ପାଣ୍ଡ୍ୟା, ପନ୍ତ ଓ ସୂର୍ଯ୍ୟଙ୍କ ଚମକ: ଅଭ୍ୟାସ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇଲା ଭାରତ

Advertisment
ପାଣ୍ଡ୍ୟା, ପନ୍ତ ଓ ସୂର୍ଯ୍ୟଙ୍କ ଚମକ: ଅଭ୍ୟାସ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇଲା ଭାରତ

Hindustan Times

ନ୍ୟୁୟର୍କ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଖେଳିଥିବା ବାଂଲାଦେଶ ବିପକ୍ଷ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍‌ଙ୍କ ସହ ବୋଲର ନିଜ ନିଜର ଚମକ ଛା‌ଡ଼ିଛନ୍ତି। ବି‌‌ଶେଷ କରି ଆଇପିଏଲ୍‌ରେ ଛାପ ଛାଡ଼ି ପାରି ନଥିବା ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟା ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ କରି ଫର୍ମକୁ ଫେରିବାର ଆଂଶିକ ଝଲକ ଦେଖାଇଛନ୍ତି। ଷଷ୍ଠ ସ୍ଥାନରେ ବ୍ୟାଟିଂ ଆସି ପାଣ୍ଡ୍ୟା ୨୩ ବଲ୍‌ରୁ ୪ ଛକା ଓ ୨ ଚୌକା ସହାୟତାରେ ୪୦ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ବୋଲିଂ ବେଳେ ୩୦ ରନ୍‌ରେ ଗୋଟିଏ ୱିକେଟ୍ ମଧ୍ୟ ନେଇଥିଲେ। ସେହିଭଳି ୱିକେଟ୍ ରକ୍ଷକ ଋଷଭ ପନ୍ତ ମଧ୍ୟ ଧୁଆଁଧାର ବ୍ୟାଟିଂ କରି ୩୨ ବଲ୍‌ରୁ ଚାରିଟି ଲେଖାଏଁ ଛକା, ଚୌକା ମାରି ୫୩ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୨୩ (୧୯ ବଲ୍, ୨ ଚୌକା, ୧ ଛକା) ଓ ସୂର୍ଯ୍ୟକୁମାର ଯାଦବ ୩୧ ରନ୍ (୧୮ ବଲ୍, ୪ ଚୌକା) ର ଦ୍ରୁତ ପାଳି ଖେଳିଥିଲେ। ବିଳମ୍ବରେ ଦଳ ସହ ଯୋଗ ଦେଇଥିବା ବିରାଟ କୋହଲି ଏହି ମ୍ୟାଚ୍ ଖେଳି ନଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। ଜବାବରେ ବାଂଲାଦେଶ ଭାରତୀୟ ବୋଲରଙ୍କ ମିଳିତ ଆକ୍ରମଣର ସମ୍ମୁଖୀନ ହୋଇ ନପାରି ୯ ୱିକେଟ୍ ହରାଇ ମାତ୍ର ୧୨୨ ରନ୍ କରିପାରିଥିଲା। କେବଳ ମହମ୍ମଦୁଲ୍ଲା ୪୦ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଅଧିନାୟକ ରୋହିତ ଶର୍ମା ୮ଜଣ ଭାରତୀୟ ବୋଲରଙ୍କୁ ଅଭ୍ୟାସ ସୁଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣ ୱିକେଟ୍ ନେବାରେ ସଫଳ ହୋଇଥିଲେ। ଶିବମ ଦୁବେ ଓ ଅର୍ଶଦୀପ ସିଂହ ଦୁଇଟି ଲେଖାଏଁ ୱିକେଟ୍ ନେଇ ନିଜ ଚମତ୍କାର ଫର୍ମର ପରିଚୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ହାର୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର୍: ଭାରତ ୨୦ ଓଭରରେ ୧୮୨/୫ (ଋଷଭ ପନ୍ତ ୫୩, ହାର୍ଦିକ ପାଣ୍ଡ୍ୟା ୪୦*, ସୂର୍ଯ୍ୟକୁମାର ଯାଦବ ୩୧, ରୋହିତ ଶର୍ମା ୨୩, ମହମ୍ମଦୁଲ୍ଲା ୧/୧୬, ମେହଦି ହାସନ ୧/୨୨)। ବାଂଲାଦେଶ ୨୦ ଓଭରରେ ୧୨୨/୯ (ମହମ୍ମଦୁଲ୍ଲା ୪୦, ସକିବ-ଅଲ୍-ହାସନ ୨୮, ଶିବମ ଦୁବେ ୨/୧୩, ଅର୍ଶଦୀପ ସିଂହ ୨/୧୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe