Pakistani Hockey Players : କି ଅବସ୍ଥା ! ଅଷ୍ଟ୍ରେଲିଆରେ ବାସନ ମାଜିଲେ ପାକିସ୍ତାନ ହକି ଖେଳାଳି...

Advertisment
New Project (1)

Pakistani Hockey Players Photograph: (sambad.in)

ସିଡ୍‌ନି: ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ ହକି ଦଳ ଘୋର ହଟହଟାର ସମ୍ମୁଖୀନ ହୋଇଛି। ଆର୍ଥିକ ସଙ୍କଟ ତଥା ପାକିସ୍ତାନ ହକି ମହାସଂଘ (ପିଏଚ୍‌ଏଫ୍‌)ର ଅଯୋଗ୍ୟ ପଣିଆ ପାଇଁ ଏହି ଦେଶର ଖେଳାଳିମାନେ ଘଣ୍ଟା ଘଣ୍ଟା ବିମାନ ବନ୍ଦରରେ ଅପେକ୍ଷା କରିବାକୁ ବାଧ୍ୟ ହୋଇଛନ୍ତି। ସେହିଭଳି ହୋଟେଲ ରୁମ୍‌ ବୁକ୍‌ ହୋଇ ନଥିବାରୁ କାନବେରାର ରାସ୍ତା କଡ଼ରେ ପାଖାପାଖି ଗୋଟିଏ ଓଳି ଅନାଥଙ୍କ ଭଳି ବସି ରହିଛନ୍ତି। ଭୋକ ଉପାସରେ ରହି ମ୍ୟାଚ୍‌ ଖେଳିବା ସହ ବାସନ ମାଜିବା, ରୋଷେଇ ଶାଳ ସଫା କରିବାକୁ ବି ପଡ଼ିଛି ସେମାନଙ୍କୁ। ଏହି ଘଟଣା ଏବେ ହକି ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଛି। ପିଏଚ୍‌ଏଫ୍‌ ଅଧିକାରୀଙ୍କ ଏଭଳି ଆଚରଣକୁ କ୍ରୀଡ଼ାପ୍ରେମୀମାନେ ଛି ଛାକର କରୁଛନ୍ତି।

ସୂଚନା ଅନୁସାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ହକି ଦଳ କିଛି ଦିନ ତଳେ ଲା‌‌ହୋରରୁ ସିଡ୍‌ନିରେ ପହଞ୍ଚିଥିଲା। ଖେଳାଳିମାନେ ସିଡ୍‌ନି ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ କେହି ବାସିରେ ପଚାରି ନଥିଲେ। ଖାଇବା ବ୍ୟବସ୍ଥା ବି ହୋଇ ନଥିଲା। ସିଡ୍‌ନିରୁ କାନବେରା ଯିବା ପୂର୍ବରୁ ସେମାନଙ୍କୁ ବିମାନ ବନ୍ଦରରେ ୧୩ରୁ ୧୪ ଘଣ୍ଟା କାଳ ଭୋକ ଉପାସରେ ବସିବାକୁ ପଡ଼ିଥିଲା। କାରଣ ପିଏଚ୍‌ଏଫ୍‌ ଏଥିଲାଗି କୌଣସି ଆର୍ଥିକ ସହାୟତା କରି ନଥିଲା। କାନବେରା ପହଞ୍ଚି ପିଏଚ୍‌ଏଫ୍‌ କହିଥିବା ହୋଟେଲକୁ ଯିବା ବେଳକୁ ହୋଟେଲ କତ୍ତୃପକ୍ଷ ସେମାନଙ୍କ ନାଁରେ କୌଣସି ବୁକିଂ ନାହିଁ ବୋଲି କହିଥିଲେ। ଖେଳାଳିମାନେ ଅସହାୟ ହୋଇ ରାସ୍ତା କଡ଼ରେ ବସିଥିଲା ବେଳେ କିଛି ପ୍ରବାସୀ ପାକିସ୍ତାନୀ ଓ ଅଷ୍ଟ୍ରେଲିଆ ହକି ସଂଘର ଅଧିକାରୀଙ୍କ ପ୍ରୟାସ ପାଇଁ ଶେଷରେ ହୋଟେଲ ରୁମ୍‌ ମିଳିଥିଲା। ଗସ୍ତ ୧୩ ଦିନର ଥିଲା ବେଳେ ପିଏଚ୍‌ଏଫ୍‌ ମାତ୍ର ୧୦ ଦିନର ହୋଟେଲ ବୁକିଂ କରିଥିଲା। ଖେଳାଳିଙ୍କ ଖାଇବା ପିଇବାର କୌଣସି ବ୍ୟବସ୍ଥା ମଧ୍ୟ କରି ନଥିଲା। ଏଣୁ ବୁଧବାର ସକାଳେ ଲାହୋର ଫେରିବା ପରେ ପାକିସ୍ତାନ ହକି ଦଳର ଅଧିନାୟକ ସକିଲ ଅହମ୍ମଦ ନିଜ ଦେଶର ହକି ମହାସଂଘକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। କ୍ଷୋଭର ସହ କହିଛନ୍ତି, ସବୁ ମ୍ୟାଚ୍‌ ପୂର୍ବରୁ ଆମକୁ ନିଜ ବାସନ ନିଜକୁ ମାଜିବାକୁ ପଡ଼ୁଥିଲା। ରୋଷେଇ ଶାଳ ସଫା କରିବାକୁ ହେଉଥିଲା।

ହୋଟେଲରେ ଯେତିକି ଦିନ ରୁମ୍‌ ବୁକ୍‌ ହେବା କଥା ହୋଇ ନଥିଲା। ଆମକୁ ବହୁ ସମୟ ଅଷ୍ଟ୍ରେଲିଆ ରାଜରାସ୍ତାରେ ଏତେତେଣେ ବୁଲିବାକୁ ପଡ଼ିଥିଲା। ଏସବୁ ଅତ୍ୟନ୍ତ ଲଜ୍ଜାଜନକ କଥା। ଏଭଳି ଘୋର ଅବ୍ୟବସ୍ଥା ପାଇଁ ପିଏଚ୍‌ଏଫ୍‌ ଆମକୁ କ୍ଷମା ମାଗିବା ଉଚିତ। ଏମିତି ସ୍ଥିତିରେ ଖେଳିଲେ ମ୍ୟାଚ୍‌ କେମିିତି ଜିତିବୁ ଆପଣମାନେ କୁହନ୍ତୁ। ପାକିସ୍ତାନ ମଧ୍ୟ ଏହି ଗସ୍ତର ସମସ୍ତ ମ୍ୟାଚ୍‌କୁ ଏକତରଫା ଭାବେ ହାରିଥିଲା। ଏସବୁ ଅସୁବିଧା ଓ ଲଜ୍ଜାକର ପରିସ୍ଥିତି ଲାଗି ପିଏଚ୍‌ଏଫ୍‌କୁ ଦାୟୀ କରିଛି ପାକିସ୍ତାନ କ୍ରୀଡ଼ା ବୋର୍ଡ। ପିଏଚ୍‌ଏଫ୍‌କୁ ଖେଳାଳିଙ୍କ ରହିବା, ଖାଇବା ଓ ଯାତାୟାତ ଲାଗି ୧ କୋଟି ଟଙ୍କା (ପାକିସ୍ତାନୀ) ଦିଆଯାଇଛି। ଏହା ସତ୍ତ୍ବେ ଏଭଳି ସ୍ଥିତି କେମିତି ଉପୁଜିତିଲା ତା’ର ତଦନ୍ତ ‌ହେବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି। ଖେଳାଳିମାନେ କିନ୍ତୁ ପରୋକ୍ଷରେ ଅଧିକାରୀଙ୍କ ବିରୋଧରେ ଅର୍ଥ ହଡ଼ପର ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe