ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ବୁମ୍‌ରା-ସାମି-ଉମେଶ ଚମକ

Advertisment
ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ବୁମ୍‌ରା-ସାମି-ଉମେଶ ଚମକ

India Today

ହାମିଲଟନ୍: ପ୍ରତୀକ୍ଷିତ ପ୍ରଥମ ଟେଷ୍ଟ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଜାତୀୟ କ୍ରିକେଟ୍ ଦଳକୁ କଡ଼ା ଚେତାବନୀ ଦେଇଛି ଭାରତୀୟ ଦ୍ରୁତ ବୋଲର ବାହିନୀ। ସ୍ଥାନୀୟ ସେଡନ୍‌ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା‌ ନ୍ୟୁଜିଲାଣ୍ଡ ବୋର୍ଡ ସଭାପତି ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଭାରତର ଚାରି ଜଣ ଯାକ ଦ୍ରୁତ ବୋଲର ଚମତ୍କାର ବୋଲିଂ କରି ସମସ୍ତଙ୍କ ମନ ମୋହି ନେଇଛନ୍ତି। ବିଶେଷ କରି ଦିନିକିଆ ଶୃଙ୍ଖଳାରେ ୱିକେଟ୍ ଶୂନ୍ୟ ରହିଥିବା ଯୁବ ବୋଲର ଯଶପ୍ରୀତ ବୁମ୍‌ରା (୧୧-୩-୧୮-୨) ପୁରୁଣା ଲୟ ଫେରି ପାଇବା ଭାରତର ଆତ୍ମବଳକୁ ବଢ଼ାଇଛି। ବୁମ୍‌ରାଙ୍କ ସହ ଉମେଶ ଯାଦବ (୧୩-୧-୪୯-୨), ମହମ୍ମଦ ସାମି (୧୦-୫-୧୭-୩) ଓ ନଭଦୀପ ସୈନି (୧୫-୨-୫୮-୨) ମଧ୍ୟ ୱିକେଟ୍ ନେଇଛନ୍ତି। ସେମାନେ ମିଳିତ ଭାବେ ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଏକାଦଶର ୯ ୱିକେଟ୍ ବାଣ୍ଟି ନେଇଛନ୍ତି। ଦୁଇସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ (୧୫.୨-୨-୪୬-୧) ଓ ରବୀନ୍ଦ୍ର ଜାଦେଜା (୧୦-୪-୨୫-୦) ମିଳିତ ଭାବେ ୨୫.୨ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ପାଇଛନ୍ତି। ଭାରତୀୟ ଦ୍ରୁତ ବୋଲରଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇ ନପାରି ନ୍ୟୁଜିଲାଣ୍ଡ ଏକାଦଶ ୭୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୩୫ ରନ୍ କରିଛି। ଏହି ଦଳର ଜଣେ ହେଲେ ବି ବ୍ୟାଟ୍ସମ୍ୟାନ୍ ଅର୍ଧଶତକ ଛୁଇଁ ପାରିନାହାନ୍ତି। ଫଳରେ ୨୬୩ ରନ୍ କରିଥିବା ଭାରତ ପ୍ରଥମ ପାଳି ଭିତ୍ତିରେ ୨୮ ରନ୍‌ରେ ଆଗୁଆ ହୋଇଛି। ସେହିଭଳି ଶନିବାର ଦ୍ବିତୀୟ ଦିନର ଖେଳ ବନ୍ଦ ସୁଦ୍ଧା ଦ୍ବିତୀୟ ପାଳିରେ କୌଣସି ୱିକେଟ୍ ନହରାଇ ୫୯ ରନ୍ କରିବା ପରେ ମୋଟ ଉପରେ ୮୭ ରନ୍‌ରେ ଆଗୁଆ ରହିଛି ଭାରତ। ଶନିବାର ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ପୃଥ୍ବୀ ସ’ ୩୫ ଓ ମୟଙ୍କ ଅଗ୍ରୱାଲ ୨୩ ରନ୍ କରି ଅପରାଜିତ ରହିଥିଲେ। ପ୍ରଥମ ପାଳିରେ ସ’ ଖାତା ଖୋଲି ନଥିଲା ବେଳେ ଅଗ୍ରୱାଲ ୧ ରନ୍‌ରେ ଆଉଟ୍ ହୋଇ ଯାଇଥିଲେ। ଏଣୁ ଏହି ଦୁଇ ଜଣ ଯୁବ ତାରକା ଦ୍ବିତୀୟ ପାଳିରେ ଭଲ ଅଭ୍ୟାସ ପାଇଛନ୍ତି। ସୂଚନାଯୋଗ୍ୟ ଯେ ଦୁର୍ଭାଗ୍ୟଜନକ ଭାବେ ପ୍ରଥମ ପାଳିରେ ୭ ଜଣ ଭାରତୀୟ ଖେଳାଳି ଏକ ଅଙ୍କ ଆଗକୁ ବଢ଼ି ପାରିନଥିଲେ। ହନୁମା ବିହାରୀ (୧୦୧, ଆହତ ଅବସର)ଙ୍କ ଶତକ ଓ ଚେତେଶ୍ବର ପୂଜାରାଙ୍କ ୯୩ ରନ୍ ପାଇଁ ହିଁ ଭାରତ ଏକ ସମ୍ମାନଜନକ ସ୍କୋର କରି ନେଇଥିଲା। ରବିବାର ଏହି ତିନି ଦିନିଆ ମ୍ୟାଚ୍‌ର ଶେଷ ଦିନ। ଭାରତର ଦ୍ବିତୀୟ ପାଳି ଶେଷ ହୋଇ ନଥିବା ସହ ନ୍ୟୁଜିଲାଣ୍ଡର ଦ୍ବିତୀୟ ପାଳି ଆରମ୍ଭ ହୋଇ ନଥିବାରୁ ମ୍ୟାଚ୍‌ଟି ଅମୀମାଂସିତ ରହିବାର ସର୍ବାଧିକ ସମ୍ଭାବନା ରହିଛି।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି ୨୬୩ (ହନୁମା ବିହାରୀ ୧୦୧, ଚେତେଶ୍ବର ପୂଜାରା ୯୩, ସ୍କଟ୍ କୁଗେଲିନ ୩/୧୪, ଈଶ୍ ସୋଢ଼ି ୩/୭୨, ଜାକ୍ ଗିବସନ୍ ୨/୨୬)। ନ୍ୟୁଜିଲାଣ୍ଡ ଏକାଦଶ ପ୍ରଥମ ପାଳି ୨୩୫ (ହେନରି କୁପର ୪୦, ରାଚିନ ରବୀନ୍ଦ୍ର ୩୪, ଡାରିଲ ମିଚେଲ ୩୨, ମହମ୍ମଦ ସାମି ୩/୧୭, ଯଶପ୍ରୀତ ବୁମ୍‌ରା ୨/୧୮, ଉମେଶ ଯାଦବ ୨/୪୯, ନଭ୍‌ଦୀପ ସୈନି ୨/୫୮)। ଭାରତ ଦ୍ବିତୀୟ ପାଳି ୭ ଓଭରରେ ୫୯/୦ (ପୃଥ୍ବୀ ସ’୩୫*, ମୟଙ୍କ ଅଗ୍ରୱାଲ ୨୩*)।

ଈଶାନ୍ତ ନ୍ୟୁଜିଲାଣ୍ଡ୍‌ ଯିବେ
ନୂଆଦିଲ୍ଲୀ: ଦ୍ରୁତ ବୋଲର ଈଶାନ୍ତ ଶର୍ମା ଫିଟ୍‌ ହୋଇଛନ୍ତି। ଶନିବାର ବେଙ୍ଗାଲୁରୁସ୍ଥିତ ଏନ୍‌ସିଏ (ନ୍ୟାସ୍‌ନାଲ କ୍ରିକେଟ୍‌ ଏକାଡେମି)ରେ ଫିଟ୍‌ନେସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଫଳରେ ସେ ତୁରନ୍ତ ନ୍ୟୁଜିଲାଣ୍ଡ ଯାଇ ଭାରତୀୟ ଦଳ ସହ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟେ‌ଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଯୋଗଦେବେ। ଈଶାନ୍ତଙ୍କ ଫିଟ୍‌ ଖବର ଅଧିନାୟକ ବିରାଟ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଆଶ୍ବସ୍ତ କରିଛି। ଈଶାନ୍ତ ରଣଜୀ ଟ୍ରଫି ଅବସରରେ ବିଦର୍ଭ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ। ତାଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଥିଲା। ଏହାପରେ ସେ ପୂରା ୬ ସପ୍ତାହ ବିଶ୍ରାମ ନେଇଥିଲେ। ଶନିବାର ଏନ୍‌ସିଏରେ ତାଙ୍କ ଫିଟ୍‌ନେସ୍‌ ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe