ଚେସ୍‌ ଅଲିମ୍ପିଆଡ୍‌ରେ ଓଡ଼ିଶୀର ଝଲକ: ପ୍ରଧାନମନ୍ତ୍ରୀ ମୋଦୀ କଲେ ଉଦ୍‌ଘାଟନ

Advertisment
ଚେସ୍‌ ଅଲିମ୍ପିଆଡ୍‌ରେ ଓଡ଼ିଶୀର ଝଲକ: ପ୍ରଧାନମନ୍ତ୍ରୀ ମୋଦୀ କଲେ ଉଦ୍‌ଘାଟନ

ଚେନ୍ନାଇ: ତାମିଲନାଡ଼ୁର ମହାବଳୀପୁରମସ୍ଥିତ ପୁଞ୍ଜେରିଠାରେ ଥିବା ଜବାହରଲାଲ ନେହରୁ ଷ୍ଟାଡିୟମରେ ଗୁରୁବାର ୪୪ତମ ଚେସ୍‌ ଅଲିମ୍ପିଆଡ୍‌ ଉଦ୍‌ଘାଟିତ ହୋଇଯାଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିଥିଲେ। ଗୁରୁବାରର ଉଦ୍‌ଘାଟନୀ ଉତ୍ସବରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୫ ଥରର ବିଶ୍ବ ଚେସ୍‌ ବିଜେତା କିଂବଦନ୍ତି ବିଶ୍ବନାଥ ଆନନ୍ଦ ଅଲିମ୍ପିଆଡ୍‌ ମଶାଲ ହସ୍ତାନ୍ତର କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏହି ମଶାଲକୁ ଯୁବ ଗ୍ରାଣ୍ଡମା‌ଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ଏବଂ ଅନ୍ୟ ଖେଳାଳିଙ୍କୁ ପ୍ରଦାନ କରିଥିଲେ। ଏଥିସହିତ ଚେସ୍‌ ଅଲିମ୍ପିଆଡ୍‌ର ଶୁଭାରମ୍ଭ ହେଲା ବୋଲି ମୋଦୀ ଘୋଷଣା କରିଥିଲେ। ‘‘ଚେସ୍‌ ଅଲିମ୍ପିଆଡ୍‌କୁ ଭାରତ ଯେଉଁ ସମୟରେ ଆୟୋଜନ କରୁଛି ତାହା ଦେଶ ପାଇଁ ନିଶ୍ଚିତ ଭାବେ ଐତିହାସିକ କ୍ଷଣ। କାରଣ ଭାରତ ଏବେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି।’’ ବୋଲି ମୋଦୀ କହିଥିଲେ।

ଉଦ୍‌ଘାଟନୀ ସମାରୋହରେ ତାମିଲନାଡ଼ୁ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ଏହି ଅବସରରେ ‘ଭେନାକମ ଚେନ୍ନାଇ, ଭେନାକମ ଚେସ୍‌’ ନାମରେ ଏକ ସ୍ବତନ୍ତ୍ର ନୃତ୍ୟ ଭିତ୍ତିକ ଗୀତର ଅଡିଓ ଭିଜୁଆଲ୍‌ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶୀ ସହ ସମସ୍ତ ୮ଟି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହୋଇଥିଲା। ୧୨ଟି ଦେଶର ପାରମ୍ପରିକ ସଂଗୀତ ମଧ୍ୟ ଉପସ୍ଥିତ ଅତିଥିଙ୍କ ମନ ମୋହି ନେଇଥିଲା। ଅନ୍ୟ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ଫିଡେ ସଭାପତି ଆର୍କାଡି ଭୋର୍କୋଭିଚ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତା ଭାରତରେ ଆୟୋଜିତ ହେଉଥିଲା ବେଳେ ଏଥିରେ ଓପନ୍‌ ବର୍ଗରେ ୧୮୮ ଏବଂ ମହିଳା ବର୍ଗରେ ୧୬୨ ଦଳ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe