ନୂଆଦିଲ୍ଲୀ: ଲାଲ୍କିଲ୍ଲାଠାରେ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ଆଗ୍ରହ ସଂକ୍ରାନ୍ତରେ ତାଙ୍କ ବକ୍ତବ୍ୟରେ କହିଥିଲେ। କିଛି ସମୟ ପରେ ପ୍ୟାରିସ୍ ଅଲିମ୍ପିକ୍ସ ଯାଇଥିବା ଭାରତୀୟ ଦଳର ଖେଳାଳିମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲା ବେଳେ ସେମାନଙ୍କ ଅଭିଜ୍ଞତା ସଂକ୍ରାନ୍ତରେ ମତାମତ ଲୋଡ଼ିଥିଲେ। ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍ କରିବାକୁ ଯାଉଥିବାରୁ ଭାରତୀୟ କ୍ରୀଡ଼ାବିତ୍ମାନେ ଏହାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ମୋଦୀ ସମସ୍ତଙ୍କୁ କହିଛନ୍ତି। ପୂର୍ବ ଅଲିମ୍ପିକ୍ସଗୁଡ଼ିକରେ ଅଂଶଗ୍ରହଣ କରିଥିବା କ୍ରୀଡ଼ାବିତ୍ଙ୍କ ମତାମତକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ସେଠାରେ ପାଇଥିବା ବିଭିନ୍ନ ସୁବିଧାସୁଯୋଗ ଓ ସାମ୍ନା କରିଥିବା ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ କରାଇଲେ, ଭାରତ ଅଲିମ୍ପିକ୍ସକୁ ଆୟୋଜନ କରିବା ସମୟରେ ସେସବୁ ଛୋଟଛୋଟ ତ୍ରୁଟିକୁ ବି ଠିକ୍ ଭାବେ ପରିଚାଳନା କରିପାରିବା ବୋଲି ମୋଦୀ କହିଛନ୍ତି। କେବଳ ଏତିକି ନୁହେଁ, ଭାରତୀୟ କ୍ରୀଡ଼ାକୁ କିପରି ଅଧିକ ଉନ୍ନତ କରିହେବ ସେ ଦିଗରେ ମଧ୍ୟ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ଙ୍କଠୁ ପରାମର୍ଶ ଲୋଡ଼ିଥିଲେ। ଏହି ପରାମର୍ଶ ଆଧାରରେ ଆଗକୁ ଯେଉଁମାନେ ଭାରତକୁ ପ୍ରତିନିଧିତ୍ବ କରିବେ ସେମାନଙ୍କୁ ମାର୍ଗଦର୍ଶନ ମିଳିବ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଆଗାମୀ କ୍ରୀଡ଼ାବିତ୍ଙ୍କ ସହ ଆଲୋଚନା କରିବାକୁ ମୋଦୀ ଆହ୍ବାନ ଦେଇଛନ୍ତି।
ଭାରତରେ ଅଲିମ୍ପିକ୍ସ ଆୟୋଜନ ପାଇଁ ପରାମର୍ଶ ଲୋଡ଼ିଲେ ପ୍ରଧାନମନ୍ତ୍ରୀ
Advertisment
Follow Us