ପାଓ୍ଵାର କପ୍‌ କ୍ରିକେଟ୍‌ ଉଦ୍‌ଘାଟିତ

ଏନ୍‌ଟିପିସି, ସଚିବାଳୟ, ବେଦାନ୍ତ, ଫେଡ୍‌କୋ ବିଜୟୀ

ପାଓ୍ଵାର କପ୍‌ କ୍ରିକେଟ୍‌ କ୍ୱାର୍ଟରରେ ଫେଡ୍‌କୋ, ବେଦାନ୍ତ 

ଭୁବନେଶ୍ୱର: ଓପିଟିସିଏଲ୍‌ ଆନୁକୂଲ୍ୟରେ ପାଓ୍ଵାର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ତ୍ରୟୋଦଶ ସଂସ୍କରଣ ଗୁରୁବାର ମଞ୍ଚେଶ୍ୱର ରେଳବାଇ ପଡ଼ିଆରେ ଉଦ୍‌ଘାଟିତ ହୋଇଛି। ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ ୧୬ କମ୍ପାନି ଦଳ ଏଥିରେ ଭାଗ ନେଇଛନ୍ତି। ପ୍ରଥମ ଦିବସରେ ୪ ମ୍ୟାଚ୍‌ ଖେଳାଯାଇଥିଲା। ଏନ୍‌ଟିପିସି ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଥିଲା। ଏହି ଦଳ ୭ ଓ୍ଵିକେଟ୍‌ରେ ସାଉଥ୍‌କୋକୁ ପରାସ୍ତ କରିଥିଲା। ସାଉଥ୍‌କୋ ୧୬ ଓଭରରେ ୯୯ କରିବା ପରେ ଏନ୍‌ଟିପିସି ୧୩.୪ ଓଭରରେ ୩ ଓ୍ଵିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ବିଜୟୀ ଦଳର ଏସ୍‌ ଦେହୁରୀ (୩୮ ବଲ୍‌ରୁ ୫୦) ଅପରାଜିତ ଅର୍ଧଶତକ ହାସଲ କରିଥିଲା ବେଳେ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ସଚିବାଳୟ ଦଳ ୫୯ ରନ୍‌ରେ ଓଇଆର୍‌ସିକୁ ପରାସ୍ତ କରିଥିଲା। ସୌମ୍ୟ ସାମଲ (୩୯ ବଲ୍‌ରୁ ଧୂଆଁଧାର ୧୦୭) ଅପରାଜିତ ଶତକ ସହାୟତାରେ ସଚିବାଳୟ ଦଳ ୨୦୧ ରନ୍‌ କରିବା ପରେ ଓଇଆର୍‌ସି ପାଳିକୁ ୧୪୨/୩ରେ ଅଟକାଇ ଦେଇଥିଲା। ସୌମ୍ୟ ସାମଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ପ୍ରଥମ ଦିବସର ଅନ୍ୟ ଦୁଇଟି ମ୍ୟାଚ୍‌ ଇଡ୍‌କୋ ପଡ଼ିଆରେ ଖେଳାଯାଇଥିଲା। ସେଥିରୁ ବେଦାନ୍ତ (୧୫ ଓଭରରେ ୧୪୧) ୧୦୮ ରନ୍‌ରେ ଓପିଜିସି (୭.୩ ଓଭରରେ ୩୨)କୁ ଏବଂ ଫେଡ୍‌କୋ (୧୪.୫ ଓଭରରେ ୭୯) ୮ ଓ୍ଵିକେଟ୍‌ରେ ଓପିଜିସି (୧୫ ଓଭରରେ ୭୮)କୁ ହରାଇଥିଲା। ବେଦାନ୍ତର ପ୍ରିୟବ୍ରତ ଦାସ (୩୨ ବଲ୍‌ରେ ୬୨ ରନ୍‌) ଏବଂ ଫେଡ୍‌କୋର ବିଶ୍ୱଜିତ୍‌ ପଟ୍ଟନାୟକ ( ୪ ଓ୍ଵିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଶକ୍ତି ସଚିବ ହେମନ୍ତ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଓପିଟିସିଏଲ୍‌ର ମାନବ ସମ୍ବଳ ନିର୍ଦେଶକ ରାଜେନ୍ଦ୍ର ସେନାପତି, ଅର୍ଥ ନିର୍ଦେଶକ ବିଭୁପ୍ରସାଦ ମହାପାତ୍ର, ବାଣିଜ୍ୟ ନିର୍ଦେଶକ ମାନସ ଦାସ, ଅପରେସନ୍‌ ନିର୍ଦେଶକ ଉତ୍ତମ କୁମାର ସାମଲ, ପ୍ରକଳ୍ପ ନିର୍ଦେଶକ ରାଧାରମଣ ପଣ୍ଡା ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe