କ୍ଷମାମାଗି ବର୍ତିଲେ ସୁବ୍ରମଣ୍ୟୁମ, କେବଳ ଚେତାବନୀରେ ସୀମିତ କାର୍ଯ୍ୟାନୁଷ୍ଠାନ

Advertisment
କ୍ଷମାମାଗି ବର୍ତିଲେ ସୁବ୍ରମଣ୍ୟୁମ, କେବଳ ଚେତାବନୀରେ ସୀମିତ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ : ତ୍ରିନିଦାଦ ଏବଂ ଟବାଗୋରେ ଥିବା ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଅପମାନିତ କରିଥିବା ଟିମ୍ ଇଣ୍ଡିଆର ପ୍ରଶାସନିକ ପ୍ରବନ୍ଧକ ତଥା ତାମିଲନାଡ଼ୁର ପୂର୍ବତନ ଅଫ୍‌ସ୍ପିନର ସୁନୀଲ ସୁବ୍ରମଣ୍ୟୁମ ଚେତାବନୀରେ ବର୍ତି ଯାଇଛନ୍ତି। ସଂପୃକ୍ତ ସରକାରୀ ଅଧିକାରୀମାନଙ୍କୁ ନିଃସର୍ତ୍ତ କ୍ଷମା ମାଗିବା ପରେ ସୁବ୍ରମଣ୍ୟୁମଙ୍କୁ ବିସିସିଆଇ କଡ଼ା ଚେତାବନୀ ଦେଇ ଛାଡ଼ିଦେଇଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ପର୍ଯ୍ୟନ୍ତ ସେ ଭାରତୀୟ ଦଳ ସହ ରହିବେ। ତେବେ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ମଣ୍ଡଳିର ଅନୁରୋଧ ପରେ ବିସିସିଆଇ ତାଙ୍କୁ ଦଣ୍ଡିତ ନ କରି କେବଳ ଚେତାବନୀ ଦେଇ ଛାଡ଼ିଥିବା ଜଣାପଡ଼ିଛି। ପୂର୍ବରୁ ବିସିସିଆଇ ତାଙ୍କୁ ଇଣ୍ଡିଜ୍ ଗସ୍ତ ଅଧାରୁ ସ୍ବଦେଶ ଫେରାଇ ଆଣିଥିବା ଖବର ପ୍ରକାଶ ପାଇଥିଲା। ହେଲେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏଥିନେଇ ସ୍ପଷ୍ଟୀକରଣ ଦେବା ସହ ସୁବ୍ରମଣ୍ୟୁମ ଇଣ୍ଡିଜ୍ ଗସ୍ତ ‌ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ସହ ରହିବେ ବୋଲି କହିଛନ୍ତି। ‌ଭାରତୀୟ ଖେଳାଳିମାନେ ଜଳ ସଂରକ୍ଷଣ ସଚେତନତା ନେଇ ମଙ୍ଗଳବାର ଭିଡିଓ ସୁଟିଂ ଶେଷ କରିବା ମଧ୍ୟ ତାଙ୍କ ସପକ୍ଷରେ ଯାଇଛି। ବିସିସିଆଇ ଯଦି ସୁବ୍ରମଣ୍ୟୁମଙ୍କୁ ଇଣ୍ଡିଜ୍ ଗସ୍ତ ଅଧାରୁ ସ୍ବଦେଶ ଫେରାଇ ଆଣି ଥାଆନ୍ତା, ତାହାଲେ ଏହା ଭାରତୀୟ କ୍ରିକେଟ୍‌ରେ ପ୍ରଥମ ଘଟଣା ହୋଇଥାଆନ୍ତା। ପୂର୍ବରୁ ଏକ ବିଦେଶ ଗସ୍ତ ଅଧାରୁ କୌଣସି ପ୍ରଶାସନିକ ପ୍ରବନ୍ଧକଙ୍କୁ ବିସିସିଆଇ କେବେବି ସ୍ବଦେଶ ଫେରାଇ ଆଣିନଥିଲା। ସୁବ୍ରମଣ୍ୟୁମଙ୍କ ମୁଣ୍ଡ ଉପରେ ଝୁଲୁଥିବା ଖଣ୍ଡା କିନ୍ତୁ ସଂପୂର୍ଣ୍ଣ ଭାବେ ହଟିନାହିଁ। ଭାରତ ଫେରିବା ପରେ ସୁବ୍ରମଣ୍ୟୁମଙ୍କୁ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରିଙ୍କ ଆଗରେ ନିଜ ବ୍ୟବହାର ନେଇ ସ୍ପଷ୍ଟୀକରଣ ଦେବାର ଯ‌େଥଷ୍ଟ ସମ୍ଭାବନା ରହିଛି। ୨୦୧୭ରେ ନିଯୁକ୍ତି ପାଇଥିବା ସୁବ୍ରମଣ୍ୟୁମଙ୍କ କାର୍ଯ୍ୟକାଳ ବିଶ୍ବକପ୍ ପରେ ଶେଷ ହୋଇ ଯାଇଥିଲା। ହେଲେ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାକୁ ଆଖି ଆଗରେ ରଖି ବିସିସିଆଇ ତାଙ୍କ କାର୍ଯ୍ୟକାଳକୁ ୪୫ ଦିନ ପାଇଁ ବଢ଼ାଇ ଦେଇଥିଲା। ଭାରତୀୟ କ୍ରିକେଟ୍ ଦଳର ନୂଆ ପ୍ରଶାସନିକ ପ୍ରବନ୍ଧକ ପାଇଁ ବିସିସିଆଇ ମଧ୍ୟ ତାଙ୍କୁ ସଂକ୍ଷିପ୍ତ ତାଲିକାରେ ରଖିଥିଲା।

ସୂଚନାଯୋଗ୍ୟ ଯେ ଜଳ ସଂରକ୍ଷଣ ସଚେତନତା ବିଜ୍ଞାପନ ସୁଟିଂରେ ଭାରତୀୟ କ୍ରିକେଟ୍ ଦଳର ଅଂଶଗ୍ରହଣ ପାଇଁ କେନ୍ଦ୍ର ସରକାର ବିସିସିଆଇକୁ ଅନୁରୋଧ କରିଥିଲେ। ଦୂତାବାସ ଅଧିକାରୀଙ୍କୁ ଏଥିନେଇ ସହଯୋଗ କରିବାକୁ ସୁବ୍ରମଣ୍ୟୁମଙ୍କୁ ବିସିସିଆଇ କହିଥିଲା। ହେଲେ ସେ ଏହାକୁ ବେଖାତିର କରି ଦୂତାବାସ ଅଧିକାରୀଙ୍କ କଥା ଶୁଣି ନଥିଲେ। ସୁବ୍ରମଣ୍ୟୁମଙ୍କ ସହ ସେମାନେ ବାରମ୍ବାର ‌ଯୋଗାଯୋଗ କରି କୌଣସି ସୁଫଳ ପାଇ ନଥିଲେ। ଏପରିକି ‌ମୋତେ ବାରମ୍ବାର ମେସେଜ୍ କର ନାହିଁ ବୋଲି କହି ଅଧିକାରୀମାନଙ୍କ ‌ଫୋନ୍ ଆଉ ଉଠାଇ ନଥିଲେ। ଅଧିକାରୀମାନେ ଏହି ବିଷୟରେ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ। କ୍ଷୁବ୍ଧ କେନ୍ଦ୍ର ସରକାର ଏଥିନେଇ ବିସିସିଆଇର ଧ୍ୟାନ ଆକର୍ଷଣ କରିଥିଲେ। ଯାହା ଫଳରେ ବିସିସିଆଇ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା। ୫୨ ବର୍ଷୀୟ ସୁବ୍ରମଣ୍ୟୁମ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ପୂର୍ବତନ ପ୍ରଶିକ୍ଷକ ହୋଇଥିଲା ବେଳେ ତାମିଲନାଡୁ ପକ୍ଷରୁ ୭୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୮୫ ୱିକେଟ୍ ଅକ୍ତିଆର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe