ପ୍ରଥମ ଟି-୨୦ରେ ଇଂଲଣ୍ଡକୁ ହରାଇଲା ପାକିସ୍ତାନ: ବାବର-ରିଜ୍‌ୱାନ୍‌ଙ୍କ ଭାଗୀଦାରି ଆଗରେ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ଶତକ ଫିକା

Advertisment
ପ୍ରଥମ ଟି-୨୦ରେ ଇଂଲଣ୍ଡକୁ ହରାଇଲା ପାକିସ୍ତାନ: ବାବର-ରିଜ୍‌ୱାନ୍‌ଙ୍କ ଭାଗୀଦାରି ଆଗରେ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ଶତକ ଫିକା

The Indian Express

ନଟିଂହାମ୍‌ (ଟ୍ରେଣ୍ଟ୍‌ବ୍ରିଜ୍‌) : ଅଧିନାୟକ ବାବର ଆଜମ୍‌ ଓ ୱିକେଟ୍‌ରକ୍ଷକ ରିଜ୍‌ୱାନ୍‌ ଅହମ୍ମଦଙ୍କ କୀର୍ତ୍ତିମାନଭରା ଭାଗୀଦାରି ପରେ ସାହିନ ଆଫ୍ରିଦି ଓ ସାଦବ ଖାନ୍‌ଙ୍କ ଦମ୍‌ଦାର ବୋଲିଂ ନିକଟରେ ତିଷ୍ଠି ପାରିଲାନି ଘରୋଇ ଇଂଲଣ୍ଡ ଦଳ। ଲିଆମ ଲିଭିଙ୍ଗ୍‌ଷ୍ଟୋନ୍‌ (୧୦୩ ରନ୍‌, ୪୩ ବଲ୍‌, ୬ ଚୌକା, ୯ ଛକା)ଙ୍କ ବିସ୍ଫୋରକ ଶତକୀୟ ପାଳିକୁ ଫିକା ପକାଇ ଭ୍ରମଣକାରୀ ପାକିସ୍ତାନ ଶୁକ୍ରବାର ରାତିରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌କୁ ୩୧ ରନ୍‌ରେ ଜିତିନେଲା। ସାହିନ ଆଫ୍ରିଦି (୩.୨-୦-୩୦-୩) ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଯାଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୦-୩ ମୂଳପୋଛ ହେବା ପରେ ଚଳିତ ଗସ୍ତରେ ପାକିସ୍ତାନ ଦଳର ଏହା ମଧ୍ୟ ପ୍ରଥମ ବିଜୟ ଥିଲା।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ପାଇଁ ପାକିସ୍ତାନକୁ ଆମନ୍ତ୍ରଣ କରିଥିଲା। ହେଲେ ଦୁଇ ଓପ୍‌ନର ରିଜ୍‌ୱାନ (୬୩ ରନ୍‌, ୪୧ ବଲ୍‌, ୮ ଚୌକା, ୧ ଛକା) ଓ ବାବର (୮୫ ରନ୍‌, ୪୯ ବଲ୍‌, ୮ ଚୌକା, ୩ ଛକା) ପ୍ରଥମ ୱିକେଟ୍‌ରେ ୧୫୦ ରନ୍ ଯୋଡ଼ି ଇଂଲଣ୍ଡ ନିଷ୍ପତ୍ତିକୁ ଭୁଲ୍‌ ପ୍ରମାଣିତ କରିଦେଇଥିଲେ। ଏହା ମଧ୍ୟ ପାକିସ୍ତାନ ପାଇଁ କୌଣସି ବି ୱିକେଟ୍‌ରେ ଦ୍ବିତୀୟ ସର୍ବୋଚ୍ଚ ‌ଭାଗୀଦାରୀ ଥିଲା। ଏହି ଦୁଇଜଣଙ୍କ ପରେ ଫକର ଜମନ (୨୬ ରନ୍‌, ୮ ବଲ୍‌, ୧ ଚୌକା, ୩ ଛକା), ମହମ୍ମଦ ହାଫିଜ୍‌ (୨୪ ରନ୍‌, ୧୦ ବଲ୍‌, ୧ ଚୌକା, ୩ ଛକା) ଓ ମକ୍‌ସୁଦ୍‌ (୧୯ ରନ୍‌, ୭ ବଲ୍‌, ୧ ଚୌକା, ୨ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ସ୍କୋର୍‌ ୨୩୨/୬ରେ ପହଞ୍ଚିଯାଇଥିଲା। ଯାହାକି ଟ୍ରେଣ୍ଟ୍‌ବ୍ରିଜ୍‌ରେ ଏହି ଦଳର ସର୍ବୋଚ୍ଚ ଟି-୨୦ ଆନ୍ତର୍ଜାତିକ ସ୍କୋର୍‌ କୀର୍ତ୍ତିମାନ ବହନ କରିଥିଲା। ଟମ୍‌ କରନ (୨/୪୭) ଇଂଲଣ୍ଡ ପକ୍ଷରୁ ସଫଳ ବୋଲର ରହିଥିଲେ।

ଜବାବରେ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ଶତକ ସାଙ୍ଗକୁ ଜାସନ ରୟ (୩୨, ୧୩ ବଲ୍‌, ୨ ‌ଚୌକା, ୩ ଛକା), ଅଧିନାୟକ ଇଅନ୍‌ ମୋର୍ଗାନ୍‌ (୧୬), ଡେଭିଡ୍‌ ୱିଲି (୧୬), ଜନି ବେୟାରଷ୍ଟୋ (୧୧) ଓ ଲୁଇସ୍‌ ଗ୍ରିଗୋରୀ (୧୦)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ସତ୍ତ୍ବେ ଇଂଲଣ୍ଡ ୧୯.୨ ଓଭରରେ ୨୦୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ସାହିନ ଆଫ୍ରିଦି ଓ ସାଦବ ଖାନ୍‌ଙ୍କ ୩-୩ ବ୍ୟତୀତ ଇମାଦ ୱାସିମ୍‌, ମହମ୍ମଦ ହାସ୍‌ନେନ୍‌ ଓ ହାରିସ୍‌ ରଫ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଏହି ମ୍ୟାଚ୍‌ରେ ପାକିସ୍ତାନ ୧୨ ଛକା ଓ ୨୦ ଚୌକା ମାରିଥିଲା ବେଳେ ଇଂଲଣ୍ଡ ୧୫ ଛକା ଓ ୧୧ ଚୌକା ମାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe