ନର୍ଥ ସାଉଣ୍ଡ୍ (ଆଣ୍ଟିଗୁଆ): ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ-ଏ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଅଣସ୍ବୀକୃତ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳା ୨ ମ୍ୟାଚ୍ ପୂର୍ବରୁ ଜିତିନେଇଛି। ଅଧିନାୟକ ମନୀଷ ପାଣ୍ଡେ ଏବଂ ସ୍ପିନ୍ ଅଲ୍ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ କମାଲ୍ ବଳରେ ମଙ୍ଗଳବାର ରାତିରେ ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ଘରୋଇ ୱେଷ୍ଟଇଣ୍ଡିଜ୍-ଏ ଦଳକୁ ୧୪୮ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରି ଭାରତ ୩-୦ରେ ଆଗୁଆ ସହ ଶୃଙ୍ଖଳା ହାତେଇ ନେଇଛି। ପାଣ୍ଡେ (୧୦୦ ରନ୍, ୮୭ ବଲ୍, ୬ ଚୌକା ଓ ୫ ଛକା) ଶତକ ଜମାଇଥିଲା ବେଳେ ପାଣ୍ଡ୍ୟା ୭-୦-୨୬-୫ର ବୋଲିଂ ଚିତ୍ର ପାଇଥିଲେ। ତେବେ ମନୀଷ ପାଣ୍ଡେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ପାଣ୍ଡେଙ୍କ ଅଧିନାୟକ ପାଳି ସାଙ୍ଗକୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ୍ (୭୭ ରନ୍, ୮୧ ବଲ୍, ୮ ଚୌକା, ୧ ଛକା)ଙ୍କ ଅର୍ଧଶତକ ଏବଂ ଶ୍ରେୟସ ଆୟରଙ୍କ ୪୭ ରନ୍ ବଳରେ ୬ ୱିକେଟ୍ ହରାଇ ୨୯୫ ରନ୍ କରିନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ହନୁମା ବିହାରୀ ୨୯ ଓ ୱିକେଟ୍ରକ୍ଷକ ଈଶାନ୍ କୃଷ୍ଣନ୍ ୨୪ ରନ୍ କରିଥିଲେ। ଦ୍ବିତୀୟ ୱିକେଟ୍ରେ ଗିଲ୍ ଓ ଆୟରଙ୍କ ୧୦୯ ଏବଂ ଚତୁର୍ଥ ୱିକେଟ୍ରେ ପାଣ୍ଡେ ଓ ବିହାରୀଙ୍କ ୧୧୦ ରନ୍ ଭାଗୀଦାରି ଭାରତ ପାଳିର ଉଲ୍ଲେଖନୀୟ ଥିଲା। ଇଣ୍ଡିଜ୍ର ସଫଳ ବୋଲର ଭାବେ ସେଫାର୍ଡ ଓ କର୍ନୱାଲ ୨ ଲେଖାଏଁ ୱିକେଟ୍ ପାଇଥିଲେ।
ଜବାବରେ କ୍ରୁନାଲ ପାଣ୍ଡ୍ୟା (୫/୨୬) ଓ ହନୁମା ବିହାରୀ (୨/୨୩) ୭ ୱିକେଟ୍ ବାଣ୍ଟିନେବାରୁ ଘରୋଇ ଦଳ ୧୫.୪ ଓଭର ପୂର୍ବରୁ ସବୁ ୱିକେଟ୍ ହରାଇଥିଲା। ଦଳ ୩୪.୨ ଓଭରରେ ୧୪୭ ରନ୍ କରି ସମସ୍ତ ୱିକେଟ୍ ହରାଇବାରୁ ୧୪୮ ରନ୍ର ପରାଜୟ ବରଣ କରିଥିଲା। ଦଳ ପକ୍ଷରୁ କିମୋ ପଲ୍ ସର୍ବାଧିକ ୩୪ ରନ୍ କରିଥିଲା ବେଳେ ସୁନିଲ ଅମ୍ବ୍ରିସ୍ (୩୦), ଜନ୍ କାମ୍ପବେଲ୍ (୨୧), ରିଫର (୧୯) ଓ ଅଧିନାୟକ ରସ୍ତନ୍ ଚେଜ୍ (୧୫) ଦୁଇ ଅଙ୍କ ଅତିକ୍ରମ କରିପାରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us