ହକି ବିଶ୍ୱକପ୍‌ ପାଇଁ ବ୍ୟାପକ ପ୍ରସ୍ତୁତି

Advertisment
ହକି ବିଶ୍ୱକପ୍‌ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ଓଡ଼ିଶାରେ ହେବାକୁ ଥିବା ‘ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌’ ପାଇଁ ପ୍ରସ୍ତୁତି ବୈଠକ ଗୁରୁବାର ସମ୍ପନ୍ନ ହୋଇଛି। ବିଭିନ୍ନ ପ୍ରକଳ୍ପର କାମକୁ ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ସମୟସୀମା ନିର୍ଧାରଣ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଆୟୋଜନ ପ୍ରସ୍ତୁତିକୁ ତ୍ୱରାନ୍ଵିତ କରାଯାଇଛି। ଓଡ଼ିଶାରେ ବିଗତ ଦିନମାନଙ୍କରେ ଆନ୍ତର୍ଜାତୀୟ କ୍ରୀଡ଼ା ଏବଂ ଏସିଆନ୍‌ ଦୌଡ଼କୁଦ ପ୍ରତିଯୋଗିତାର ସଫଳ ଓ ଚମକପ୍ରଦ ଆୟୋଜନଠାରୁ ବିଶ୍ୱ ହକି ବିଶ୍ୱକପ୍‌କୁ ଆହୁରି ଉଚ୍ଚମାନର କରିବା ନିମନ୍ତେ ଭିତ୍ତିଭୂମୀ ଓ ସେବାଯୋଗାଣ ବ୍ୟବସ୍ଥା ସୃଷ୍ଟି ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏଥି ନିମନ୍ତେ ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ହକି ବିଶ୍ୱ କପ୍‌ର ଦ୍ୱିତୀୟ କାର୍ଯା ନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କ୍ରୀଡ଼ା ବିଭାଗ ଶାସନ ସଚିବ ବିଶାଳ ଦେବ ବିଭିନ୍ନ କାର୍ଯ୍ୟ ସଦ୍ୟତମ ସ୍ଥିତି ଉପସ୍ଥାପନ କରିଥିଲେ। ଷ୍ଟାଡିଅମ୍‌ ଭିତରେ ପୂର୍ବ, ଉତ୍ତର ଓ ଦକ୍ଷିଣ ଗ୍ୟାଲେରି ନର୍ମାଣ, ସୁଇମିଂପୁଲ ପ୍ରସ୍ତୁତି, ରାସ୍ତା ପ୍ରଶସ୍ତିକରଣ ଆଦି କାର୍ଯ୍ୟ ଜୁଲାଇ ମାସ ମଧ୍ୟରେ ସାରିବ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ନର୍ଧାରିତ ସମୟସୀମା ପୂର୍ବରୁ କାର୍ଯ୍ୟ ସଂପୂର୍ଣ୍ଣ କରିବା ସହ ପ୍ରତି ଭିତ୍ତିଭୂମୀ ଓ ସେବାଯୋଗାଣ ବ୍ୟବସ୍ଥାର ଗୁଣାତ୍ମକମାନ ଉପରେ ଧ୍ୟାନ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଖେଳ ସମୟରେ ୫ରୁ ୭ ହଜାର ବିଦେଶୀ ଦର୍ଶକ ଭୁବନେଶ୍ୱର ଆସିବାର ସମ୍ଭାବନା ଥିବାରୁ ସେମାନଙ୍କର ରହଣୀ, ଖାଦ୍ୟପାନୀୟ, ଗମନାଗମନ ଏବଂ ଆନୁସଙ୍ଗିକ ସେବା ଯୋଗାଣ ଆଦିକୁ ସହଜ ଲବ୍‌ଧ କରିବା ନମନ୍ତେ ମୌଳିକ ଭିତ୍ତିଭୂମୀ ବ୍ୟବସ୍ଥା କରାଯାଉଛି । ଶ୍ରୀ ବିଶାଳ ଦେବ କହିଥିଲେ ଯେ କଳିଙ୍ଗ ଷ୍ଟାଡିଅମ୍‌ ହକି ପଡିଆରେ ନଆ ଟର୍ଫ ବିଛାଯିବ । ହକି ବିଶ୍ୱ କପ୍‌ ମ୍ୟାଚ୍‌ ଗୁଡ଼ିକୁ ଏଲ୍‌ଇଡି ଟିଭି ମାଧ୍ୟମରେ ଜିଲ୍ଲା ସଦର ମହକୁମା ମାନଙ୍କରେ ପ୍ରଦର୍ଶିତ କରିବାର ବ୍ୟବସ୍ଥା କରାଯିବ। ହକି ଇଣ୍ଡିଆ ଲିଗ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏଲିନା ନର୍ମାନ କହିଥିଲେ ପୂର୍ବରୁ ଓଡ଼ିଶା ସରକାର ଅନ୍ୟ ଆନ୍ତର୍ଜାତିକ କ୍ରୀଡାକୁ ବେଶ ସୁନୟନ୍ତ୍ରିତ ଭାବେ ଆୟୋଜନ କରିଛନ୍ତି। ମାସେ ଦୁଇମାସ ମଧ୍ୟରେ ଟିକେଟ ବିକ୍ରୀ ଆରମ୍ଭ ହେବ । ସୂଚନାଯୋଗ୍ୟ, ଚଳିତ ବର୍ଷ ନଭେମ୍ବର ୨୮ ରୁ ଡ଼ିସେମ୍ବର ୧୬ ମଧ୍ୟରେ ୧୯ ଦିନ ଧରି ବିଶ୍ୱକପ୍‌ ହକି ଅନୁଷ୍ଠିତ ହେବ । ଆନ୍ତର୍ଜାତିକ ହକି ଫେଡେରେସନ୍‌ର ସର୍ବୋଚ୍ଚ ଏବଂ ଶ୍ରେଷ୍ଠ ସମ୍ମାନଜନକ ପ୍ରତିଯୋଗିତା ୪ ବର୍ଷରେ ଥରେ ଆୟୋଜିତ ହୋଇଥାଏ। ପୂର୍ବରୁ ବିଶ୍ୱ ହକି କପ୍‌ ୨ ଥର ଭାରତରେ ଆୟୋଜିତ ହୋଇଛି। ୧୯୮୨ ମସିହାରେ ମୁମ୍ବାଇ ଏବଂ ୨୦୧୦ ମସିହାରେ ଦିଲ୍ଲୀଠାରେ ଏହା ଆୟୋଜିତ ହୋଇଥିଲା । ବିଶ୍ୱର ସର୍ବଶ୍ରେଷ୍ଠ ୧୬ ଦେଶ ଏଥିରେ ଭାଗନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe