍ବାନ କରିଥିଲେ।
ପାକିସ୍ତାନ କ୍ରିକେଟ୍ ସମିତି ମୁଖ୍ୟ ମୋହସିନ ଖାନ୍ଙ୍କ ଇସ୍ତଫା
Advertisment
Follow Us