ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଭାରତ ବିପକ୍ଷ ହାଇଭୋଲ୍‌ଟେଜ୍‌ ମୁକାବିଲାକୁ ପାକିସ୍ତାନ ବର୍ଜନ କରିବା ପରିପ୍ରେକ୍ଷୀରେ ନୂଆ ତଥ୍ୟ ପଦାକୁ ଆସିଛି। କିଛି ଦିନ ତଳେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପତ୍ର ଲେଖି ଏହି ବିଷୟ ଜଣାଇଥିବା ଆଇସିସିର ଜଣେ ନିର୍ଦ୍ଦେଶକ ଶନିବାର ସ୍ବୀକାର କରିଛନ୍ତି। ସେହିଭଳି ଏହି ପତ୍ରରେ ପିସିବି ‘ଫୋର୍ସ ମାଜୁରେ’ ଧାରାକୁ ଉପଯୋଗ କରିବାକୁ ଚାହିଁଥିବା ସେ ସୂଚନା ଦେଇଛନ୍ତି। ‘ଫୋର୍ସ ମାଜୁରେ’ ହେଉଛି ଏମିତି ଏକ ଧାରା ଯେଉଁଥିରେ କୌଣସି ଚୁକ୍ତି ସ୍ବାକ୍ଷର କରିଥିବା ଦୁଇଟି ଯାକ ପକ୍ଷ ଅପ୍ରତ୍ୟାଶିତ ତଥା ଅସାଧାରଣ କାରଣ ଯଥା ଯୁଦ୍ଧ, ଦଙ୍ଗା, ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ଓ ସରକାରଙ୍କ ନିର୍ଦ୍ଦେଶ ପାଇଁ ଏଥିରୁ ଓହରି ଯାଇପାରିବେ। 

Advertisment

ତେବେ ପ୍ରତିଯୋଗିତା ଖେଳିବାକୁ ରାଜି ଥିଲେ ମଧ୍ୟ କେବଳ ଭାରତ ବିପକ୍ଷ ମ୍ୟାଚ୍‌ରେ କାହିଁକି ଏହି ଫୋର୍ସ ମାଜୁରେ ଧାରା ଉପଯୋଗ କରିବାକୁ ଚାହୁଁଛ ବୋଲି ପିସିବିକୁ ଆଇସିସି ପାଲଟା ପ୍ରଶ୍ନ କରିଛି। ସେହିଭଳି ପାକିସ୍ତାନ ସରକାର ଟ୍ବିଟ୍‌ କରି ଭାରତ ବିପକ୍ଷ ମ୍ୟାଚ୍‌ ନଖେଳିବାକୁ ଘୋଷଣା କରିବା ପରେ ଏହି ମାମଲାର ସମାଧାନ ଲାଗି କିକି ପଦକ୍ଷେପ ନେଇଛ, ତା’ର ପୂରା ବିବରଣୀ ଦେବାକୁ ପିସିବିକୁ କଡ଼ା ଭାଷାରେ କହିଛି। କେବଳ ସ୍ପଷ୍ଟୀକରଣ ନୁହେଁ, ଏହାର ପ୍ରମାଣ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛି। କେଉଁ ପରିସ୍ଥିିତିରେ ଫୋର୍ସ ମାଜୁରେ ଧାରା ଉପଯୋଗ କରାଯାଇ ପାରିବ ତାର ସଂପୂର୍ଣ୍ଣ ବିବରଣୀ ବି ପିସିବି ପାଖକୁ ପଠାଇ ଦେଇଛି।

ଆହୁରି ପଢ଼ନ୍ତୁ: Dead: ବିହାରରେ କର୍ଣ୍ଣାଟକ ପରିବାରର ୪ ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସେହିଭଳି ‌ଏହି ଧାରା ଉପଯୋଗ କରିବା ଅମାନ୍ୟ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ପୁଣି ଥରେ ଖୋଲା ଧମକ ଦେଇଛି। ଆଇସିସିଠାରୁ ସ୍ପଷ୍ଟୀକରଣ ନୋଟିସ୍‌ ପାଇବା ପରେ ପିସିବି ତା’ର ଆଭିମୁଖ୍ୟ‌ରେ ହଠାତ୍‌ ପରିବର୍ତ୍ତନ କରିଛି। ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବା ଜିଦ୍‌ରେ ଅଟଳ ଥିବା ପିସିବି ଏହି ମାମଲାରେ ବିଚାର ବିମର୍ଶ କରିବାକୁ ଆଇସିସିଠାରୁ ସମୟ ମାଗିଥିବା ଜଣାପଡ଼ିଛି। ଆଇସିସି ମଧ୍ୟ ଅଲୋଚନା ପାଇଁ ପ୍ରସ୍ତୁତ ଥିବାର ସଂକେତ ଦେଇଛି। ଶେଷ ପର୍ଯ୍ୟନ୍ତ ଏହି ମାମଲାରେ ପାକିସ୍ତାନ ସହ ଆଲୋଚନା ଜାରି ରହିବ ବୋଲି ସଂପୃକ୍ତ ନିର୍ଦ୍ଦେଶକ ଜଣକ କହିଛନ୍ତି।