ହକି ବିଶ୍ବକପ୍ ପାଇଁ ମାନସ ମନ୍ଥନ: ଖେଳାଳିଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ଅଗ୍ରାଧିକାର

ହକି ବିଶ୍ବକପ୍ ପାଇଁ ମାନସ ମନ୍ଥନ: ଖେଳାଳିଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ଅଗ୍ରାଧିକାର

ଭୁବନେଶ୍ବର: ପୁରୁଷ କନିଷ୍ଠ ହକି ବିଶ୍ବକପ୍ ଆୟୋଜନ ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌କୁ ସ୍ବୀକୃତି ମିଳିବା ପରେ କମିସନରେଟ୍ ପୁଲିସ ମାନସ ମନ୍ଥନ ଆରମ୍ଭ କରିଛି। ଗତ ଏକ ସପ୍ତାହ ଧରି କଳିଙ୍ଗ ଷ୍ଟାଡିୟମ୍‌ରେ ପୁଲିସ କମିସନର, ଡିସିପି ଓ ସ୍ଥାନୀୟ ପୁଲିସକୁ ନେଇ ପ୍ରସ୍ତୁତି ବୈଠକ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଅବଶ୍ୟ ଏନେଇ ଉଭୟ ପୁଲିସ କି କ୍ରୀଡ଼ା ବିଭାଗ ପକ୍ଷରୁ ଔପଚାରିକ ଭାବେ ସୂଚନା ଦିଆଯାଇନାହିଁ। ମାତ୍ର ୨୦୧୮ ବିଶ୍ବକପ୍ ବେଳେ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବା ପାଇଁ ଯେଉଁ ଗୁରୁଚଣ୍ଡାଳ ଦୋଷ କରି ଲୋକହସା ହୋଇଥିଲେ, ସେଥିରୁ ବର୍ତ୍ତିବା ପାଇଁ ବିଶ୍ବକପ୍‌ର ଅଢ଼େଇ ମାସ ପୂର୍ବରୁ ଏହି ଆଲୋଚନା ପର୍ଯ୍ୟାଲୋଚନା ହେଉଥିବା ଆଭାସ ମିଳୁଛି।

ଏହା ସହିତ ଖେଳାଳି ହୋଟେଲ୍‌ରୁ ଆସିବା ଠୁ ଆରମ୍ଭ କରି ଷ୍ଟାଡିୟମ୍‌ରେ ପହଞ୍ଚି ସବୁଦିନ ଅଭ୍ୟାସ କରିବା ଏବଂ ପରେ ମ୍ୟାଚ୍ ଖେଳି ସାରିବା ପରେ କିଭଳି ସୁରକ୍ଷିତ ଭାବେ ହୋଟେଲ୍‌ରେ ପହଞ୍ଚିବା ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଯେପରି ନ ଉପୁଜିବ ତା’କୁ ମଧ୍ୟ ଗୁରୁତ୍ବ ଦିଆଯାଉଥିବା ଜଣାପଡ଼ିଛି। ଏସବୁ ବ୍ୟତୀତ ମହାମାରୀ କରୋନା ଦୃଷ୍ଟିରୁ ଖେଳାଳି ବିନା ସଂକ୍ରମଣରେ ଅର୍ଥାତ୍ ଜୈବ ବଳୟ ମଧ୍ୟରେ ରହିବା ସହ ଖେଳ ଛାଡ଼ି ନିଜ ଦେଶକୁ ପର୍ଯ୍ୟନ୍ତ ସବୁ ଦିଗକୁ ଧ୍ୟାନ ଦେବା ପାଇଁ ଆଲୋଚନା ହୋଇଛି। ଅପରପକ୍ଷରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କେତେ ପ୍ଲାଟୁନ୍ ପୁଲିସ ଛାଉଣିରେ ଷ୍ଟାଡିୟମ୍ ରହିବ, ଭିଭିଆଇପି ଓ ଲୋକଙ୍କ ପାର୍କିଂ ପାଇଁ କେଉଁଠି ବ୍ୟବସ୍ଥା କରାଯିବ ଏବଂ କେଉଁଠୁ କେଉଁ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଗାଡ଼ି ଚଳାଚଳ ନିଷେଧ ରହିବ ତା’ ଉପରେ ଗୁରୁତ୍ବାରୋପ କରାଯାଇଛି।

ସୂତ୍ର ମୁତାବକ, ଗାଡ଼ିଗୁଡ଼ିକର ଗତିପଥ ପରିବର୍ତ୍ତନ କରାନଯାଇ ସିଧାସଳଖ ଯାତାୟାତ ପାଇଁ ବ୍ୟବସ୍ଥା ରଖାଯିବ ବୋଲି ଜଣାପଡ଼ିଛି। ଜୟଦେବବିହାର ନୂଆପଲ୍ଲୀ ବେହେରା ସାହି ଛକ ଦେଇ ଶାସ୍ତ୍ରୀନଗର ପର୍ଯ୍ୟନ୍ତ ଗାଡ଼ି କେଉଁଠି ହେଲେ ଛିଡ଼ା ହେବାକୁ ଅନୁମତି ଦିଆଯିବ ନାହିଁ। ସାଧାରଣ ଲୋକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ମେ ଫେୟାର ପାଖ ପଡ଼ିଆ ନଚେତ୍ ଅନ୍ୟ କେଉଁଠି କରାଯିବ ବୋଲି ସୂଚନା ମିଳୁଛି। ହେଲେ ଏହି ନିଷ୍ପତ୍ତି ଚୂଡ଼ାନ୍ତ ନୁହେଁ ବୋଲି ଜଣେ ବରିଷ୍ଠ ପୁଲିସ କର୍ମଚାରୀ ସୂଚନା ଦେଇଛନ୍ତି। ତେବେ ଏହି ପ୍ରାକ୍ ବୈଠକରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଡିସିପି ଉମାଶଙ୍କର ଦାଶ, ଷ୍ଟାଡିୟମ୍ କର୍ତ୍ତୃପକ୍ଷ, ସ୍ଥାନୀୟ ଅଞ୍ଚଳରେ ଥିବା ଏକାଧିକ ପୁଲିସ ଷ୍ଟେସନ୍‌ର ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe