Pakistan'n players celebrate dismissal of Sri Lanka's Upul Tharanga during their third ODI cricket match in Sharjah, United Arab Emirates, Friday, Oct. 20, 2017. (AP Photo/Kamran Jebreili)
ସାରଜା : ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ପାକିସ୍ତାନର ବିଜୟ ଧାରା ଜାରି ରହିଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା ପାକିସ୍ତାନ ବୁଧବାର ମ୍ୟାଚ୍ ଭଳି ଶୁକ୍ରବାର ଚତୁର୍ଥ ଦିନିକିଆରେ ମଧ୍ୟ ସମାନ ୭ ଓ୍ଵିକେଟ୍ ବ୍ୟବଧାନର ବିଜୟ ସହିତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୪-୦ରେ ଆଗୁଆ କରାୟତ କରି ନେଇଛି।
ଶୁକ୍ରବାର ପାକିସ୍ତାନୀ ବୋଲରମାନେ ଶ୍ରୀଲଙ୍କା ପାଳିକୁ ୪୩.୪ ଓଭରରେ ୧୭୩ ରନ୍ରେ ସୀମିତ ରଖିଥିଲେ। ଲାହିରୁ ଥିରିମାନେ (୬୨, ୯୪ ବଲ୍, ୪ ଚୌକା) ଏକମାତ୍ର ଅର୍ଧଶତକ ହାସଲ କରିଥିଲେ। ହାସନ୍ ଅଲୀ (୩/୩୭), ଇମଦ୍ ଓ୍ଵାସିମ୍ (୨/୧୩), ସାଦବ ଖାନ୍ (୨/୨୯), ଜୁନୈଦ ଖାନ୍ (୧/୨୨), ଉସ୍ମାନ ଖାନ୍ (୧/୩୮) ଓ୍ଵିକେଟ ବଣ୍ଟୁଆରା କରି ନେଇଥିଲେ।
ଜବାବରେ ପାକିସ୍ତାନ ୫୮ ରନ୍ରେ ୩ ଓ୍ଵିକେଟ୍ ହରାଇଥିଲା। କିନ୍ତୁ ଚମତ୍କାର ସ୍ପର୍ଶରେ ଥିବା ବାବର ଆଜମ (୬୯*, ୧୦୧ ବଲ୍, ୫ ଚୌକା) ଏବଂ ସୋଏବ ମଲ୍ଲିକ (୬୯*, ୮୧ ବଲ୍, ୨ ଚୌକା, ୩ ଛକା) ଅତୁଟ ଚତୁର୍ଥ ଓ୍ଵିକେଟ୍ ପାଇଁ ଶତକୀୟ ଭାଗୀଦାରି (୧୧୯*, ୨୬ ଓଭର) କରି ଦଳକୁ ୧୧ ଓଭର ପୂର୍ବରୁ ବିଜୟୀ କରାଇଥିଲେ। ସିରିବର୍ଧନେଙ୍କୁ ଚୌକା ଓ ଛକା ମାରି ସୋଏବ ମଲ୍ଲିକ ମ୍ୟାଚ୍ ଶେଷ କରିଥିଲେ। ଏଥି ସହିତ ଶ୍ରୀଲଙ୍କା ଲଗାତାର ଏକାଦଶ ପରାଜୟ ବରଣ କରିଥିଲା।
ବାବର ଆଜମ ପୁଣି ଥରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପାକିସ୍ତାନ ପକ୍ଷରୁ ପଦାର୍ପଣ କରିଥିବା ଦ୍ରୁତ ବୋଲର ଉସ୍ମାନ ଖାନ୍ ଶ୍ରୀଲଙ୍କା ଅଧିନାୟକ ଉପୁଲ ଥରଙ୍ଗାଙ୍କୁ ଶୂନରେ ଆଉଟ୍ କରିଥିଲା ବେଳେ ଶ୍ରୀଲଙ୍କା ପକ୍ଷରୁ ପଦାର୍ପଣ କରିଥିବା ବ୍ୟାଟ୍ସମ୍ୟାନ୍ ସମରବିକ୍ରମା ଶୂନରେ ଆଉଟ୍ ହୋଇଥିଲେ।
Follow Us