ଭାଗ୍ୟ ବଦଳାଇବା ଲକ୍ଷ୍ୟରେ ପଞ୍ଜାବ ଓ ହାଇଦ୍ରାବାଦ

Advertisment
ଭାଗ୍ୟ ବଦଳାଇବା ଲକ୍ଷ୍ୟରେ ପଞ୍ଜାବ ଓ ହାଇଦ୍ରାବାଦ

ସାର୍‌ଜା : ପଏଣ୍ଟ୍‌ ଟେବୁଲର ଶେଷ ସ୍ଥାନରେ ଥିବା ରହି ପ୍ରାୟତଃ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିଥିବା ଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ଶନିବାର ସାର୍‌ଜାରେ ଶେଷଆଡ଼ୁ ଦ୍ବିତୀୟରେ ଥିବା ପଞ୍ଜାବ କିଙ୍ଗ୍ସକୁ ଭେଟିବ। ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସଠାରୁ ହାରି ଚଳିତ ଆଇପିଏଲ୍‌ରେ ସପ୍ତମ ପରାଜୟ ବରଣ କରିଥିଲା ହାଇଦ୍ରାବାଦ। ଫଳରେ ୮ ମ୍ୟାଚ୍‌ରୁ ମାତ୍ର ୨ ପଏଣ୍ଟ ପାଇଥିବାରୁ ପ୍ଲେ-ଅଫ୍‌ ଖେଳିବା ସମ୍ଭାବନା ଦଳର ପ୍ରାୟତଃ ନାହିଁ। ସନ୍‌ରାଇଜର୍ସର ଖେଳାଳିମାନଙ୍କ ପାଇଁ ବାକି ମ୍ୟାଚ୍‌ ଉପଭୋଗ କରିବା ଏବଂ ଭଲରେ ଶେଷ କରିବା ଛଡ଼ା ଆଉ କିଛି ବିକଳ୍ପ ନାହିଁ। ଜନି ବେୟାରଷ୍ଟୋ ଓହରିଯିବା ପରେ ଦିଲ୍ଲୀ ବିପକ୍ଷରେ ଡେଭିଡ ୱାର୍ଣ୍ଣର ଆରମ୍ଭରୁ ଆଉଟ୍‌ ହେବା ହାଇଦ୍ରାବାଦ ଲାଗି ବଡ଼ ଝଟ୍‌କା ଥିଲା। ସେହିପରି କେନ୍‌ ୱିଲିୟମ୍‌ସନ୍‌, ମନୀଷ ପାଣ୍ଡେ, ରିଦ୍ଧିମାନ ସାହା, କେଦାର ଯାଦବ ଓ ଅବଦୁଲ ସାମଦ ମଧ୍ୟ ବିଫଳ ହେବାରୁ ଏହି ମ୍ୟାଚ୍‌ରେ ଦଳ ବଡ଼ ସ୍କୋର୍‌ କରିବାରେ ବିଫଳ ହୋଇଥିଲ। ମୋଟ ୧୩୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତେବେ‌ ବୋଲିଂରେ ଦଳ ରସିଦ ଖାନ୍‌ଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହେଉଛି। ଯଦି ଖଲିଲ ଅହମ୍ମଦ, ଭୁବନେଶ୍ବର କୁମାର, ଜାସନ ହୋଲ୍‌ଡର ଦାୟିତ୍ବ ‌ନିଅନ୍ତି ତେବେ ହାଇଦ୍ରାବାଦ ପାଇଁ ସୁଯୋଗ ରହିପାରିବ।

ଅନ୍ୟପକ୍ଷରେ ପଞ୍ଜାବ ୯ ମ୍ୟାଚ୍‌ ଖେଳି ୬ ପଏଣ୍ଟ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି। ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଏହି ଦଳ ଜିତୁ ଜିତୁ ହାରିଥିଲା। ୟୁଏଇ ଚରଣରେ ପ୍ରଥମ ବିଜୟର ଦ୍ବାରରେ ପହଞ୍ଚିଥିଲା ପଞ୍ଜାବ। ଶେଷ ଓଭରରେ ଦଳକୁ ମାତ୍ର ୪ ରନ୍‌ ଆବଶ୍ୟକ ଥିଲା ବେଳେ ହାତରେ ୮ ୱିକେଟ୍‌ ଥିଲା। ହେଲେ ଏହି ଦଳ ମାତ୍ର ୧ ରନ୍‌ କରିଥିଲା ବେଳେ ୨ ୱିକେଟ୍‌ ହରାଇ ପରାଜୟର ସମ୍ନା କରିଥିଲା। ରାଜସ୍ଥାନର ଯୁବ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ହିଁ ଶେଷ ଓଭରରେ ସବୁ ବିଗାଡ଼ି ଦେଇ ପଞ୍ଜାବ ହାତରୁ ବିଜୟ ଛଡ଼ାଇ ନେଇଥିଲେ। ତେବେ ଦେଖିବାକୁ ଗଲେ ପଞ୍ଜାବ ଅଧିନାୟକ କେଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ୍‌ ଆଇପିଏଲ୍‌ର ଶ୍ରେଷ୍ଠ ପ୍ରାରମ୍ଭିକ ଯୋଡ଼ି। ଗତ ମ୍ୟାଚ୍‌ରେ ମଧ୍ୟ ଉଭୟ ୧୧.୫ ଓଭରେ ଦଳୀୟ ସ୍କୋର୍‌ ୧୨୦ରେ ପହଞ୍ଚାଇଥିଲେ। କିନ୍ତୁ ସେମାନଙ୍କ ପଛକୁ କେହି ତିଷ୍ଠି ପାରିନଥିଲେ। ୪୨ ବର୍ଷ ବୟସରେ ବି ବିସ୍ଫୋରକ ବ୍ୟାଟିଂ କରୁଥିବା କ୍ରିସ୍‌ ‌ଗେଲ୍‌ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ମଧ୍ୟଭାଗରେ ନିକୋଲାସ ପୂରନ ଓ ଏଦେନ ମାର୍କରାମ ଭଲ ଖେଳିଥିଲେ ‌ମଧ୍ୟ ‌ବିଜୟ ମୁଣ୍ଡି ମାରିବାରେ ବିଫଳ ହୋଇଥିଲେ। ତେଣୁ ନିଶ୍ଚିତ ବିଜୟ ହାତଛଡ଼ା କରିଥିଲା ରାହୁଲଙ୍କ ଦଳ। ବୋଲିଂରେ ମହମ୍ମଦ ସାମି ଓ ଅର୍ଶଦୀପ ଭଲ କରୁଛନ୍ତି। ଏମାନଙ୍କ ପାଇଁ ବଡ଼ ସ୍କୋର୍‌ ଦିଗରେ ବଢ଼ୁଥିବା ରାଜସ୍ଥାନ ୧୮୫ରେ ଅଟକି ଥିଲା। ଏହି ବୋଲିଂ ପ୍ରଦର୍ଶନ ସହ ‌ଶେଷ ସମୟରେ ବ୍ୟାଟର୍‌ମାନେ ଦାୟିତ୍ବବାନ ସହ ଖେଳିଲେ ମ୍ୟାଚ୍‌ ଜିତିବା ପଞ୍ଜାବ ପାଇଁ ଅସମ୍ଭବ ହେବନି। ‌‌

ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍ସ ଏକାଦଶ: କେଏଲ୍‌ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଐଦେନ୍‌ ମର୍କରାମ, ନିକୋଲାସ୍‌ ପୂରନ୍‌, ଦୀପକ ହୁଦା, ଫାବିଆନ୍‌ ଆଲେନ୍‌, ଆଦିଲ ରସିଦ୍‌, ହର୍‌ପ୍ରୀତ୍‌ ବ୍ରାର, ଅର୍ଶଦୀପ ସିଂହ, ମହମ୍ମଦ ସାମି, ଈଶାନ ପୋରେଲ।

ସନ୍‌ରାଇଜର୍ସ ହାଇଦ୍ରାବାଦ: କେନ୍‌ ୱିଲିୟମସନ୍‌ (ଅଧିନାୟକ), ଡେଭିଡ ୱାର୍ଣ୍ଣର, ମନୀଷ ପାଣ୍ଡ, ‌ରିଦ୍ଧିମାନ ସାହା, ‌କେଦାର ଯାଦବ, ଅବ୍‌ଦୁଲ ସାମଦ, ଜାସନ୍‌ ହୋଲ୍‌ଡର, ରସିଦ୍‌ ଖାନ୍‌, ଭୁବନେଶ୍ବର କୁମାର, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe