କାଣ୍ଡି: ପାଲେେକଲ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳା ଯାଇଥିବା ଦ୍ବିତୀୟ ଟେଷ୍ଟ୍ରେ ଘରୋଇ ଶ୍ରୀଲଙ୍କା ୨୦୯ ରନ୍ରେ ବାଂଲାଦେଶକୁ ପରାସ୍ତ କରି ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ନେଇଛି। ଏହି ଟେଷ୍ଟ୍ରେ ପଦାର୍ପଣ କରିଥିବା ବାମହାତୀ ସ୍ପିନର ପ୍ରବୀଣ ଜୟବିକ୍ରମା ପ୍ରଥମ ପାଳିରେ ୬ ଓ ଦ୍ବିତୀୟରେ ୫ ସହ ମୋଟ ୧୧ ୱିକେଟ୍ ନେଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦିମୁତ କରୁଣାରତ୍ନେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପ୍ରଥମ ପାଳିରେ ଶ୍ରୀଲଙ୍କା ଅଧିନାୟକ ଦିମୁତ କରୁଣାରତ୍ନେ (୧୧୮) ଓ ଲାହିରୁ ଥିରିମାନେ (୧୪୦)ଙ୍କ ଦମ୍ଦାର ଶତକ ସାଙ୍ଗକୁ ଓସଦା ଫର୍ଣ୍ଣାଣ୍ଡୋ (୮୧), ନିରୋସାନ ଡିକ୍ୱାଲା (୭୭*)ଙ୍କ ଅର୍ଦ୍ଧଶତକ ବଳରେ ୪୯୩/୭ରେ ଘୋଷଣା କରିଦେଇଥିଲା। ଜବାବରେ ଜୟବିକ୍ରମାଙ୍କ ଘାତକ ବୋଲିଂକୁ ସମ୍ନା କରି ନପାରି ବାଂଲାଦେଶ ପ୍ରଥମ ପାଳିରେ ୨୫୧ରେ ସୀମିତ ରହିଥିଲା। ଓପ୍ନର ତମିମ ଇକ୍ବାଲ (୯୨) ଅର୍ଦ୍ଧଶତକ ହାସଲ କରିଥିଲେ। ବାଂଲାଦେଶକୁ ଫଲୋଅନ୍ ନଦେଇ ଶ୍ରୀଲଙ୍କା ଦ୍ବିତୀୟ ପାଳି ଖେଳିଥିଲା। ଅଧିନାୟକ କରୁଣାରତ୍ନେ (୬୬)ଙ୍କ ଅର୍ଦ୍ଧଶତକ, ଧନଞ୍ଜୟ ଡି'ସିଲ୍ଭାଙ୍କ ୪୧ ରନ୍ ବଳରେ ଘରୋଇ ଦଳ ୧୯୪/୯ରେ ପାଳି ଘୋଷଣା କରିଥିଲା। ବାଂଲାଦେଶ ସମ୍ମୁଖରେ ୪୩୭ ରନ୍ର ବିଜୟ ଲକ୍ଷ୍ୟ ଛାଡ଼ି ହୋଇଥିଲା। ଏହାକୁ ପିଛା କରିବାକୁ ଯାଇ ଭ୍ରମଣକାରୀ ଦଳ ୨୨୭ ରନ୍ରେ ଅଟକି ଯାଇଥିଲା। ମୁସଫିକର ରହିମ ୪୦, ମେହେନ୍ଦି ହାସନ ମିରାଜ ୩୯, ସୈଫ ହାସନ ୩୪ ରନ୍ କରିଥିଲେ। ଶ୍ରୀଲଙ୍କାର ଦୁଇ ସ୍ପିନର ଜୟବିକ୍ରମା ୫ ଓ ରମେଶ ମେଣ୍ଡିସ ୪ ୱିକେଟ୍ ନେଇଥିଲେ।
ପେରେରାଙ୍କ ଅବସର
କଲମ୍ବୋ: ଅନ୍ତର୍ଜାତୀୟ କ୍ରିକେଟ୍ରୁ ତୁରନ୍ତ ଅବସର ଘୋଷଣା କରିଛନ୍ତି ଶ୍ରୀଲଙ୍କା ଅଲରାଉଣ୍ଡର୍ ଥିସାରା ପେରେରା। ଯୁବ ଖେଳାଳିମାନଙ୍କ ପାଇଁ ବାଟ ଖୋଲା ରଖିବାକୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀଲଙ୍କା କ୍ରିକେଟ୍ (ଏସଏଲ୍ସି)କୁ ଲେଖିଥିବା ପତ୍ରରେ ସେ ଉଲ୍ଲେଖ କରିଛନ୍ତି। ୩୨ ବର୍ଷୀୟ ପେରେରା ଶ୍ରୀଲଙ୍କା ପାଇଁ ୬ ଟେଷ୍ଟ, ୧୬୬ ଦିନିକିଆ ଏବଂ ୮୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ‘‘ଶ୍ରୀଲଙ୍କା ପାଇଁ ୭ଟି ବିଶ୍ବକପ୍ରେ ପ୍ରତିନିଧିତ୍ବ କରିବା ଏବଂ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷରେ ଦଳକୁ ବିଜୟୀ କରିବାରେ ଅବଦାନ ରଖିଥିବାରୁ ମୁଁ ଗର୍ବିତ। ଏହା ମୋ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ’’ ବୋଲି ପେରେରା ପ୍ରକାଶ କରିଛନ୍ତି। ଅବସର ପରେ ସେ କିନ୍ତୁ ବିଶ୍ବବ୍ୟାପୀ ଲିଗ୍ରେ ଖେଳିବେ ବୋଲି ସୂଚନା ଦେଇଛନ୍ତି। 'ପେରେରା ଜଣେ ଚମତ୍କାର ଅଲରାଉଣ୍ଡର୍ ଏବଂ ଶ୍ରୀଲଙ୍କା କ୍ରିକେଟ୍କୁ ତାଙ୍କ ଅବଦାନ ଅତୁଳନୀୟ' ବୋଲି ପ୍ରକାଶ କରିଛନ୍ତି ଏସ୍ଏଲ୍ସି ମୁଖ୍ୟ କାର୍ଯ୍ୟନିର୍ବାହୀ ଆସ୍ଲେ ଡି' ସିଲଭା।
Follow Us