ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ବ୍ୟାପକ ପ୍ରସ୍ତୁତି: ୨୫ରୁ ଭାରତରେ, ଜୁନ୍ ୨ରୁ ଇଂଲଣ୍ଡରେ ଏକାନ୍ତବାସ

Advertisment

ପରିବାରବର୍ଗଙ୍କୁ ଅନୁମତି

ପରିବାରବର୍ଗଙ୍କୁ ଅନୁମତି

ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌: ଭାରତ ଶୀର୍ଷରେ

The Cricket Lounge

ମୁମ୍ବାଇ: ଜୈବ ବଳୟ ଭିତରକୁ କରୋନା ଅଚାନକ ଧସେଇ ପଶିବା ପରେ ଆଇପିଏଲ୍‌-୨୦୨୧ ଅଧାରୁ ସ୍ଥଗିତ ରହିଛି। ଏଭଳି କୌଣସି ସମସ୍ୟା ଓ ସଙ୍କଟ ଯେଭଳି ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ ଅବସରରେ ଦେଖାନଯାଏ, ସେ ନେଇ ବିସିସିଆଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ପ୍ରତୀକ୍ଷିତ ମୁକାବିଲା ଲାଗି ଶୁକ୍ରବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଥିବା ବିସିସିଆଇ ଶନିବାର ଖେଳାଳିଙ୍କ ଗସ୍ତ ସୂଚୀ ଓ ପ୍ରସ୍ତୁତ କରିଥିବା କରୋନା ପ୍ରତିଷେଧକ ବ୍ୟବସ୍ଥା ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଛି। ଭାରତୀୟ ଦଳ ଏକାଥରକେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବା ପରେ ଯାଇ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ସ୍ବଦେଶ ଫେରିବ କିମ୍ବା ୟୁଏଇ ଯିବ ସେକଥା ପରେ ବିଚାର କରାଯିବ ବୋଲି ସଙ୍କେତ ଦେଇଛି ବିସିସିଆଇ। ଏଣୁ ଆସନ୍ତାମାସରୁ ଆରମ୍ଭ କରି ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତୀୟ ଦଳ ଇଂଲଣ୍ଡରେ ରହିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ଜୁନ୍ ୧୮ ତାରିଖରୁ ମାଞ୍ଚେଷ୍ଟରଠାରେ ଆରମ୍ଭ ହେବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ଫାଇନାଲ୍ ପାଇଁ ଭାରତୀୟ ଖେଳାଳିମାନେ ଚଳିତ ମାସ ୨୫ ତାରିଖରୁ ହିଁ କଠୋର ଜୈବ ବଳୟ ଭିତରେ ରହିବା ଆରମ୍ଭ କରିବେ। ସେମାନେ ମୋଟ ୧୮ ଦିନ କାଳ ସଂଗଠିତ ଜୈବ ବଳୟ ଭିତରେ କଟାଇବେ। ଘରୋଇ ପରିବେଶରେ ତିଆରି ହୋଇଥିବା ଜୈବ ବଳୟରେ ୮ ଦିନ ରହିବା ପରେ ସେମାନେ ଇଂଲଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ସାଉଥମ୍ପଟନ୍ ପହଞ୍ଚିବା ପରେ ସେଠାରେ ପୁଣି ଥରେ ୧୦ ଦିନ ଜୈବ ବଳୟ ଜୀବନ କଟାଇବେ। ଜୁନ୍ ୨ ତାରିଖରେ ଇଂଲଣ୍ଡରେ ପହଞ୍ଚିବା ପରେ ପରେ ଯେମିତି ଭାରତୀୟ ଖେଳାଳିମାନେ ତୁରନ୍ତ ଅଭ୍ୟାସ ଆରମ୍ଭ କରିପାରିବେ ସେଥିପାଇଁ ଟିମ୍ ଇଣ୍ଡିଆର ଏକାନ୍ତବାସକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଘରୋଇ ପର୍ଯ୍ୟାୟ ଏକାନ୍ତବାସ ବା ସଙ୍ଗରୋଧରେ ଭାରତୀୟ ଖେଳାଳିଙ୍କ ଜୈବ ବଳୟ ବାହାରକୁ ଯିବା ଆସିବା ଉପରେ ସଂପୂର୍ଣ୍ଣ ବାସନ୍ଦାଦେଶ ରହିବ।

ଇଂଲଣ୍ଡରେ ପହଞ୍ଚି ପୁନର୍ବାର ୧୦ ଦିନିଆ ସଙ୍ଗରୋଧରେ ରହିବା ସମୟରେ କିନ୍ତୁ ଖେଳାଳିଙ୍କୁ ଅଭ୍ୟାସ କରିବାର ସୁଯୋଗ ମିଳିବ। ଏହି ସମୟ ଭିତରେ କିନ୍ତୁ ନିୟମ ଅନୁସାରେ ସେମାନଙ୍କର ନିୟମିତ କରୋନା ପରୀକ୍ଷା କରାଯାଉଥିବ। ସ୍ବତନ୍ତ୍ର ବିମାନରେ ଯିବା ସହ ଗୋଟିଏ ଜୈବ ବଳୟରୁ ଆଉ ଗୋଟିଏ ଜୈବ ବଳୟକୁ ଯାଉଥିବାରୁ ଇଂଲଣ୍ଡରେ ପଡ଼ିଆ ଭିତରକୁ ଯିବା ଉପରେ ଆଉ କଟକଣା ରହିବ ନାହିଁ। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବା ଭିତରେ ପାଖାପାଖି ଗୋଟିଏ ମାସର ବ୍ୟବଧାନ ରହୁଥିବାରୁ ଭାରତୀୟ ଖେଳାଳିଙ୍କୁ ଏହି ସମୟ ଭିତରେ ଅତ୍ୟନ୍ତ ସାବଧାନ ଓ ସତର୍କତାର ସହ ରହିବାକୁ ହେବ। ଖେଳାଳିଙ୍କ ଟିକାକରଣ ନେଇ ମଧ୍ୟ ବିସିସିଆଇ ଭାରତ ସରକାରଙ୍କ ସହ ଯୋଗାଯୋଗରେ ରହିଛି। ତେବେ ସବୁ କିଛି ଚୂଡ଼ାନ୍ତ ହେବା ଲାଗି ଆହୁରି କିଛି ଦିନ ସମୟ ଲାଗିବ।

ଭାରତରେ ପ୍ରଥମ ଡୋଜ୍ ନେଇ ଦ୍ବିତୀୟ ଡୋଜ୍ ଇଂଲଣ୍ଡରେ ନେବା ବିକଳ୍ପକୁ ମଧ୍ୟ ବିଚାରାଧୀନ ରଖିଛି ବିସିସିଆଇ। ଭାରତୀୟ ଦଳରେ ୬ଜଣ ଦ୍ରୁତ ବୋଲର ଥିଲା ବେଳେ ଅନ୍ୟ ୩ ଜଣଙ୍କୁ ସଂରକ୍ଷିତ ବୋଲର ଭାବେ ରଖାଯାଇଛି। ଏହାର କାରଣ ଦର୍ଶାଇବାକୁ ଯାଇ ସଂପୃକ୍ତ ଅଧିକାରୀଜଣକ କହିଛନ୍ତି ଯେ ୬ ଜଣ ଦ୍ରୁତ ବୋଲର ପୂରା ଗସ୍ତ ପାଇଁ ପର୍ଯ୍ୟାପ୍ତ ହେବେ ବୋଲି ଆମେ ଭାବୁଛୁ। ହେଲେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ‌ହୁଏ, ତାହାଲେ ନେଟ୍ ବୋଲର ଭାବେ ଦଳରେ ଥିବା ଏହି ସଂରକ୍ଷିତ ବୋଲରମାନଙ୍କୁ ତୁରନ୍ତ ଭାରତୀୟ ଦଳରେ ମଧ୍ୟ ସାମିଲ କରାଯାଇପାରିବ।

ପରିବାରବର୍ଗଙ୍କୁ ଅନୁମତି
ଦୁଇଟି ପର୍ଯ୍ୟାୟରେ ୧୮ ଦିନ ସଙ୍ଗରୋଧରେ ରହିବାକୁ ଥିବା ଭାରତୀୟ ଖେଳାଳିମାନେ ଲମ୍ବା ଇଂଲଣ୍ଡ ଗସ୍ତବେଳେ ନିଜ ପରିବାରବର୍ଗଙ୍କୁ ସାଥୀରେ ନେଇପାରିବେ। ବିସିସିଆଇ ଏଥିଲାଗି ସେମାନଙ୍କୁ ନୀତିଗତ ଅନୁମତି ପ୍ରଦାନ କରିଛି। ତେବେ ପରିବାରବର୍ଗଙ୍କୁ ମଧ୍ୟ ସମସ୍ତ ପ୍ରକାର କୋଭିଡ୍ ନୀତି ନିୟମ ପାଳନ କରିବାକୁ ପଡ଼ିବ। ସଙ୍ଗରୋଧ ନିୟକୁ କଡ଼ାକଡ଼ି ପାଳନ କରିବାକୁ ହେବ। ଇଂଲଣ୍ଡ ଗସ୍ତରେ ଭାରତୀୟ ଖେଳାଳିମାନେ ୩ ମାସରୁ ଅଧିକ ସମୟ ରହିବାର ଥିବାରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଇପିଏଲ୍‌ରେ ମଧ୍ୟ ଖେଳାଳିଙ୍କୁ ନିଜ ପାଖରେ ପରିବାରବର୍ଗଙ୍କୁ ରଖିବାକୁ ବିସିସିଆଇ ଅନୁମତି ପ୍ରଦାନ କରିଥିଲା। ସେପଟେ ଇଂଲଣ୍ଡ ଖେଳାଳିମାନେ ମଧ୍ୟ ସେମାନଙ୍କ ପରିବାରବର୍ଗ ସହ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ସଙ୍ଗରୋଧରେ ରହିବେ। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ ପାଇଁ ଟିକେଟ ହାସଲ କରିଥିବା ଅନ୍ୟତମ ଦଳ ନ୍ୟୁଜିଲାଣ୍ଡର କିଛି ଖେଳାଳି ନିଜ ଦେଶରୁ ସିଧା ଇଂଲଣ୍ଡ ଯାତ୍ରା କରିବେ। ସେମାନେ ମଧ୍ୟ ଇଂଲଣ୍ଡରେ ପହଞ୍ଚି ସଙ୍ଗରୋଧରେ ଗୋଟିଏ କିମ୍ବା ଦୁଇଟି ସପ୍ତାହ କଟାଇବେ। ଆଇପିଏଲ୍ ଖେଳୁଥିବା ଅଧିନାୟକ କେନ୍ ୱିଲିୟମସନ୍‌ଙ୍କ ସହ ଅନ୍ୟ ଦୁଇ ନ୍ୟୁଜିଲାଣ୍ଡ ଖେଳାଳି ଶନିବାର ମାଳଦ୍ବୀପ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସଙ୍ଗରୋଧ ଅବଧି ଶେଷ କରିବା ପରେ ଇଂଲଣ୍ଡରେ ପହଞ୍ଚି ଫାଇନାଲ୍ ଖେଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe