ଫିଫା ବିଶ୍ବକପ୍‌ର ପ୍ରି-କ୍ବାର୍ଟରରେ ପର୍ତ୍ତୁଗାଲ୍‌

ଫିଫା ବିଶ୍ବକପ୍‌ର ପ୍ରି-କ୍ବାର୍ଟରରେ ପର୍ତ୍ତୁଗାଲ୍‌

ଲୁସାଇଲ: ବ୍ରୁନୋ ଫର୍ଣ୍ଣାଣ୍ଡିସ୍‌ଙ୍କ ଡବଲ୍‌ ଗୋଲ୍‌ ବଳରେ ପର୍ତ୍ତୁଗାଲ୍‌ ଚଳିତ ଫିଫା ବିଶ୍ବକପ୍‌ର ପ୍ରି-କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି। ଫ୍ରାନ୍ସ, ବ୍ରାଜିଲ୍‌ ପରେ ପର୍ତ୍ତୁଗାଲ୍‌ ତୃତୀୟ ଦଳ ଭାବେ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ମ୍ୟାଚ୍‌ରେ ଘାନାକୁ ୩-୨ ଗୋଲ୍‌ରେ ହରାଇଥିବା ପର୍ତ୍ତୁଗାଲ୍‌ ସୋମବାର ୨-୦ ଗୋଲ୍‌ରେ ଉରୁଗୁଏକୁ ହରାଇ ଟ୍ରଫି ହାତେଇବା ପାଇଁ ଆଉ ପାଦେ ଆଗକୁ ବଢିଛି। ଲୁସାଇଲ୍ ଷ୍ଟାଡିୟମ୍‌ରେ ଗ୍ରୁପ୍‌ ଏଚ୍‌’ର ମୁକାବିଲାରେ ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ରହିଥିଲେ ହେଁ ଦ୍ବିତୀୟାର୍ଦ୍ଧର ୫୪ ମିନିଟ୍‌ରେ ବ୍ରୁନୋ ଡାହାଣପଟୁ ଲମ୍ବା ସଟ୍‌ ମାରି ବଲ୍‌କୁ ପୋଷ୍ଟ ଭିତରେ ପହଞ୍ଚାଇଥିଲେ। ତେବେ ବଲ୍‌ ପୋଷ୍ଟ ଭିତରକୁ ଯିବା ପୂର୍ବରୁ ରୋନାଲ୍ଡୋ ହେଡର କରି ଏହି ଗୋଲ୍‌କୁ ଦେଇଥିବା ଲାଗୁଥିଲା। ଏପରିକି ରୋନାଲ୍ଡୋ ମଧ୍ୟ ପାରମ୍ପରିକ ଷ୍ଟାଇଲ୍‌ରେ ଗୋଲ୍‌ ଉତ୍ସବ ପାଳିଥିଲେ। କିନ୍ତୁ ଅଲ୍‌ଟ୍ରାଏଜ୍‌ରେ ବଲ୍‌ ତାଙ୍କ ମୁଣ୍ଡକୁ ଛୁଇଁ ନଥିବା ଦେଖାଯାଇଥିଲା।

ଏଥିଯୋଗୁଁ ଅଫିସିଆଲ୍‌ ସ୍କୋରର ଏହି ଗୋଲ୍‌କୁ ବ୍ରୁନୋଙ୍କ ନାମରେ ପକାଇଥିଲେ। ପଛୁଆ ପଡ଼ିଯିବା ପରେ ଉରୁଗୁଏ ଗୋଲ୍‌ ଶୁଝିବା ପାଇଁ ଆକ୍ରମଣ ଜୋର୍‌ଦାର କରିଥିଲା। ହେଲେ ପ୍ରତ୍ୟେକ ଆକ୍ରମଣକୁ ଡିଏଗୋ କୋଷ୍ଟା ନିଷ୍ଫଳ କରିଥିଲେ। ତେବେ ୮୯ ମିନିଟ୍‌ରେ ଉରୁଗୁଏ ପୋଷ୍ଟ ଅଞ୍ଚଳ ଭିତରେ ଜୋସ୍‌ ମାରିଆ ଗିମେନେଜ୍‌ଙ୍କ ହ୍ୟାଣ୍ଡବଲ୍‌ ପର୍ତ୍ତୁଗାଲ୍‌କୁ ଆଉ ଏକ ବରଦାନ ଦେଇଥିଲା। ଭାର୍‌ରେ ଯାଞ୍ଚ କରିବା ପରେ ରେଫରି ଏହାକୁ ପୋନାଲ୍‌ଟି ଘୋଷଣା କରିଥିଲେ। ଏଥର ପୁଣି ବ୍ରୁନୋ ପୋନାଲ୍‌ଟି ସଟ୍‌ ନେଇ ଦଳର ବ୍ୟବଧାନକୁ ବଢାଇଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‌ ନହେବାରୁ ଦଳକୁ ରାଉଣ୍ଡ-୧୬ର ସହଜ ଟିକେଟ ମିଳିଥିଲା। ପର୍ତ୍ତୁଗାଲ୍‌ ଶେଷ ଲିଗ୍‌ ମ୍ୟାଚ୍‌ ଡିସେମ୍ବର ୨ ତାରିଖରେ ‌ଦକ୍ଷିଣ କୋରିଆ ସହିତ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe