ନୂଆଦିଲ୍ଲୀ: ଡୋପ୍ ଟେଷ୍ଟ୍ରେ ବିଫଳ ହେବା ପରେ ଭାରତୀୟ କ୍ରିକେଟ୍ ଖେଳାଳି ୟୁସୁଫ୍ ପଠାନ୍ଙ୍କୁ ୫ ମାସ ପାଇଁ ନିଲମ୍ବିତ କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ(ବିସିସିଆଇ)। ମଙ୍ଗଳବାର ବିସିସିଆଇ ପ୍ରକାଶ କରିଛି ଯେ ପଠାନ୍ ପ୍ରତିବନ୍ଧିତ ଡ୍ରଗ୍ ବ୍ୟବହାର କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଏହା ମୁଖ୍ୟତଃ କଫ ସିରଫରେ ବ୍ୟବହୃତ ହୋଇଥାଏ।
୨୦୧୭ ମସିହା ମାର୍ଚ ୧୬ ତାରିଖରେ ଦିଲ୍ଲୀଠାରେ ହେଉଥିବା ଘରୋଇ ଟେଷ୍ଟ୍ ମ୍ୟାଚ୍ ଚାଲିଥିବା ସମୟରେ ୟୁସୁଫ୍ ପରୀକ୍ଷା ପାଇଁ ୟୁରିନ୍(ମୁତ୍ର) ଦେଇଥିଲେ। ତାହାର ଯାଞ୍ଚ କରାଯିବା ପରେ ୟୁସୁଫ୍ ପ୍ରତିବନ୍ଧିତ ପଦାର୍ଥ ସେବନ କରୁଥିଲେ ବୋଲି ଜାଣିବାକୁ ମିଳିଛି।
ୟୁସୁଫ୍ଙ୍କ ଶରୀରରୁ ମିଳିଥିବା ‘ଟବ୍ର୍ୟୁଟେଲିନ୍’ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା(ଓ୍ଵାଡ଼ା) ପକ୍ଷରୁ ଜାରି କରାଯାଇଥିବା ପ୍ରତିବନ୍ଧିତ ପଦାର୍ଥ ସୂଚୀରେ ସାମିଲ୍ ଅଛି। ଏହି ଘଟଣାକୁ ନେଇ ପଠାନଙ୍କ ଉପରେ ୨୦୧୭ ମସିହା ଆକ୍ଟୋବର ୨୭ ତାରିଖରେ ବିସିସିଆଇର ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏବେ ପଠାନ୍ଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି।
ପଠାନ୍ ଏହି ଡୋପିଂ ନିରୋଧୀ ନିୟମ ଉଲଂଘନ କଥା ସ୍ୱୀକାର କରିଛନ୍ତି। ସେ କହିଛନ୍ତି କି ଡାକ୍ତର ମୋତେ ଯେତିକି ଔଷଧ ଲେଖିଥିଲେ ତା’ଠାରୁ ଅଧିକ କିଛି ଔଷଧ ଦିଆଯାଇଛି। ଯେଉଁଥିରେ ‘ଟବ୍ର୍ୟୁଟେଲିନ୍’ର ମାତ୍ରା ଅଧିକ ଥିଲା। ସେ କହିଛନ୍ତି ଯେ ସେ ଜାଣିଶୁଣି ଏପରି ଔଷଧ ଗ୍ରହଣ କରିନାହାନ୍ତି। ତାଙ୍କ ଗଳାରେ ଥିବା ସଂକ୍ରମଣ ଭଲ କରିବାକୁ ଖାଉଥିବା ଔଷଧରେ ହିଁ ‘ଟବ୍ର୍ୟୁଟେଲିନ୍’ ସାମିଲ୍ ଥିଲା।
ବିସିସିଆଇ ୟୁସୁଫ୍ ପଠାନଙ୍କ ଏହି କଥାକୁ ବିଶ୍ୱାସ କରିଛନ୍ତି। ତାଙ୍କ ଶରୀର ଅସୁସ୍ଥ ଥିବା ହେତୁ ତାଙ୍କୁ ପଛୁଆ ତାରିଖ ୨୦୧୭ ଅଗଷ୍ଟ ୧୫ରୁ ଜାନୁଆରି ୧୪, ୨୦୧୮ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି।
Follow Us