ଲାହୋର: ଆଗାମୀ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତ ଆୟୋଜନ କରିବ। ଏହା ପୂର୍ବରୁ ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନରେ ଏସିଆ କପ୍ ଆୟୋଜିତ ହେବ। ଉଭୟ ଦେଶ ମଧ୍ୟରେ କୁଟନୈତିକ ତିକ୍ତତା ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନରେ ଏସିଆ କପ୍ ଖେଳିବା ପାଇଁ ବିସିସିଆଇ ଦଳ ପଠାଇବ ନାହିଁ ବୋଲି କହିଛି। ଏପରିକି ଏସିଆ କପ୍କୁ କୌଣସି ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର ପାଇଁ ଭାରତ ଦାବି କରିଛି। ଏହାର ଜବାବରେ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଭାରତକୁ ଦଳ ନପଠାଇବା ପାଇଁ ପିସିବି ଧମକ ଦେଇଛି। ଭାରତ ଯଦି ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଆସେ, ତେବେ ଆମେ ମଧ୍ୟ ଭାରତରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ଦଳ ପଠାଇବୁ ନାହିଁ ବୋଲି ଶନିବାର ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୱାସିମ୍ ଖାନ୍ ଧମକ ଦେଇଛନ୍ତି। ଅନ୍ୟପକ୍ଷରେ ଏସିଆ କପ୍ ବାଂଲାଦେଶକୁ ସ୍ଥାନାନ୍ତର ହେଉଥିବା ରିପୋର୍ଟକୁ ପିସିବି ପକ୍ଷରୁ ଅସ୍ବୀକାର କରାଯାଇଛି। ଏସିଆ କପ୍ ଆୟୋଜନ ଅଧିକାର ଆମକୁ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ଦେଇଛି। ତେଣୁ ଆମେ ଏହାକୁ ଅନ୍ୟ କାହାକୁ ହସ୍ତାନ୍ତର କରିବୁନି ବୋଲି ୱାସିମ୍ ଖାନ୍ କହିଛନ୍ତି। ତେବେ ସୁରକ୍ଷା ପ୍ରସଙ୍ଗକୁ କେନ୍ଦ୍ରକରି ପାକିସ୍ତାନରେ ଖେଳିବାକୁ ଭାରତ ରାଜିନହେଲେ ଏସିଆ କପ୍ ଆୟୋଜନରେ ପିସିବି ପାଇଁ ଅଡୁଆ ସୃଷ୍ଟି କରିବ ବୋଲି କ୍ରିକେଟ୍ ବିଶେଷଜ୍ଞ ମତ ରଖିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଭାରତୀୟ ଦଳ ୨୦୦୮ରୁ ପାକିସ୍ତାନ ଗସ୍ତ କରୁନାହିଁ। ଏପରିକି ୨୦୦୭ରୁ ମଧ୍ୟ ପାକିସ୍ତାନ ସହ ପୂର୍ଣ୍ଣାଙ୍ଗ ଦ୍ବିପାକ୍ଷିକ ଟେଷ୍ଟ୍ ଶୃଙ୍ଖଳା ମଧ୍ୟ ଖେଳିନି। ବରଂ ପାକିସ୍ତାନ ୨୦୧୨ରେ ଏକ ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ଭାରତ ଗସ୍ତ କରିଥିଲା।
ବିସିସିଆଇକୁ ପିସିବିର ଧମକ: ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ଭାରତକୁ ଦଳ ପଠାଇବୁନି
Advertisment
Follow Us