Perth Test ends in 2 days: ପର୍ଥ ଟେଷ୍ଟ୍‌ ୨ ଦିନରେ ଶେଷ: ହେଡ୍‌ଙ୍କ ଶତକ (୧୨୩) ଅଷ୍ଟ୍ରେଲିଆକୁ ଜିତାଇଲା

ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍‌ ଅଢ଼େଇ ଦିନରେ ଶେଷ ହେବାର ମାତ୍ର ସପ୍ତାହକ ଭିତରେ ପର୍ଥ ଟେଷ୍ଟ୍‌ ୨ ଦିନରେ ଶେଷ ହୋଇଯାଇଛି। ଲୋ’ ସ୍କୋରିଂ ମୁକାବିଲାରେ କିନ୍ତୁ ଅପ୍ରତ୍ୟାଶିତ ଭାବେ ପ୍ରଥମ ପାଳିରେ ୪୦ ରନ୍ ଅଗ୍ରଣୀ ନେଇଥିବା ଇଂଲଣ୍ଡ ୮ ୱିକେଟ୍‌ରେ ହାରିଯାଇଛି।

head

Photograph: (Hindustan Times)

ପର୍ଥ: ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍‌ ଅଢ଼େଇ ଦିନରେ ଶେଷ ହେବାର ମାତ୍ର ସପ୍ତାହକ ଭିତରେ ପର୍ଥ ଟେଷ୍ଟ୍‌ ୨ ଦିନରେ ଶେଷ ହୋଇଯାଇଛି। ଲୋ’ ସ୍କୋରିଂ ମୁକାବିଲାରେ କିନ୍ତୁ ଅପ୍ରତ୍ୟାଶିତ ଭାବେ ପ୍ରଥମ ପାଳିରେ ୪୦ ରନ୍ ଅଗ୍ରଣୀ ନେଇଥିବା ଇଂଲଣ୍ଡ ୮ ୱିକେଟ୍‌ରେ ହାରିଯାଇଛି। ଟ୍ରାଭିଡ୍ ହେଡ୍‌ଙ୍କ ଅଦମନୀୟ ଶତକ ବଳରେ ହିଁ ଅଷ୍ଟ୍ରେଲିଆ ବିଜୟ ଛଡ଼ାଇ ଆଣିବା ସହ ୫ ମ୍ୟାଚ୍‌ ଆସେସ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଏହି ଟେଷ୍ଟ୍‌ର ୨ ଦିନରେ ୩୨ ୱିକେଟ୍‌ ପତନ ଘଟିଛି। ମୋଟ ୮୪୯ ବଲ୍‌‌ (୧୪୧.୩ ଓଭର) ଖେଳ ହୋଇ ଏହି ‌ଟେଷ୍ଟ୍ ଫଳାଫଳ ଦେଇଛି। ଗତବର୍ଷ ଭାରତ-ଦକ୍ଷିଣ ଆଫ୍ରିକା କେପ୍‌ ଟାଉନ୍ ଟେଷ୍ଟ୍‌ ୬୪୨ ବଲ୍‌ରେ ଶେଷ ହେବା ସବୁଠାରୁ ଦ୍ରୁତତମ ଭାବେ ଶୀର୍ଷରେ ରହିଛି। ଭାରତ ଏହି ଟେଷ୍ଟ୍‌କୁ ୭ ୱିକେଟ୍‌ରେ ଜିତିଥିଲା। ଶୁକ୍ରବାର ପ୍ରଥମ ଦିନରେ ଇଂଲଣ୍ଡ ପ୍ରଥମ ପାଳିରେ ୧୭୨ ରନ୍ କରିବା ପରେ ଅଷ୍ଟ୍ରେଲିଆ ଷ୍ଟମ୍ପ୍ସ ବେଳକୁ ୧୨୩/୯ରେ ଥିଲା। ଶନିବାର ଘରୋଇ ଦଳ ଆଉ ୯ ରନ୍‌ ଯୋଡ଼ି ୧୩୨ରେ ସୀମିତ ହୋଇଯାଇଥିଲା।

ହେଡ୍‌ଙ୍କ ଶତକ (୧୨୩) ଅଷ୍ଟ୍ରେଲିଆକୁ ଜିତାଇଲା
ଷ୍ଟାର୍କ (୧୦/୧୧୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ଇଂଲଣ୍ଡ ପ୍ରଥମ ଓଭରରେ ଜ୍ୟାକ୍ କ୍ରଲିଙ୍କୁ ହରାଇଥିଲା। କିନ୍ତୁ ବେନ୍‌ ଡକେଟ୍‌ (୨୮), ଓଲି‌ ପୋପ୍ (୩୩) ଦ୍ବିତୀୟ ୱିକେଟ୍‌ ପାଇଁ ୬୫ ରନ୍ ଯୋଡ଼ି ନୂଆ ବଲ୍‌ ସ୍ଥିତିକୁ ସମ୍ଭାଳି ନେଇଥିଲେ। ଉଭୟଙ୍କୁ ଲଗାତାର ଓଭରରେ ଆଉଟ୍ କରି ସ୍କଟ୍‌ ବୋଲାଣ୍ଡ୍‌ ପୁଣି ଇଂଲଣ୍ଡ୍‌କୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଇଂଲଣ୍ଡ ଦ୍ବିତୀୟ ପାଳି ୧୬୪ ରନ୍‌ରେ ଶେଷ ହୋଇଯାଇଥିଲା। ନିମ୍ନକ୍ରମରେ ଗସ୍ ଆଟକିନ୍‌ସନ୍ (୩୭) ଏବଂ ବ୍ରାଏଡନ୍ କାର୍ସ (୨୦) ଭଲ ବ୍ୟାଟିଂ କରିବାରୁ ଶେଷ ୩ଟି ଭାଗୀଦାରରେ ଇଂଲଣ୍ଡ ୬୦ ରନ୍ ଯୋଡ଼ିଥିଲା। ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୫ ରନ୍ ବିଜୟ ଲକ୍ଷ୍ୟ ରହିବା ପରେ ଏହା କଷ୍ଟସାଧ୍ୟ ଲାଗୁଥିଲା। ଟ୍ରାଭିସ୍ ହେଡ୍‌ କିନ୍ତୁ ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଏକ ଅବିସ୍ମରଣୀୟ ପାଳି ଖେଳିଥିଲେ। ପ୍ରତିଆକ୍ରମଣ ଭରା ପାଳିରେ ସେ ୬୯ ବଲ୍‌ରୁ ଶତକ ପୂର୍ଣ୍ଣ କରି ଏହି ବିଜୟ ଲକ୍ଷ୍ୟକୁ ଏକତରଫା କରି ଦେଇଥିଲେ।  ଚତୁର୍ଥ ପାଳିରେ ଦ୍ରୁତତମ ଶତକର ବିଶ୍ବ ରେକର୍ଡ ବି କରିଥିଲେ। ପୂର୍ବରୁ ୧୯୦୨ରେ ‌ଗିଲବର୍ଟ ଜେସପ୍‌ (ଇଂଲଣ୍ଡ) ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ପାଳରେ ୭୬ ବଲ୍‌ରୁ ଶତକ ହାସଲ କରିଥିଲେ। 

ଶନିବାର ମାତ୍ର ୨୮.୨ ଓଭରରେ ଅଷ୍ଟ୍ରେଲିଆ ୨ ୱିକେଟ୍ ହରାଇ ୨୦୫ ରନ୍ ସଂଗ୍ରହ କରି ନେଇଥିଲା। ହେଡ୍‌ ୮୩ ବଲ୍‌ରୁ ୧୨୩ ରନ୍ (୧୬ ଚୌକା, ୪ ଛକା) କରି କାର୍ସଙ୍କ ଶିକାର ହେବା ପୂର୍ବରୁ ବିଜୟ ପଥ ସୁଗମ କରି ଦେଇଥିଲେ। ମାର୍ନସ ଲବୁସେନ୍‌ (୪୯ ବଲ୍‌ରୁ ୫୧* ରନ୍)ଙ୍କ ସହ ମିଶିତ ଦ୍ବିତୀୟ ୱିକେଟ୍ ଲାଗି ୧୧୭ ରନ୍ ଯୋଡ଼ିଥିଲେ ହେଡ୍‌। ମ୍ୟାଚ୍‌ରେ କିନ୍ତୁ ମୋଟ ୧୦ ୱିକେଟ୍ ଅକ୍ତିଆର କରିଥିବା ମିଚେଲ ଷ୍ଟାର୍କ (୭/୫୮, ୩/୫୫) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ଟେଷ୍ଟ୍ ଡିସେମ୍ବର ୪ ତାରିଖରୁ ବ୍ରିସ୍‌ବେନ୍‌ରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe