ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ୱେଷ୍ଟଇଣ୍ଡିଜ୍ ଭେଟେରାନ କିରଣ ପୋଲାର୍ଡ ମଙ୍ଗଳବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରୁ ଅବସର ଘୋଷଣା କରିଛନ୍ତି। ୨୦୦୯ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ର କିଂବଦନ୍ତି ଭାବେ ପରିଗଣିତ ପୋଲାର୍ଡଙ୍କୁ କିଣିଥିଲା। ଅବସର ପରେ ବି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ସେବାରୁ ବଞ୍ଚିତ ହେବନି। ଅବସର ଘୋଷଣା ପରେ ୫ ଥରର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ୨୦୧୦ରୁ ଲଗାତାର ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୩ ସଂସ୍କରଣ ଖେଳିଥିବା ଏହି ଇଣ୍ଡିଜ୍ ଅଲ୍ରାଉଣ୍ଡର ୫ ଥର ଆଇପିଏଲ୍ ଏବଂ ୨ ଥର ଚାମ୍ପିଅନ୍ସ ଲିଗ୍ ଜିତିବାର ଗୌରବ ପାଇଛନ୍ତି। ସେ ମୁମ୍ବାଇ ପାଇଁ ୨୧୧ ମ୍ୟାଚ୍ (ଆଇପିଏଲ୍+ସିଏଲ୍ ଟ୍ବେଣ୍ଟି-୨୦) ଖେଳି ୧୪୭ ଷ୍ଟ୍ରାଇକ୍ ରେଟ୍ରେ ୩୯୧୫ ରନ୍ କରିଛନ୍ତି। ଏଥିରେ ୩୪୧୨ ଆଇପିଏଲ୍ ରନ୍ ରହିଛି। ଏଥିସହ ସେ ଆଇପିଏଲ୍ରେ ସର୍ବାଧିକ ରନ୍ ହାସଲକାରୀଙ୍କ ତାଲିକାରେ ଅଷ୍ଟାଦଶ ସ୍ଥାନରେ ଅଛନ୍ତି। ବୋଲିଂରେ ମଧ୍ୟ ସେ ୭୯ ୱିକେଟ୍ ନେଇ ନିଜ ଯାଦୁ ଦେଖାଇଛନ୍ତି। ଆଇପିଏଲ୍ରେ ୬୯ ଓ ସିଏଲ୍ରେ ୧୦ ୱିକେଟ୍ ଅକ୍ତିଆର କରିଥିଛନ୍ତି। ସେ ମଧ୍ୟ ଆଇପିଏଲ୍ରେ ୧୦୩ କ୍ୟାଚ୍ ନେଇଛନ୍ତି।
‘‘ଆଉ କିଛି ବର୍ଷ ଖେଳିବାର ଇଛା ଥିବାରୁ ଏହି ନିଷ୍ପତ୍ତି ନେବା ମୋ ପାଇଁ ସହଜ ନଥିଲା। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜ୍ମେଣ୍ଟ ସହ ଆଲୋଚନା ପରେ ଆଇପିଏଲ୍ରୁ ଅବସର ନେବାର ନିଷ୍ପତ୍ତି ନେଇଥିଲି। ଏହି ଫ୍ରାଞ୍ଚାଇଜ୍ରୁ ଅନେକ କିଛି ପାଇଛି। ତେଣୁ ମୁମ୍ବାଇ ପକ୍ଷରୁ ଖେଳିବିନି କି ମୁମ୍ବାଇ ବିପକ୍ଷରେ ଖେଳିବିନି। ‘ଥରେ ଏମ୍ଆଇ ମାନେ ସର୍ବଦା ଏମ୍ଆଇ’। ଏହା ମୋ ପାଇଁ ଭାବପୂର୍ଣ୍ଣ ବିଦାୟ ନୁହେଁ। ମୁଁ ଆଇପିଏଲ୍ରେ ବ୍ୟାଟିଂ ପ୍ରଶିକ୍ଷକ ରହିବା ସହ ଏମ୍ଆଇ ଏମିରେଟ୍ସ ପକ୍ଷରୁ ୟୁଏଇ ଟ୍ବେଣ୍ଟି-୨୦ ଲିଗ୍ ଖେଳିବି। ଗତ ୧୩ ଋତୁ ଧରି ଏକ ସଫଳତମ ଦଳ ସହ ରହିଥିବାରୁ ଗର୍ବିତ। ଏକ ଚମତ୍କାର ଦଳ ସହ ଖେଳିବା ଆକାଂକ୍ଷା ଥିଲା। ଏବେ ଖେଳାଳି ଭାବେ ଏଥିରୁ ବଞ୍ଚିତ ହେବି। ପ୍ରଶିକ୍ଷକ, ପ୍ରବନ୍ଧକ ଏବଂ ଅନ୍ୟ ସପୋର୍ଟ ଷ୍ଟାଫ୍ଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କ ସହଯୋଗ, ନିଷ୍ଠା ଓ କଠିନ ପରିଶ୍ରମ ବିନା ଦଳ ସଫଳ ହୋଇପାରିନଥା’ନ୍ତା। ମୁଁ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିବାରୁ ସେମାନଙ୍କ କାର୍ଯ୍ୟକୁ ଅନୁକରଣ କରିବାକୁ ଅପେକ୍ଷା କରିଛି। ବିଶେଷ କରି ମୋର ଭଲ ବନ୍ଧୁ ରବିନ ସିଂହଙ୍କ ପରାମର୍ଶ ଓ ମାର୍ଗଦର୍ଶନ ପାଇଁ ତାଙ୍କୁ କୃତଜ୍ଞତା ଜଣାଇବି।’’ ବୋଲି ଅବସର ଘୋଷଣା ପରେ ଭାବବିହ୍ବଳ ପୋଲାର୍ଡ ଟ୍ବିଟର୍ରେ ପ୍ରକାଶ କରିଛନ୍ତି।
Follow Us