ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍)ର ସଭାପତି ପ୍ରଫୁଲ୍ଲ ପଟେଲଙ୍କୁ ଜବରଦସ୍ତ ଝଟ୍କା ଲାଗିଛି। ଗତ ବର୍ଷ ପ୍ରଫୁଲ୍ଲ ଏଆଇଏଫ୍ଏଫର ସଭାପତି ଭାବେ ୪ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ। ହେଲେ ତାଙ୍କ ନିର୍ବାଚନ ଜାତୀୟ କ୍ରୀଡ଼ା ନୀତିର ଉଲଂଘନ କରିଛି ବୋଲି ମଙ୍ଗଳବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରାୟ ଶୁଣାଇବା ସାଙ୍ଗକୁ ଗତ ନିର୍ବାଚନକୁ ରଦ୍ଦ କରିଛନ୍ତି। ଏପରିକି ଆସନ୍ତା ୫ ମାସ ମଧ୍ୟରେ ସାନି ନିର୍ବାଚନ କରିବାକୁ ଏଆଇଏଫ୍ଏଫ୍କୁ ନ୍ୟାୟାଳୟ ମଧ୍ୟ ନିର୍ଦେଶ ଦେଇଛନ୍ତି।
ଜାତୀୟ କ୍ରୀଡ଼ା ନିୟମ ଅନୁସାରେ ଶ୍ରୀ ପଟେଲ ନିର୍ବାଚିତ ହୋଇ ନାହାନ୍ତି ବୋଲି ରାହୁଲ ମେହର ନାମକ ଜଣେ କ୍ରୀଡ଼ାପ୍ରେମୀ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ନ୍ୟାୟାଧୀଶ ଏସ୍ ରବୀନ୍ଦ୍ର ଭଟ୍ଟ ଏବଂ ନାଜମି ଓ୍ଵାଜିରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ବିଚାର କରି ମଙ୍ଗଳବାର ରାୟ ଶୁଣାଇଛନ୍ତି। ଏଥିସହ ସାନି ନିର୍ବାଚନ କରିବା ଲାଗି ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର୍ ଏସ୍ ଓ୍ଵାଇ କ୍ୱରେସିଙ୍କୁ ଏଆଇଏଫ୍ଏଫ୍ର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି।
Follow Us