ପେଲେଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌: ୧୯୫୮ ବିଶ୍ବକପ୍‌, ୧୯୫୯ ଦକ୍ଷିଣ ଆମେରିକା ଚାମ୍ପିଅନ୍‌ସିପ୍‌

୧୯୬୨ ବିଶ୍ବକପ୍‌, ୧୯୬୬ ବିଶ୍ବକପ୍‌, ୧୯୭୦ ବିଶ୍ବକପ୍‌

ପେଲେଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌: ୧୯୫୮ ବିଶ୍ବକପ୍‌, ୧୯୫୯ ଦକ୍ଷିଣ ଆମେରିକା ଚାମ୍ପିଅନ୍‌ସିପ୍‌

୧୯୫୮ ବିଶ୍ବକପ୍‌
ପ୍ରଥମ ଥର ବିଶ୍ବକପ୍‌ ଖେଳିବାକୁ ଯାଉଥିଲେ ବି ପେଲେଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଖେଳିବା ନେଇ ଆଶଙ୍କା ରହିଥିଲା। ତେବେ ପ୍ରଥମ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ୟୁଏସ୍‌ଏସ୍‌ଆର୍‌ ବିପକ୍ଷରେ ସେ ପ୍ରଥମ ବିଶ୍ବକପ୍‌ ମ୍ୟାଚ୍ ଖେଳିଥିଲେ। ଏହାଫଳରେ ସେ ସର୍ବକନିଷ୍ଠ ବିଶ୍ବକପ୍‌ ଖେଳାଳିର ମାନ୍ୟତା ପାଇଥିଲେ। ଫାଇନାଲ୍‌ରେ ଆୟୋଜକ ସ୍ବିଡେନ୍‌କୁ ୫-୨ ଗୋଲ୍‌ରେ ହରାଇ ବ୍ରାଜିଲ୍‌ ପ୍ରଥମ ଥର ବିଶ୍ବକପ୍‌ ଟ୍ରଫି ଜିତିଥିଲା। ଏହି ସଂସ୍କରଣରେ ସେ ୪ ମ୍ୟାଚ୍‌ରୁ ୬ ଗୋଲ୍‌ ସ୍କୋର କରିଥିଲେ ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ପାଇଥିଲେ। ଏଥିସହିତ ଡିଡିଙ୍କ ପଛକୁ ସେ ପ୍ରତିଯୋଗିତାର ଦ୍ବିତୀୟ ଶ୍ରେଷ୍ଠ‌ ଖେଳାଳି ଭାବେ ସିଲଭର ବଲ୍‌ ପାଇଥିଲେ।
୧୯୫୯ ଦକ୍ଷିଣ ଆମେରିକା ଚାମ୍ପିଅନ୍‌ସିପ୍‌
ଦକ୍ଷିଣ ଆମେରିକା ଚାମ୍ପିଅନ୍‌ସିପ୍‌ରେ ପେଲେ ଖେଳିଥିଲା ବେଳେ ୧୯୫୯ ସଂସ୍କରଣରେ ସେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପ୍ରତିଯୋଗିତାରେ ବ୍ରାଜିଲ୍‌ ଅପରାଜୟ ରହିଥିଲେ ବି ଫାଇନାଲ୍‌ରେ ଉପବିଜେତା ହୋଇଥିଲା। ପେଲେ ଏହି ସଂସ୍କରଣରେ ମୋଟ ୮ ଗୋଲ୍‌ ସ୍କୋର କରିଥିଲେ। ବ୍ରାଜିଲ୍‌ ଖେଳିଥିବା ୬ ମ୍ୟାଚ୍‌ରୁ ୫ ମ୍ୟାଚ୍‌ରେ ପେଲେ ସ୍କୋର କରିଥିଲେ। ଯେଉଁଥିରୁ ଚିଲି ବିପକ୍ଷରେ ଦୁଇଟି ଓ ପାରାଗୁଏ ବିପକ୍ଷରେ ହ୍ୟାଟ୍ରିକ୍‌ ଗୋଲ୍‌ ଅନ୍ତର୍ଭୁକ୍ତ ଥିଲା।
୧୯୬୨ ବିଶ୍ବକପ୍‌
ବିଶ୍ବକପ୍‌ର ଏହି ସଂସ୍କରଣ ଆରମ୍ଭ ହେବା ବେଳକୁ ପେଲେ ବିଶ୍ବର ଶ୍ରେଷ୍ଠ‌ ଖେଳାଳିଙ୍କ ଭିତରେ ଗଣା ହେଉଥିଲେ। ହେଲେ ଏହି ସଂସ୍କରଣରେ ସେ ଅଧିକ ମ୍ୟାଚ୍‌ ଖେଳିପାରିନଥିଲେ। ମେକ୍ସିକୋ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲା ବେଳେ ଆଉ‌ ଏକ ଗୋଲ୍‌ରେ ସହାୟତା କରିଥିଲେ। ତେବେ ଚେକୋସ୍ଲୋଭାକିଆ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ ସମୟରେ ଏକ ଲମ୍ବା ସଟ୍‌ ମାରିବାକୁ ଯାଉଥିବା ସମୟରେ ସେ ଆହତ ହୋଇଥିଲେ। ଫଳରେ ସେ ପ୍ରତିଯୋଗିତାର ଆଉ କୌଣସି ମ୍ୟାଚ୍‌ରେ ଖେଳିପାରିନଥିଲେ। ଅମାରିଡୋଙ୍କୁ ତାଙ୍କ ସ୍ଥାନରେ ଖେଳାଯାଇଥିଲା ଏବଂ ଗରିଞ୍ଚାଙ୍କ ନେତୃତ୍ବରେ ବ୍ରାଜିଲ୍‌ ଲଗାତାର ଫାଇନାଲ୍‌ରେ ପ୍ରବେଶ କରିବା ସହ ଚେକୋସ୍ଲୋଭାକିଆକୁ ହରାଇ ବିଜେତା ହୋଇଥିଲା।

publive-image
୧୯୬୬ ବିଶ୍ବକପ୍‌
ଇଂଲଣ୍ଡରେ ଖେଳାଯାଇଥିବା ବଶ୍ବକପ୍‌ର ଏହି ସଂସ୍କରଣ ବ୍ରାଜିଲ୍‌ ପାଇଁ ଭଲ ଯାଇନଥିଲା। ପ୍ରଥମ ପର୍ଯ୍ୟାୟରୁ ହିଁ ବ୍ରାଜିଲ୍‌ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଥିଲା। ବୁଲଗେରିଆ ଓ ପର୍ତୁଗାଲ୍‌ ଖେଳାଳିଙ୍କ ଘାତକ ଫାଉଲ୍‌ ଯୋଗୁଁ ପେଲେଙ୍କୁ ଖେଳିବା କଷ୍ଟକର ହୋଇଥିଲା। ବୁଲ୍‌ଗେରିଆ ବପକ୍ଷରେ ପ୍ରଥମ ମ୍ୟାଚ୍‌ରେ ସେ ଗୋଲ୍‌ ସ୍କୋର କରି ଲଗାତାର ଭାବେ ତିନି ବିଶ୍ବକପ୍‌ରେ ଗୋଲ ଦେବାରେ ପ୍ରଥମ ଖେଳାଳି ହୋଇଥିଲେ। ହେଲେ ଏହି ମ୍ୟାଚ୍‌ରେ ଫାଉଲ୍‌ ଯୋଗୁଁ ସେ ଗୁରୁତର ଆହତ ହେବାରୁ ହଙ୍ଗେରି ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ ଖେଳିପାରିନଥିଲେ। ଏହି ମ୍ୟାଚ୍‌କୁ ବ୍ରାଜିଲ୍‌ ହାରିଯାଇଥିଲା। ତେବେ ପର୍ତୁଗାଲ୍‌ ବିପକ୍ଷ ତୃତୀୟ ମ୍ୟାଚ୍‌ ବେଳକୁ ସେ ସୁସ୍ଥ ହୋଇ ଖେଳିବାକୁ ଆସିଥିଲେ। କିନ୍ତୁ ପର୍ତୁଗାଲ୍‌ ଡିଫେଣ୍ଡର ଜୋଆଓ ମୋରାଇସ୍‌, ପେଲେଙ୍କୁ ଫାଉଲ୍‌ ମାରି ଆହତ କରିଦେଇଥିଲେ ବି ରେଫରି ଏହାକୁ ଏଡ଼ାଇ ଦେଇଥିଲେ। ସେତେବେଳେ ବଦଳ ଖେଳାଳି ପଡ଼ିଆକୁ ଆସିବା ନିୟମ ନଥିବାରୁ ମ୍ୟାଚ୍‌ ସାରା ପେଲେ ଛୋଟେଇ ଛୋଟେଇ ଖେଳିଥିଲେ। ବ୍ରାଜିଲ୍‌ ଏହି ମ୍ୟାଚ୍‌କୁ ବି ହାରିଯିବାରୁ ପ୍ରତିଯୋଗିତାରୁ ବାହାରି ଯାଇଥିଲା।
୧୯୭୦ ବିଶ୍ବକପ୍‌
୧୯୬୬ ସଂସ୍କରଣରେ ବ୍ରାଜିଲ୍‌ର ପରାଜୟ ପରେ ପେଲେ ଅବସର ନେବା ପାଇଁ ଘୋଷଣା କରିଥିଲେ, କିନ୍ତୁ ୧୯୬୯ ଆରମ୍ଭ ବେଳକୁ ପେଲେଙ୍କୁ ପରବର୍ତ୍ତୀ ବିଶ୍ବକପ୍‌ ପାଇଁ ପ୍ରସ୍ତୁତ କରିବା ପାଇଁ ପୁଣି ଥରେ ଜାତୀୟ ଦଳକୁ ଅଣାଯାଇଥିଲା। ଯଦିଓ ଆରମ୍ଭରୁ ସେ ଏଥିପାଇଁ ମନା କରୁଥିଲେ, କିନ୍ତୁ ପରେ ରାଜି ହେବାରୁ ୬ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ୬ ଗୋଲ୍‌ ଦେଇ ପୁଣି ଥରେ ବିଶ୍ବକପ୍‌ରେ ପହଞ୍ଚିଥିଲେ। ପେଲେଙ୍କ ପାଇଁ ଏହା ଶେଷ ବିଶ୍ବକପ୍‌ ହୋଇଥିଲା ବେଳେ ଫାଇନାଲ୍‌ରେ ଇଟାଲିକୁ ହରାଇ ବ୍ରାଜିଲ୍‌ ତୃତୀୟ ବିଶ୍ବକପ୍‌ ଟ୍ରଫି ହାତେଇଥିଲା। ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପେଲେଙ୍କୁ ଗୋଲ୍‌ଡେନ୍‌ ବଲ୍‌ ପୁରସ୍କାର ମିଳିଥିଲା। ତେବେ ୧୯୭୧ ଜୁଲାଇ ୧୮ ତାରିଖରେ ରିଓ ଡି ଜାନେରୋରେ ଚେକୋସ୍ଲୋଭାକିଆ ବିପକ୍ଷରେ ପେଲେ ଶେଷ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ।

ସ୍ବାସ୍ଥ୍ୟ ସମସ୍ୟା
୧୯୭୭ରେ ପେଲେଙ୍କ ଡାହାଣ କିଡ୍‌ନି କଢ଼ାଯାଇଥିବା ନେଇ ବ୍ରାଜିଲ୍‌ର କେତେକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଥିଲେ। ୨୦୧୨ ନଭେମ୍ବରରେ ତାଙ୍କର ହିପ୍‌ ଅପରେସନ୍‌ କରାଯାଇଥିଲା। ୨୦୧୮ ବିଶ୍ବକପ୍‌ ବେଳକୁ ରୁଷିଆ ରାଷ୍ଟ୍ରପତି ବ୍ଲାଦିମିର୍‌ ପୁଟିନ୍‌ ଓ ଡିଏଗୋ ମାରାଡୋନାଙ୍କ ସହ ପେଲେ ହ୍ବିଲ୍‌ ଚେୟାରରେ ବସିଥିବା ଦେଖାଯାଇଥିଲା। ମାସେ ପରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ହସ୍‌ପିଟାଲ୍‌ ନିଆଯାଇଥିଲା। ୨୦୧୯ରେ ତାଙ୍କର ପରିସ୍ରା ସଂକ୍ରମଣ ହେବାରୁ କିଡ୍‌ନିରେ ଷ୍ଟୋନ୍‌ ହୋଇଥିବା ଦେଖାଯାଇଥିଲା। ପରେ ସର୍ଜରୀ କରାଯାଇଥିଲା। ୨୦୨୦ ପରଠୁ ସେ ଆଉ ଚାଲିପାରୁନଥିଲେ। ୨୦୨୧ ସେପ୍ଟେମ୍ବରରେ ତାଙ୍କ କ‌ଲନ୍‌ରେ ଟ୍ୟୁମର ହୋଇଥିବାରୁ ସେ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ତାଙ୍କୁ କେମୋଥେରାପି ଦିଆଯାଇଥିଲା। ହେଲେ ଏଥିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ତାଙ୍କୁ ପାଲିଆଟିଭ୍‌ କେୟାରରେ ରଖାଯାଇଥିଲା।

ବିବାଦ
୧୯୭୦ରେ ବ୍ରାଜିଲ୍‌ ମିଲିଟାରି ପକ୍ଷରୁ ପେଲେଙ୍କ ବିରୋଧରେ କିଛି ରାଜନୈତିକ ବନ୍ଦୀଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ କରିଥିବା ଯୋଜନା ମାମଲାରେ ତଦନ୍ତ ଆରମ୍ଭ କରାଯାଇଥିଲା। ବାମପନ୍ଥୀଙ୍କ ପ୍ରଲୋଭନରେ ଆସି ସେ ଏପରି କରିଥିବା ଅଭିଯୋଗ ହୋଇଥିଲା। ଏହାପରଠୁ ସେ ଆଉ କୌଣସି ରାଜନୈତିକ କାରବାରରେ ହସ୍ତକ୍ଷେପ କରିନାହାନ୍ତି। ୧୯୭୬ରେ ନାଇଜେରିଆର ଲାଗୋସ୍‌ରେ ମିଲିଟାରି ଶାସନ ଚାଲିଥିବା ସମୟରେ ପେଲେ ସେଠାକୁ ଯାତ୍ରା କରିଥିଲେ। ଏକ ହୋଟେଲ ରୁମ୍‌ରୁ ପେଲେଙ୍କ ସହ ଆର୍ଥର ଆସ୍‌ ଓ ଅନ୍ୟ କିଛି ଟେନିସ୍‌ ଖେଳାଳିଙ୍କ ସହ ଥିବାବେଳେ ସେନାର ଚଢ଼ାଉ ହୋଇଥିଲା। ଫଳରେ ସେଠାରୁ ସେମାନେ ବ୍ରାଜିଲ୍‌ ରାଷ୍ଟ୍ରଦୂତଙ୍କ ଘରେ କିଛି ଦିନ ରହିବା ପାଇଁ ଚାଲିଯାଇଥିଲେ। ପରେ ବିମାନବନ୍ଦର ଖୋଲାଯିବା ପରେ ପେଲେ ସେଠାରୁ ବ୍ରାଜିଲ୍‌ ଫେରିଆସିଥିଲେ। ସେହିପରି ଜୁନ୍‌ ୨୦୧୩ରେ ତାଙ୍କର ରକ୍ଷଣଶୀଳ ଦୃଷ୍ଟିଭଙ୍ଗୀ ପାଇଁ ସମାଲୋଚିତ ହୋଇଥିଲେ। ଚଳିତ ବର୍ଷ ଜୁନ୍‌ ୧ ତାରିଖରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଦେଖି ଏହାକୁ ବନ୍ଦ କରିବା ପାଇଁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ରୁଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌ଙ୍କୁ ଖୋ‌ଲା ଚିଠି ଲେଖିଥିଲେ।

publive-image

ଅସାଧାରଣ କ୍ରୀଡ଼ାମନ୍ତ୍ରୀ

ଫୁଟବଲ୍‌ରୁ ଅବସର ନେବା ପରେ ପେଲେଙ୍କୁ ୟୁନେସ୍କୋର ଗୁଡ୍‌ୱିଲ୍‌ ଆମ୍ବାସାଡର ନିଯୁକ୍ତ କରାଯାଇଥିଲା। ପରେ ୧୯୯୫ରେ ବ୍ରାଜିଲ୍‌ ରାଷ୍ଟ୍ରପତି ଫର୍ଣ୍ଣା‌ଣ୍ଡୋ ହେନରିକ୍‌ କାର୍ଡୋସୋ, ପେଲେଙ୍କୁ ଅସାଧାରଣ କ୍ରୀଡ଼ା ମନ୍ତ୍ରୀ ଘୋଷିତ କରିଥିଲେ। ନିଜ ୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ କ୍ରୀଡ଼ାରୁ ଦୁର୍ନୀତିକୁ ହଟାଇବା ପାଇଁ ସେ କିଛି ନୂଆ ନିୟମ ଆଣିଥିଲେ। ଯାହାକୁ ପେଲେଙ୍କ ଆଇନ୍‌ ବୋଲି କୁହାଯାଉଥିଲା। କ୍ଲବ୍‌ମାନଙ୍କର ମୁଖ୍ୟଙ୍କୁ ସେମାନଙ୍କ ଆକାଉଣ୍ଟ ବିଷୟରେ ତଥ୍ୟ ପ୍ରକାଶ କରିବା ପାଇଁ ଏହି ନିୟମରେ ଅନ୍ତର୍ଭୁକ୍ତ କରାଯାଇଥିଲା। ହେଲେ ଏହାକୁ ପରେ ହଟାଇ ଦିଆଯାଇଥିଲା। ତେବେ ୧୯୯୮ରେ ବ୍ରାଜିଲ୍‌ ରାଷ୍ଟ୍ରପତି ଏହି ପଦ ଉଚ୍ଛେଦ କରିଦେବାରୁ ପେଲେଙ୍କ କାର୍ଯ୍ୟକାଳ ଏହିଠାରେ ଶେଷ ହୋଇଥିଲା। ପେଲେ କ୍ରୀଡ଼ାମନ୍ତ୍ରୀ ଥିବା ସମୟରେ ତାଙ୍କର କାର୍ଯ୍ୟକଳାପକୁ ସାମ୍ବାଦିକମାନେ ସମୀକ୍ଷା କରବା ଆରମ୍ଭ କରିଥିଲେ ଏବଂ ଆଗକୁ ସେ ପୋଖଦ ରାଜନେତା ହୋଇପାରନ୍ତି ବୋଲି ଅନୁମାନ କରାଯାଉଥିଲା। କିନ୍ତୁ କ୍ରୀଡ଼ାମନ୍ତ୍ରୀ ଥିବା ସମୟରେ କିଛି ଦ୍ବୈତ ସ୍ବାର୍ଥ କାମ ପାଇଁ ପରେ ତାଙ୍କୁ ଏକାଧିକ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯେଉଁଥିପାଇଁ‌ ସେ ସବୁଦିନ ପାଇଁ ରାଜନୀତିଠୁ ଦୂରେଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe