ପ୍ୟାରିସ୍‌ ଅଲିମ୍ପିକ୍ସ: ଫାଇନାଲ୍‌ରେ ନୀରଜ

Advertisment
ଲୁସାନେ ଡାଇମଣ୍ଡ ଲିଗରେ ଭାଗନେବେ ନୀରଜ ଚୋପ୍ରା

ପ୍ୟାରିସ୍: ପ୍ରଥମ ପ୍ରୟାସରେ ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ (୮୯.୩୪ ମିଟର) ସହ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ସ୍ଥାନରେ ରହି ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭଲିନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତା’ ସହିତ ଆଥଲେଟିକ୍ସରୁ ଭାରତ ଓ ନୀରଜ ଲଗାତାର ଦ୍ବିତୀୟ ସ୍ବର୍ଣ୍ଣ ଜିତିବାର ସମ୍ଭାବନା ବଢ଼ିଯାଇଛି। ନୀରଜଙ୍କ ଜବରଦସ୍ତ ଓ ପରାକ୍ରମୀ ପ୍ରଦର୍ଶନକୁ ନେଇ ମଧ୍ୟ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି। ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ୍ ‘ବି’ରେ ସ୍ଥାନ ପାଇଥିବା ୨୬ ବର୍ଷୀୟ ନୀରଜ ଟୋକିଓ ଅଲିମ୍ପିକ୍ସ ଭଳି ପ୍ୟାରିସ୍‌ରେ ମଧ୍ୟ ନିଜ ପ୍ରଥମ ପ୍ରୟାସରେ ୮୪ ମିଟରର ସିଧାଳସଖ ଯୋଗ୍ୟତା ସୀମାରେଖାକୁ ଅତି ସହଜରେ ଟପି ଯାଇଥିଲେ। ଫଳରେ ପରବର୍ତ୍ତୀ ଦୁଇଟି ରାଉଣ୍ଡ୍‌ରେ ତାଙ୍କୁ ଆଉ ଜାଭଲିନ୍ ଫିଙ୍ଗିବାକୁ ପଡ଼ି ନଥିଲା। ଏବେ ଯୋଗ୍ୟତା ପର୍ଯ୍ୟାୟର ଶ୍ରେଷ୍ଠ ୧୨ଜଣ ଖେଳାଳିଙ୍କୁ ନେଇ ହେବାକୁ ଥିବା ଫାଇନାଲ୍‌ରେ ସ୍ବର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିବାକୁ ଚେଷ୍ଟା କରିବେ ସେ। ଏହି ଐତିହାସିକ ଲଢ଼େଇ ଗୁରୁବାର ରାତି ୧୧ଟା ୫୫ରୁ ଆରମ୍ଭ ହେବ। ୧୪୫ କୋଟି ଭାରତୀୟଙ୍କ ଶୁଭେଚ୍ଛା, ଆଶୀର୍ବାଦ ଓ ପ୍ରାର୍ଥନାକୁ ପାଥେୟ କରି ନୀରଜ ପ୍ୟାରିସ୍‌ରୁ ଦେଶକୁ ଆ‌ଉ ଏକ ଅଲିମ୍ପିକ୍ସ ସ୍ବର୍ଣ୍ଣ ଆଣିବାକୁ ମଇଦାନକୁ ଓହ୍ଲାଇବେ।

ବିଗତ କିଛି ମାସ ହେବ ଫର୍ମ ଓ ଫିଟ୍‌ନେସ୍‌କୁ ନେଇ ସଂଘର୍ଷ କରୁଥିଲେ ନୀରଜ। ମଙ୍ଗଳବାର କିନ୍ତୁ ଚମତ୍କାର ଢଙ୍ଗରେ ନିଜ ଅଭିଯାନ ଆରମ୍ଭ କରିଥିଲେ। ଆରମ୍ଭରୁ ହିଁ ପୂରା ଦମ୍ ଦେଖାଇ ପ୍ରଶଂସକଙ୍କ ମନ ଜିତି ନେଇଥିଲେ। ଏପରିକି ପୂର୍ବର ସବୁ ଆକଳନ ଓ ଅଙ୍କକଷାକୁ ଭୁଲ୍‌ ପ୍ରମାଣିତ କରି ୮୯.୩୪ ଦୂରତାକୁ ଜାଭଲିନ୍ ଫିଙ୍ଗିଥିଲେ ସେ। ଫଳରେ ଗ୍ରୁପ୍ ‘ଏ’ ଓ ‘ବି’କୁ ମିଶାଇ ଫାଇନାଲ୍‌ ଦୌଡ଼ରେ ଥିବା ୩୨ଜଣଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଥିଲେ। ଏହା ବି ତାଙ୍କ ଖେଳ ଜୀବନର ଦ୍ବିତୀୟ ସର୍ବଶ୍ରେଷ୍ଠ ଥ୍ରୋ’ ଥିଲା। ନୀରଜ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଖାପାଖି ଦୁଇବର୍ଷ ତଳେ ହାସଲ କରିଥିଲେ। ଯାହା ହେଉଛି ୮୯.୯୪ ମିଟର। ଏଣୁ ପ୍ୟାରିସ୍‌ରେ ସେ ୯୦ ମିଟର ଛୁଇଁବାର ସ୍ବପ୍ନକୁ ସାକାର କରିବାର ଦ୍ବାର ଦେଶରେ ରହିଛନ୍ତି। ଏହା ହେଲେ ନୀରଜ ପୁରୁଷ ଜାଭଲିନ୍‌ରେ ଲଗାତାର ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାରେ ବିଶ୍ବର ପଞ୍ଚମ ଖେଳାଳି ହେବେ। ନୀରଜଙ୍କ ପୁରୁଣା ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନର ନଦୀମ ଅର୍ସଦ (୮୬.୫୯ ମିଟର) ମଧ୍ୟ ନିଜ ପ୍ରଥମ ପ୍ରୟାସରେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଫାଇନାଲ୍‌ରେ ନଦୀମଙ୍କ ସହ ଜର୍ମାନୀର ପିଟର୍ସ ଆଣ୍ଡରସନ୍ ତଥା ୱେବର ଜୁଲିଆନଙ୍କଠାରୁ ନୀରଜ କଡ଼ା ଟକ୍କରର ସମ୍ମୁଖୀନ ହେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe