୧୯୫୮: ପେଲେ ଓ ବ୍ରାଜିଲ୍‌ ଯୁଗ ଆରମ୍ଭ

Advertisment
୧୯୫୮: ପେଲେ ଓ ବ୍ରାଜିଲ୍‌ ଯୁଗ ଆରମ୍ଭ

ପ୍ରଥମ ଥର ପାଇଁ ବ୍ରାଜିଲ ବିଶ୍ୱବିଜେତା ହୋଇଥିଲା ସ୍ୱିଡିସ୍‌ ଗ୍ରୀଷ୍ମାବକାଶରେ। ଆୟୋଜକ ସ୍ୱିଡେ୍‌ନକୁ ହିଁ ହରାଇଥିଲା ଫାଇନାଲରେ। ବିଶ୍ୱକପ୍‌ ମଇଦାନକୁ ଆସିଥିଲେ ୧୭ ବର୍ଷୀୟ ପେଲେ (ଏଡସନ୍‌ ଆରାଣ୍ଟେସ୍‌ ଡୋ ନାସିମେଣ୍ଟୋ)। ନିଜ ଦକ୍ଷତା ଓ ଫୁଟ୍‌ବଲ କଳାର ପାଦରେ କମାଲ ଦେଖାଇ ଫାଇନାଲରେ ୨ ଗୋଲ୍‌ ସହ ୬ଟି ଗୋଲ ଦେଇ ପିଲାଳିଆ ପେଲେ ପାଇଥିଲେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର। ଏହି ତାରକାଙ୍କ ଆବିର୍ଭାବ ସହ ବ୍ରାଜିଲ ବିଶ୍ୱ ମୁକୁଟ ହାତେଇଥିଲା। ଷ୍ଟକ୍‌ହୋମ୍‌ର ରାସୁଣ୍ଡା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ପେଲେ ଓ ଗାରିଞ୍ଛାଙ୍କ ପ୍ରଦର୍ଶନ ବଳରେ ବ୍ରାଜିଲ ୫-୨ରେ ସ୍ୱିଡେନ୍‌କୁ ହରାଇଥିଲା। ଅନ୍ୟ ପକ୍ଷରେ ଗୋଲ୍‌ଡେନ୍‌ ଜୋତା ବିଜେତା ଜଷ୍ଟ ଫୋଣ୍ଟାଇନ୍‌ଙ୍କ କୀର୍ତିମାନ ୧୩ ଗୋଲ୍‌ ସହ ଫ୍ରାନ୍‌ସ ବି ତୃତୀୟ ସ୍ଥାନ ଦଖଲ କରି ଅନ୍ୟତମ ଶକ୍ତିଭାବେ ଉଭା ହୋଇଥିଲା। ପୂର୍ବଥରର ବିଜେତା ଜର୍ମାନିକୁ ଚତୁର୍ଥ ସ୍ଥାନରେ ରହିବାକୁ ପଡିଥିଲା। ୧୬ଟି ଦେଶକୁ ନେଇ ଖେଳାଯାଇଥିବା ୩୫ଟି ମ୍ୟାଚ୍‌ରୁ ମୋଟ ୧୨୬ ଗୋଲ୍‌ ସ୍କୋର ହୋଇଥିଲା।

ଏହି ସଂସ୍କରଣକୁ ପ୍ରଥମ ଆଧୁନିକ ବିଶ୍ୱକପ୍‌ ଭାବେ ବିବେଚନା କରାଯାଇଥିଲା। ପୂର୍ବ ସଂସ୍କରଣଗୁଡ଼ିକ ତୁଳନାରେ ଅଧିକ ସଂଖ୍ୟାରେ ଟିଭି ଦର୍ଶକ ମ୍ୟାଚ୍‌ଗୁଡିକ ଦେଖିବାର ସୁଯୋଗ ପାଇଥିଲେ। ବର୍ଷ ଆରମ୍ଭରୁ ଇଂଲଣ୍ଡକୁ ଦାବିଦାର କୁହାଯାଇଥିଲେ ମଧ୍ୟ ଫେବ୍ରୁଆରିରେ ମ୍ୟୁନିକ୍‌ରେ ହୋଇଥିବା ବିମାନ ଦୁର୍ଘଟଣାରେ ରୋଜର୍‌ ବାୟର୍ନ, ଟମି ଟେଲର୍‌, ଡନ୍‌କାନ୍‌ ଏଡଓ୍ଵାର୍ଡସଙ୍କ ଜୀବନହାନି ଦୁଃଖରୁ ଦଳ ବାହାରି ପାରି ନ ଥିଲା। ସୋଭିଏତ୍‌ ସଂଘ ନିକଟରୁ ପ୍ଲେ-ଅଫ୍‌ ପରାଜୟ ସହ ବିଦାୟ ନେଇଥିଲା। ପେଲେଙ୍କ ଆଗମନର ଏହି ବିଶ୍ୱକପ୍‌ରେ ସେ େଓ୍ଵଲ୍‌ସ ବିପକ୍ଷ କ୍ୱାର୍ଟର ଫାଇନାଲ୍‌ରେ ଗୋଟିଏ, ଫ୍ରାନ୍‌ସ ବିପକ୍ଷ ସେମିଫାଇନାଲ୍‌ରେ ହ୍ୟାଟ୍ରିକ୍‌ ଏବଂ ସ୍ୱିଡେନ୍‌ ବିପକ୍ଷ ଫାଇନାଲ୍‌ରେ ଯୁଗଳ ଗୋଲ୍‌ ଦେଇଥିଲେ। ଫୁଟ୍‌ବଲ୍‌ ବିଶ୍ୱକପ୍‌ର ଅଭ୍ୟୁଦୟ ସହିତ ପେଲେ ଓ ବ୍ରାଜିଲ୍‌ର ଯୁଗ ଆରମ୍ଭ ହୋଇଥିଲା। ବ୍ରାଜିଲ୍‌ ଏବେ ସର୍ବାଧିକ ୫ ଥର ବିଜେତାର ଗୌରବ ରଖିଛି। କିନ୍ତୁ ଶେଷ ଥର ପାଇଁ ୨୦୦୨ରେ ବିଜେତା ହୋଇଥିବାରୁ ୧୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇବା ଆଶା ରଖିବ ରୁଷିଆ-୨୦୧୮ରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe