ବାହାରେ ବିକ୍ଷୋଭ, ଭିତରେ କ୍ରିକେଟ୍

ବାହାରେ ବିକ୍ଷୋଭ, ଭିତରେ କ୍ରିକେଟ୍

MSN

ଗଲ୍‌: ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌ରେ ଘରୋଇ ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଦିମୁଥ କରୁଣାରତ୍ନେ ଏବଂ କୁସାଲ ମେଣ୍ଡିସ୍‌ ଲଢ଼ିଛନ୍ତି। ଆରମ୍ଭରୁ ମନ୍ଥର ବ୍ୟାଟିଂ କରିଥିଲେ ମଧ୍ୟ ପରେ ଗିଅର୍‌ ବଢ଼ାଇଥିଲେ। ଉଭୟେ ଦ୍ବିତୀୟ ୱିକେଟ୍‌ରେ ୧୫୨ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଦଳୀୟ ସ୍କୋର୍‌ ୧୨ ବେଳେ ପଥୁମ ନିଶାଙ୍କ (୬)ଙ୍କୁ ଆଉଟ୍‌ କରିଥିଲେ ମି‌ଚେଲ ଷ୍ଟାର୍କ। ହେଲେ କରୁଣାରତ୍ନେ ଓ ମେଣ୍ଡିସ୍‌ ଅତ୍ୟନ୍ତ ସତର୍କତାର ସହ ଅଷ୍ଟ୍ରେଲୀୟ ବୋଲରଙ୍କୁ ସାମ୍‌ନା କରି ପାଳିକୁ ଆଗେଇ ନେଇଥିଲେ। ତେବେ କରୁଣାରତ୍ନେ ୮୬ ରନ୍‌ କରିଥିଲା ବେଳେ ମିଚେଲ ସ୍ବିପ୍‌ସନଙ୍କ ଶିକାର ହୋଇଥିଲେ। ସେ ୧୪ ରନ୍‌ ପାଇଁ ଶତକରୁ ବଞ୍ଚିତ ରହିଥିଲେ ମଧ୍ୟ ଦଳକୁ ବିଦପମୁକ୍ତ କରାଇଥିଲେ। ଅନ୍ୟପକ୍ଷରେ କୁସାଲ ମେଣ୍ଡିସ୍‌ (୮୪ ରନ୍‌) ଅପରାଜିତ ରହି ଶତକ ଆଡ଼କୁ ଅଗ୍ରସର ହୋଇଛନ୍ତି।

ସେ ଶତକଠୁ ଆଉ ୧୬ ରନ୍‌ ଦୂରରେ ରହିଛନ୍ତି। ଫଳରେ ଅଷ୍ଟ୍ରେଲିଆର ୩୬୪ ରନ୍‌ ଜବାବରେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଶ୍ରୀଲଙ୍କା ତା’ ପ୍ରଥମ ପାଳି (୬୩ ଓଭର)ରେ ୨ ୱିକେଟ୍‌ ହରାଇ ୧୮୪ ରନ୍‌ କରିନେଇଛି। ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ୍‌ ୬ ରନ୍‌ରେ ବ୍ୟାଟିଂ କରୁଛନ୍ତି। ହାତରେ ୮ ୱିକେଟ୍‌ ଥାଇ ଏବେ ବି ଘରୋଇ ଦଳ ୧୮୦ ରନ୍‌ ପଛରେ ରହିଛି। ପୂର୍ବରୁ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଘୋର ଆର୍ଥିକ ଅନଟନ, ଖାଦ୍ୟାଭାବ, ରାଜ‌ନୈତିକ ଅସ୍ଥିରତା ତଥା ଅକାଶଛୁଆଁ ଦରଦାମକୁ ବିରୋଧ କରି ହଜାର ହଜାର ଶ୍ରୀଲଙ୍କା ନାଗରିକ ଗଲ୍ ଷ୍ଟାଡିୟମ୍ ବାହାରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ବି‌ରୋଧକୁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ସମର୍ଥନ କରିଥିଲା ବେଳେ ସନଥ ଜୟସୂରିୟା ଏଥିରେ ସାମିଲ ହୋଇଥିଲେ। ତଥାପି ସୁରୁଖୁରୁରେ ଦ୍ବିତୀୟ ଦିନ ଖେଳ ସମାପ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe