ପନ୍ତ୍‌ଙ୍କୁ ପ୍ରଥମ ଡାକରା

Advertisment

ଇଂଲଣ୍ଡ ବିପକ୍ଷ ପ୍ରଥମ ୩ ଟେଷ୍ଟ୍‌ ଲାଗି ୧୮ ଜଣିଆ ଦଳ

ଇଂଲଣ୍ଡ ବିପକ୍ଷ ପ୍ରଥମ ୩ ଟେଷ୍ଟ୍‌ ଲାଗି ୧୮ ଜଣିଆ ଦଳ

ପେନ୍‌ଙ୍କ ପୁଣି ସ୍ଲେଜିଂ: ଏଥର ପନ୍ତ୍‌ ଶିକାର

ନୂଆଦିଲ୍ଲୀ: ଅଗଷ୍ଟ ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ୩ ମୁକାବିଲା ଲାଗି ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ମଙ୍ଗଳବାର ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଆହତ ହୋଇଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଦଳରେ ସୁଯୋଗ ମିଳି ନାହିଁ। ଅନ୍ୟପକ୍ଷରେ ଦିଲ୍ଲୀ ଯୁବ ତାରକା ଋଷବ ପନ୍ତ୍‌ଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ୍‌ ଦଳରେ ସ୍ଥାନ ମିଳିଛି। ସେହିଭଳି ଚାଇନାମ୍ୟାନ୍‌ ବୋଲର କୁଲ୍‌ଦୀପ ଯାଦବ ମଧ୍ୟ ଏହି ଦଳରେ ସାମିଲ ହୋଇଛନ୍ତି। ଭାରତୀୟ ଦଳରେ ଦୀନେଶ କାର୍ତିକ ଏବଂ ପନ୍ତ୍‌ଙ୍କ ରୂପରେ ଦୁଇ ଜଣ ଓ୍ଵିକେଟ୍‌ ରକ୍ଷକ ରହିଛନ୍ତିି। ଦ୍ରୁତ ବୋଲିଂ ବିଭାଗରେ ଦିନିକିଆ ଦଳରେ ଥିବା ୨୬ ବର୍ଷୀୟ ସାର୍ଦୁଲ ଠାକୁରଙ୍କ ସହ ୟୋ ୟୋ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ମହମ୍ମଦ ସାମିଙ୍କୁ ସାମିଲ କରାଯାଇଛି। ଏହି ଦୁଇ ଜଣଙ୍କ ସହ ଅଭିଜ୍ଞ ଈଶାନ୍ତ ଶର୍ମା, ଉମେଶ ଯାଦବ ମଧ୍ୟ ଦଳରେ ଅଛନ୍ତି। ଆଘାତ ପ୍ରାପ୍ତ ହୋଇ ଦିନିକିଆ ଶୃଙ୍ଖଳାରୁ ବାଦ ପଡ଼ିଥିବା ଯସ୍‌ପ୍ରୀତ ବୁମରା ଦଳରେ ଅଛନ୍ତି। ହେଲେ ସେ ପ୍ରଥମ ଟେଷ୍ଟ୍‌ ଖେଳିବାର ଆଶା ପ୍ରାୟ ନାହିଁ ବୋଲି ଚୟନକର୍ତା ସଙ୍କେତ ଦେଇଛନ୍ତି। ଇଂଲଣ୍ଡ ଗସ୍ତର ସୀମିତ ଓଭର ପର୍ଯ୍ୟାୟରେ ଦୁଇଟି ଶତକ ଅର୍ଜନ କରିଥିବା ରୋହିତ ଶର୍ମାଙ୍କୁ ଚୟନକର୍ତା କ୍ରିକେଟର ଲମ୍ବା ରୂପ ପାଇଁ ବିଚାରକୁ ନେଇ ନାହାନ୍ତି। ବରଂ ଭାରତୀୟ ‘ଏ’ ଦଳର ଅଧିନାୟକ କରୁଣ ନାୟରଙ୍କ ଉପରେ ଚୟନକର୍ତା ଆସ୍ଥା ପ୍ରକଟ କରିଛନ୍ତି। ସ୍ପିନ୍‌ ବାହିନୀର ଦାୟିତ୍ୱ କୁଲ୍‌ଦୀପଙ୍କ ସମେତ ଦୁଇ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଏବଂ ରବିଚନ୍ଦୟନ୍‌ ଅଶ୍ୱିନ ନେବେ। ବିରାଟ କୋହଲି ଆଶା ଜନକ ଭାବେ ଅଧିନାୟକ ପଦରେ ଥିଲା ବେଳେ ଅଜିଙ୍କ୍ୟ ରାହାଣେ ଉପଅଧିନାୟକ ପଦ ବଜାୟ ରଖିଛନ୍ତି। ଘରୋଇ କ୍ରିକେଟ୍‌ରେ ୯୭.୪୨ ଷ୍ଟ୍ରାଇକ୍‌ ରେଟ୍‌ ସହ ୫୫.୪ ହାରରେ ରନ୍‌ କରିବା ପନ୍ତ୍‌ଙ୍କ ସପକ୍ଷରେ ଯାଇଛି। ଟଣ୍ଟନରେ ଖେଳା ଯାଇଥିବା େଓ୍ଵଷ୍ଟଇଣ୍ଡିଜ୍‌ ‘ଏ’ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୬୭ ରନ୍‌ କରି ସେ ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଓର୍ସେଷ୍ଟରଠାରେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଖେଳିଥିବା ଅଣଆନୁଷ୍ଠାନିକ ଟେଷ୍ଟ୍‌ରେ ମଧ୍ୟ ସେ ଭାରତ ‘ଏ’ର ପ୍ରତିନିଧିତ୍ୱ କରିଥିଲେ। ପନ୍ତ୍‌ ଗତବର୍ଷ ଇଂଲଣ୍ଡ ବିପକ୍ଷରେ ଟେ୍ଵଣ୍ଟି-୨୦ ପଦାର୍ପଣ କରିଥିଲେ। ହେଲେ ଏପର୍ଯ୍ୟନ୍ତ ଦିନିକିଆ କିମ୍ବା ଟେଷ୍ଟ ଖେଳି ନାହାନ୍ତି। କୁଲ୍‌ଦୀପ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଧର୍ମଶାଳାରେ ଟେଷ୍ଟ୍‌ ପଦାର୍ପଣ କରିଥିଲେ। ସେବେଠାରୁ ଦୁଇଟି ଟେଷ୍ଟ ଖେଳି ସେ ୯ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ସେପଟେ ୧୪ ବର୍ଷ ତଳେ ଟେଷ୍ଟ ଜୀବନ ଆରମ୍ଭ କରି ଏପର୍ଯ୍ୟନ୍ତ ମାତ୍ର ୨୪ ମ୍ୟାଚ୍‌ ଖେଳିଥିବା କାର୍ତିକ ବେଙ୍ଗାଲୁରୁରେ ଖେଳା ଯାଇଥିବା ଆଫ୍‌ଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ଓ୍ଵିକେଟ୍‌ ରକ୍ଷକ ଦାୟିତ୍ୱ ତୁଲାଇଥିଲେ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), କରୁଣ ନାୟର, ଦୀନେଶ କାର୍ତିକ, ଋଷବ ପନ୍ତ୍‌, ଆର ଅଶ୍ୱିନ, ରବୀନ୍ଦ୍ର ଜାଦେଜା, କୁଲ୍‌ଦୀପ ଯାଦବ, ହାର୍ଦିକ ପାଣ୍ଡ୍ୟା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯସ୍‌ପ୍ରୀତ ବୁମରା, ସାର୍ଦୁଲ ଠାକୁର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe